22 January 2017
5:43:08 PM
image
Sambad News
କନ୍ଧମାଳ

୭୦ ବର୍ଷ ଗୁହାରି ଶୁଣୁନି ପ୍ରଶାସନ, ବର୍ଷା ହେଲେ କାମ ବନ୍ଦ

୨୦ ଖଣ୍ଡ ଗାଁକୁ ରାସ୍ତା କାଟିଛି ପିଲାସାଲୁଙ୍କି ନଦୀ: ସମସ୍ତେ ଠକିଲେ, ନିର୍ମାଣ ହୋଇପାରୁନି କାଠପୋଲ

By Sambad | Date: Jan 5 2017 10:55AM
୭୦ ବର୍ଷ ଗୁହାରି ଶୁଣୁନି ପ୍ରଶାସନ, ବର୍ଷା ହେଲେ କାମ ବନ୍ଦ

ଫୁଲବାଣୀ: ଆଦିବାସୀ କନ୍ଧମାଳ ଜିଲ୍ଲାର ବହୁ ଅଞ୍ଚଳରେ ସ୍ୱାଧୀନତାର ୭୦ବର୍ଷ ପରେ ବି ବିକାଶ ସ୍ୱପ୍ନ। ଫୁଲବାଣୀ ବ୍ଲକ ତୁଡିପାଜୁ ଗ୍ରାମବାସୀ ପ୍ରାଥମିକ ସୁବିଧାରୁ ବଞ୍ଚିତ। ଗାଁକୁ ରାସ୍ତାକାଟିଛି ପିଲାସାଲୁଙ୍କି ନଦୀ। ଫଳରେ ୨୦ଗ୍ରାମବାସୀଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ପାଲଟିଛି କାଠପୋଲଟିଏ। ବ୍ରିଜ ନିର୍ମାଣ ପାଇଁ ଅଧିକାଂଶ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଦେଖିବା ଓ ବ୍ୟବସ୍ଥା ଗ୍ରହଣ କରିବା କହି କାମ ସାରି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ କାହାର ଦେଖାନାହିଁ। ନେତା, ପ୍ରଶାସନିକ କର୍ମଚାରୀ କେହି ଧରାଛୁଆଁ ଦେଉନାହାନ୍ତି। ଫଳରେ ଲୋକେ ନିଜ କାଠ ପୋଲ ନିର୍ମାଣ କରି ଯିବା ଆସିବା କରୁଛନ୍ତି। ଏବେ ପୁଣି ମଉକା ଆସିଛି ପଞ୍ଚାୟତ ନିର୍ବାଚନ ଭାବେ।

ସବୁ ବେଳେ ନେତା, ଅଫିସର ସବୁ ଠକିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି।
    ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୩-୧୪ କିଲୋମିଟର ଦୂର ତୁଡିପାଜୁ ପଞ୍ଚାୟତ। ଫୁଲବାଣୀ ବ୍ଲକର ଏହି ପଞ୍ଚାୟତର ଲୋକ ସଂଖ୍ୟା ୫ ହଜାରରୁ ଉର୍ଦ୍ଧ୍ୱ। ଏହି ପଞ୍ଚାୟତରେ ତୁଡିପାଜୁ, ଡକାଙ୍ଗି, ଘାଟିକୁମ୍ପା, କଟ୍ରିଅମ୍ବା, ଝାଞ୍ଜିପାଣି, ପଣସପଦର, ଶଗଡକୁଟି, ସରୁପାଞ୍ଜ, ଡୁକେମୁହା, ବାଣମେରୁ, ଲଣ୍ଡ୍ରୁଗୁଡା, ଗୁଦାବାରି, ଶ୍ରାମ୍ବିପଡା, ଟାଡପଙ୍ଗା, ମିଣିଆକାଟି, ଗୁମିଗାଁ, ସସାକେର, ପୁଞ୍ଜିଡ୍ରାଗା, ସୁଡୁବାଲି, ଆମ୍ବେଟିଖୋଲ ଆଦି ଛୋଟ ବଡ ଗାଁ ମିଶି ୨୦। ଏହି ସବୁ ଗାଁର ଗ୍ରାମବାସୀ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଜାଳେଣି କାଠ, ପନିପରିବା ବିକ୍ରି କରିବାକୁ ଲୋକମାନେ ଫୁଲବାଣୀ ଓ ଅନ୍ୟ ସ୍ଥାନକୁ ଯିବାକୁ ପିଲାସାଲୁଙ୍କି ନଦୀ ପାର ହେବାକୁ ପଡିଥାଏ। ହାଇସ୍କୁଲ ଓ କଲେଜକୁ ସଂପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ନଦୀରେ ପାର ହୋଇ ଆସିଥାନ୍ତି।

