30 March 2017
12:13:15 PM
Sambad News
କନ୍ଧମାଳ

କନ୍ଧମାଳ ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ

By Sambad | Date: Dec 31 2016 11:12AM
କନ୍ଧମାଳ ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁଜି ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ତାଲିମ ଜରିଆରେ କନ୍ଧମାଳର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ। ସରକାର ଏ ନେଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ସରକାରୀ ଚାକିରି ପଛରେ ନ ଗୋଡାଇ ବିଭିନ୍ନ ତାଲିମ ଗ୍ରହଣ କରି ନିଜେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଉଦ୍ୟମ କରିବା ଦରକାର ବୋଲି ସେ କହିଥିଲେ।
   

ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୬ଟି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ୪୪୬ ଜଣଙ୍କୁ ଆତ୍ମନିଯୁକ୍ତି ତାଲିମ ପ୍ରଦାନ କରାଯାଇଛି। ଏଥି ନିମନ୍ତେ ୨ ଲକ୍ଷ ୮୮ ହଜାର ୯୮୫ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ କମ୍ପ୍ୟୁଟର ପାଠ୍ୟକ୍ରମ, ଛତୁ, କଦଳୀ ଓ ପନିପରିବା ଚାଷ, ମୋବାଇଲ ମରାମତି, ପୋଷାକ ଡିଜାଇନିଂ, ଛେଳି ଓ ମହୁମାଛି ପାଳନ, ଖଲି ପ୍ଲେଟ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ ଓ ଧୂପକାଠ ପ୍ରସ୍ତୁତି ଆଦି କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥି ନିମନ୍ତେ ୨୪ଟି ତାଲିମ କାର୍ଯ୍ୟକ୍ରମ ମଧ୍ୟରୁ ୧୭ଟି ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ନିମନ୍ତେ ସେମାନଙ୍କୁ ବ୍ୟାଙ୍କ ଗୁଡିକ ପକ୍ଷରୁ ଋଣ ଯୋଗାଇ ଦେବାକୁ ଜିଲ୍ଲାପାଳ କହିଥିଲେ। ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ବ୍ୟାଙ୍କ ପରିଚାଳକମାନଙ୍କୁ ପରାମର୍ଶ ଦେଇଥିଲେ। ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ଅଭିରାମ ପ୍ରସାଦ ନନ୍ଦ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତି, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ପରିଚାଳକ ପ୍ରଭାକର ସାହୁ,ରିଜର୍ଭ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ସନ୍ତୋଷ କୁମାର ପଟ୍ଟନାୟକ,ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପରିଚାଳକ ସୁବାସ ଚନ୍ଦ୍ର ନିମାଲ, ନାବାର୍ଡର ସହକାରୀ ପ୍ରବନ୍ଧକ ଶ୍ରୀବତ୍ସ ଲାଞ୍ଚନ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ବ୍ୟାଙ୍କର ପରିଚାଳକ ଉପସ୍ଥିତ ଥିଲେ।