30 March 2017
10:04:01 PM
Sambad News
କନ୍ଧମାଳ

ପଞ୍ଚାୟତ ନିର୍ବାଚନ ଫୋକସ୍‌: କନ୍ଧମାଳ ଜିଲ୍ଲା ୨,୩୨୨ ବୁଥ, ୪ ଲକ୍ଷ ୫୬ ହଜାର ୩୨୭ ଭୋଟର

ପ୍ରଥମ ପର୍ଯ୍ୟାୟରେ କୋଟଗଡ଼, ତୁମୁଡ଼ିବନ୍ଧ ଓ ଶେଷ ପର୍ଯ୍ୟାୟରେ ରାଇକିଆ, ଦାରିଙ୍ଗବାଡ଼ିରେ ଭୋଟ୍‌

By Sambad | Date: Dec 29 2016 11:41AM
ପଞ୍ଚାୟତ ନିର୍ବାଚନ ଫୋକସ୍‌: କନ୍ଧମାଳ ଜିଲ୍ଲା ୨,୩୨୨ ବୁଥ, ୪ ଲକ୍ଷ ୫୬ ହଜାର ୩୨୭ ଭୋଟର

ଫୁଲବାଣୀ: ଆସନ୍ତା ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜିିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଭୋଟରଙ୍କୁ ମନାଇ ଭୋଟ ହାତେଇବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି।
   

ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କନ୍ଧମାଳରେ ୧୭୧ଟି ପଞ୍ଚାୟତରେ ୨ହଜାର ୩୨୨ଟି ବୁଥରେ ସମୁଦାୟ ୪ ଲକ୍ଷ ୫୬ ହଜାର ୩୨୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ଫେବୃଆରୀ ୧୩ରେ କୋଟଗଡ ଓ ତୁମୁଡିବନ୍ଧରେ ୨ଟି ଜିଲ୍ଲା ପରିଷଦ,୨୬ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୩୨୧ଟି ଓ୍ଵାର୍ଡମେମ୍ବର ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ। ଏହି ଦୁଇ ବ୍ଲକରେ ୩୨୧ଟି ବୁଥରେ ସମୁଦାୟ ୫୭ ହଜାର ୭୮୨ ଜଣ ଭୋଟର ମତଦାନ କରିବେ।
   

ଫେବୃଆରୀ ୧୫ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ବାଲିଗୁଡା ଓ କେ.ନୂଆଗାଁରେ ୩ଟି ଜିଲ୍ଲା ପରିଷଦ, ୨୮ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୩୬୦ ଓ୍ଵାର୍ଡମେମ୍ବର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇ ବ୍ଲକରେ ସମୁଦାୟ ୭୨ ହଜାର ୬୨୦ ଜଣ ଭୋଟର ୩୬୦ଟି ବୁଥରେ ମତଦାନ କରିବେ।
   

ଫେବୃଆରୀ ୧୭ ତାରିଖ  ତୃତୀୟ ପର୍ଯ୍ୟାୟରେ ଫୁଲବାଣୀ,ଫିରିଙ୍ଗିଆ ଓ ଖଜୁରିପଡାରେ ୫ଟି ଜିଲ୍ଲା ପରିଷଦ, ୪୯ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୬୩୫ଟି ଓ୍ଵାର୍ଡମେମ୍ବର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୩ ବ୍ଲକରେ ସମୁଦାୟ ୧ ଲକ୍ଷ ୧୮ ହଜାର ୨୧୦ ଜଣ ଭୋଟର ୬୩୫ଟି ବୁଥରେ ମତଦାତ କରିବେ।
    ଚକାପାଦ,ଟିକାବାଲି ଓ ଜି.ଉଦୟଗିରିରେ ଫେବୃଆରୀ ୧୯ ତାରିଖ ଚତୁର୍ଥ ପର୍ଯ୍ୟାୟରେ ୪ଟି ଜିଲ୍ଲା ପରିଷଦ,୩୧ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୪୮୬ଟି ଓ୍ଵାର୍ଡମେମ୍ବର ପଦବି ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୩ ବ୍ଲକର ସମୁଦାୟ ୯୪ ହଜାର ୩୭୯ ଭୋଟର ୪୮୬ଟି ବୁଥରେ ମତଦାନ କରିବେ।
  

  ଫେବୃଆରୀ ୨୧ ତାରିଖ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ରାଇକିଆ ଓ ଦାରିଙ୍ଗବାଡିରେ ୪ଟି ଜିଲ୍ଲା ପରିଷଦ,୩୭ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୫୨୦ଟି ଓ୍ଵାର୍ଡ ମେମ୍ବର ପଦବି ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇ ବ୍ଲକର ସମୁଦାୟ ୧ ଲକ୍ଷ ୧୩ ହଜାର ୩୩୬ ଜଣ ଭୋଟର ୫୨୦ ବୁଥରେ ମତଦାନ କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୧୨ଟାରେ ଶେଷ ହେବ। ଅପରାହ୍ନ ୧ଟାରେ ବୁଥସ୍ତରରେ ଭୋଟଗଣତି ହେବ।
   

ଫେବୃଆରୀ ୨୩ ତାରିଖରେ ସବୁ ବ୍ଳକ କାର୍ଯ୍ୟାଳୟରେ ସରପଞ୍ଚ ଓ ଓ୍ଵାର୍ଡମେମ୍ବର ଏବଂ ୨୫ ତାରିଖରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ଭୋଟ ଗଣତି ହୋଇ ସରକାରୀ ଭାବେ ଫଳାଫଳ ଘୋଷଣା କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା କହିଛନ୍ତି।
   

କନ୍ଧମାଳରେ ପୂର୍ବରୁ ୧୫୨ଟି ପଞ୍ଚାୟତ ଥିବା ବେଳେ ପୁର୍ନଗଠନ ପରେ ୧୯ଟି ନୂତନ ପଞ୍ଚାୟତ ବୃଦ୍ଧି ପାଇ ୧୭୧ରେ ପହଞ୍ଚିଛି। ପଞ୍ଚାୟତ ନିର୍ବାଚନରେ ବିଶେଷତଃ ଜିଲ୍ଲା ପରିଷଦ ଉପରେ ସବୁ ଦଳର ଆଖି। ଜିଲ୍ଲା ପରିଷଦ ଗଠନ ହେବାଠାରୁ ଥରେ ମାତ୍ର ବିଜେଡି କ୍ଷମତା ଦଖଲ କରିଥିବା ବେଳେ ବାକି ସବୁ କଂଗ୍ରେସ କବଜାରେ ଥିଲା। ଏଥର ବିଜେଡି ଜିଲ୍ଲା ପରିଷଦ ଦଖଲ କରିବାକୁ ସବୁ ପ୍ରକାର ଯୋଜନା ଚଳାଇଥିବା ବେଳେ ଗୋଷ୍ଠୀ କନ୍ଦଳରେ ଘାଣ୍ଟି ହେଉଥିବା କଂଗ୍ରେସ ତାର ରଣନୀତି କଣ ହେବ। କଂଗ୍ରେସକୁ ପଛରେ ପକାଇ ଟିକେ ଆଗକୁ ଆସିଥିବା ବିଜେପିର ଆଭିମୁଖ୍ୟ କିଭଳି ହେବା ତାହା ଦେଖିବାର କଥା।