ଖରା ଦିନେ ନଦୀ ଶୁଖିଲା ଥିବାରୁ ଯିବାଆସିବାରେ କିଛି ଅସୁବିଧା ନାହିଁ। କିନ୍ତୁ ବର୍ଷା ହେଲେ ନଦୀରେ ପାଣି ବୃଦ୍ଧି ଘଟି ଯିବାଆସିବାରେ ଅସୁବିଧା ହୁଏ। ଏଭଳିକି ଛାତ୍ରଛାତ୍ରୀଙ୍କ ପାଠ ବନ୍ଦ, ଗାଁ ଲୋକଙ୍କ ଅନ୍ନପାଣି ବନ୍ଦ ହୋଇଯାଏ। କାହାର ଦେହ ଖରାପ ହେଲେ କଥା ସରିଲା।
   

ପିଲାସାଲୁଙ୍କି ନଦୀରେ ପୋଲ ନିର୍ମାଣ ନିମନ୍ତେ ଅଞ୍ଚଳବାସୀ ପ୍ରଶାସନ ଓ ବିଭିନ୍ନ ସମୟରେ ଶାସନ କ୍ଷମତାରେ ଥିବା ଦଳର ନେତାଙ୍କୁ ଗୁହାରି କରି ଆସୁଛନ୍ତି। କେହି ନ ଶୁଣିବାରୁ ଚାନ୍ଦା ଆଦାୟ କରି ନିଜେ ଶ୍ରମଦାନ କରି କାଠ ପୋଲ ନିର୍ମାଣ କରି ଲୋକମାନେ ତା ଉପରେ ବିପଦଜନକ ଭାବେ ଯାତାୟତ କରୁଛନ୍ତି। ଦୀର୍ଘ ବର୍ଷ ଶାସନ କ୍ଷମତାରେ ଥିବା କଂଗ୍ରେସ ନେତାଙ୍କୁ ଜଣାଇଥିଲେ। ଗତ ୧୭ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେଡି ନେତାଙ୍କୁ ଗୁହାରି କରାଯାଉଛି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନ ଏବଂ ୨୦୧୪ରେ କନ୍ଧମାଳ ଲୋକସଭା ଉପନିର୍ବାଚନ ସମୟରେ ପ୍ରଚାରରେ ଆସିଥିବା ମାଳମାଳ ମନ୍ତ୍ରୀ,ବିଧାୟକଙ୍କୁ ପୋଲ ନିର୍ମାଣ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସବୁ କରିବୁ କହିଲେ। ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜିତିବା ପରେ ଆଉ କେହି ଶୁଣିଲେ ନାହିଁ ବୋଲି କହନ୍ତି ଅଞ୍ଚଳବାସୀ। ଏବେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଜେଡି ନେତାମାନେ ପୁଣି ବିିଭନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଉଦ୍ୟମ କରିଛନ୍ତି। ଏଥର ସେମାନଙ୍କୁ ଠିକଣା ଜବାବ ଦିଆଯିବ ବୋଲି ଅଞ୍ଚଳବାସୀ ନିଷ୍ପତ୍ତି ନେଇଥିବା ଜଣା ପଡିଛି।