21 January 2017
3:36:29 AM
image
Sambad News
କନ୍ଧମାଳ

କନ୍ଧମାଳରେ ସମନ୍ଵିତ ଶିଶୁ ବିକାଶ ଯୋଜନା କାମଚଳା

ମନ୍ତ୍ରୀଙ୍କ ପ୍ରତିଶ୍ରୁତି କଣ୍ଟ ପୂରିଲା, ପୂରଣ ହେଲାନି ସିଡିପିଓ, ସୁପରଭାଇଜର ପଦ

By Sambad | Date: Dec 30 2016 11:40AM
କନ୍ଧମାଳରେ ସମନ୍ଵିତ ଶିଶୁ ବିକାଶ ଯୋଜନା କାମଚଳା

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସୁଷମ ଖାଦ୍ୟ ଅଭାବରୁ ମା’ ଓ ଶିଶୁ ଉଭୟ ଅପପୁଷ୍ଟିର ଶିକାର ହେଉଛନ୍ତି। ଯାହା ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର କମିବା ନାଁ ଧରୁ ନାହିଁ। ଅପପୃଷ୍ଟିକୁ ରୋକିବା ସହ ଖାଲି ପଡିଥିବା ପଦବୀ ୩ ମାସ ମଧ୍ୟରେ ପୂରଣ କରାଯିବ ବୋଲି କନ୍ଧମାଳ ଗସ୍ତରେ ଆସିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷାଦେବୀ ପ୍ରତିଶ୍ରୁତି ଦେଇଥିଲେ। ସେ ସମୟ ପୂରିବାକୁ ଗଲାଣି। ହେଲେ ଏପର୍ଯ୍ୟନ୍ତ ୪ ସିଡିପିଓ ଓ ୨୨ ସୁପରଭାଇଜର ପଦବୀ ପୂରଣ ହେଲା ନାହିଁ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଆଉ ନିକଟ ୩ମାସ ଭିତରେ ଏହି ପଦ ପୂରଣ ହେଲାଭଳି ଦିଶୁନି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
    ଗତ ସେପ୍ଟେମ୍ବର ୧୯ ତାରିଖରେ ମନ୍ତ୍ରୀ ଉଷାଦେବୀ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିରେ ଖଜୁରିପଡା, ଫିରିଙ୍ଗିଆ, ଜି.ଉଦୟଗିରି, ତୁମୁଡିବନ୍ଧ ଓ କୋଟଗଡ ବ୍ଳକରେ ସିଡିପିଓ, ବିଭିନ୍ନ ବ୍ଲକରେ ସମୁଦାୟ ୨୨ଟି ସୁପରଭାଇଜର ପଦବୀ ଖାଲି ପଡିଛି। ଯାହାଦ୍ୱାରା ବିଭାଗୀୟ କାର୍ଯ୍ୟପ୍ରଣାଳୀ ଠିକ୍‌ ଭାବେ ହୋଇପାରୁ ନାହିଁ ବୋଲି ବୈଠକରେ  ଆଲୋଚନା ହୋଇଥିଲା। ତେବେ ଡିସେମ୍ବର ଶେଷ ସୁଦ୍ଧା ସବୁ ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ ଊଷାଦେବୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଡିସେମ୍ବର ଶେଷ ହେବାକୁ ବସିଲାଣି।

କିନ୍ତୁ ଖାଲି ପଡିଥିବା ସିଡିପିଓ, ସୁପରଭାଇଜର ପଦବି ପୂରଣ ହେଲା ନାହିଁ।
    ବର୍ତ୍ତମାନ ଯେଉଁ ବ୍ଳକରେ ସିଡିପିଓ ନାହାନ୍ତି ସେଠାରେ ବିଡିଓମାନେ ଦାୟିତ୍ୱରେ ଅଛନ୍ତି। ଦୁଇଟି ଗୁରୁଦାୟିତ୍ୱରେ ରହିଥିବାରୁ କୌଣସି କାମ ଠିକ୍‌ ଭାବେ କରିବା କଷ୍ଟ ହେଉଛି। କେଉଁଠି ବରିଷ୍ଠ ସୁପରଭାଇଜରଙ୍କୁ ଦାୟିତ୍ୱରେ ରଖାଯାଇଛି। ସେମାନେ ସିଡିପିଓଙ୍କ କାର୍ଯ୍ୟାଳୟ ଛାଡି ନିଜର ଦାୟିତ୍ୱ କଥା ବୁଝୁନାହାନ୍ତି କି କୌଣସି ଅଙ୍ଗନବାଡି କେନ୍ଦ୍ରକୁ ଯାଉନାହାନ୍ତି। ପଦବୀ ଖାଲିଥିବା ଅଞ୍ଚଳରେ ଯୋଜନା ଠିକ୍‌ ଭାବେ ଚାଲୁ ନାହିଁ। ନିମ୍ନମାନର ଛତୁଆ ପିଲାଙ୍କୁ ଦିଆଯାଉଛି। ବିଭିନ୍ନ ଯୋଜନାରେ ଆସୁଥିବା ବିଭିନ୍ନ ଜିନିଷ ସାମଗ୍ରୀ ସମସ୍ତଙ୍କ ପାଖରେ ପହଞ୍ଚି ପାରୁ ନାହିଁ।

ଏଥି ସହ ସମୁଦାୟ ୨ହଜାର ୧୦୨ଟି କେନ୍ଦ୍ର ମଧ୍ୟରୁ ୧ହଜାର ୩୬୦ଟିର ନିଜସ୍ୱ ଗୃହ ଅଛି। ବାକି ୭୪୨ଟି କେନ୍ଦ୍ର କାମଚଳାରେ ଚାଲିଛି। ଏସବୁ କାରଣ ପାଇଁ କନ୍ଧମାଳରେ ଚାଲିଥିବା ଅପପୃଷ୍ଟି ରୋକିବା ସମ୍ଭବ ହୋଇ ପାରୁ ନାହିଁ। ଯାହା ଫଳରେ କନ୍ଧମାଳରେ ସମନ୍ଵିତ ଶିଶୁ ବିକାଶ ଯୋଜନା ବାଟବଣା ହୋଇ ଯାଇଛି ଆଉ କାମଚଳାରେ ଚାଲିଛି ବୋଲି କୁହାଯାଉଛି। କନ୍ଧମାଳରେ ଶିଶୁ ଓ ମାତୃ ମୃତ୍ୟୁହାର ବଢି ଚାଲିଥିବା ବେଳେ ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।