21 January 2017
3:37:58 AM
image
Sambad News
ରାଜ୍ୟ

୧୦୮ ଆମ୍ବୁଲାନ୍ସ ଆସିଲାନି : ଖଟରେ ୧୦ କିମି ବୋହିଲେ

By Sambad | Date: Jan 8 2017 5:48AM
୧୦୮ ଆମ୍ବୁଲାନ୍ସ ଆସିଲାନି : ଖଟରେ ୧୦ କିମି ବୋହିଲେ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଯୋଜନା କେମିତି ଅପହଞ୍ଚ ତା’ର ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡ଼ାରେ। ଜଣେ ରୋଗୀଙ୍କୁ ମେଡିକାଲ ଆଣିବା ପାଇଁ ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ବାଲିଗୁଡ଼ା ବ୍ଲକ୍‌ ରେବିଙ୍ଗିଆ ପଞ୍ଚାୟତ ଗୁଡ଼େଲପଦର ଗ୍ରାମରୁ ସମ୍ପର୍କୀୟମାନେ ୧୦କିମି ବାଟ ଖଟରେ ବୋହି ବୋହି ବାଲିଗୁଡ଼ା ମେଡିକାଲକୁ ଆଣିବା ଘଟଣା ଆଲୋଡ଼ନ ଆଣିଛି। 

 
ବାଲିଗୁଡ଼ା ନିକଟ ରେବିଙ୍ଗିଆ ପଞ୍ଚାୟତ ଗୁଡ଼େଲପଦର ଗ୍ରାମର ସୁଦର୍ଶନ ମଳିକଙ୍କ ଝିଅ ରଶ୍ମିତାର କିଛିଦିନ ହେଲା ପେଟ ଯନ୍ତ୍ରଣା ହେଉଥିଲା। ବଡ଼ଗାଁ କନ୍ୟାଶ୍ରମରେ ରହି ପଢ଼ୁଥିବା ରଶ୍ମିତା ଗାଁକୁ ଫେରି ଘରେ ଚିକିତ୍ସିତ ହେଉଥିଲା। ଗତ ୩୧ତାରିଖରେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହେବାରୁ ତାକୁ ବାଲିଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବାଲିଗୁଡ଼ାରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ଫୁଲବାଣୀ ଡାକ୍ତରଖାନା ନେବାକୁ କୁହାଯାଇଥିଲା। ମାତ୍ର ଅର୍ଥାଭାବ ଯୋଗୁଁ ସୁଦର୍ଶନ ଝିଅକୁ ଘରକୁ ନେଇଯାଇଥିଲେ। ଗତକାଲି ଠାରୁ ରଶ୍ମିତାର ଯନ୍ତ୍ରଣା ପୁଣି ଥରେ ବଢ଼ିଥିଲା। ଆଜି ଭୋର୍‌ ୫ଟାରେ ସୁଦର୍ଶନ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ କୌଣସି ଉତ୍ତର ମିଳିନଥିଲା। ପରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଓ ସାରଙ୍ଗଗଡ଼କୁ ଯାଇଥିବା ଉତ୍ତର ମିଳିଥିଲା। ତେବେ ୨ ଘଣ୍ଟା ଅପେକ୍ଷା ପରେ ରଶ୍ମିତାର ଯନ୍ତ୍ରଣା ଅସହ୍ୟ ହେବାରୁ ଗ୍ରାମବାସୀ ଏକ ଖଟରେ ରଶ୍ମିତାକୁ ବୋହି ୧୦କିମି ଦୂର ବାଲିଗୁଡ଼ା ମେଡିକାଲକୁ ଆଣିଥିଲେ। 
 
ଏହି ଖବର ପ୍ରଚାରିତ ହେବା ପରେ ବିଜେଡି, କଂଗ୍ରେସ, ବିଜେପି କର୍ମୀମାନେ ସେଠାରେ ପହଞ୍ଚି ରଶ୍ମିତାକୁ ୧୦୮ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ପଠାଇବା ବ୍ୟବସ୍ଥା କରିଥିଲେ। ବାଲିଗୁଡ଼ା ଡାକ୍ତଖାନାରେ କୈଣସି ବିଶେଷଜ୍ଞ ନଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ଅଭିଯୋଗ କରିଛନ୍ତି।  ସେହିପରି ବାଲିଗୁଡ଼ା ଡାକ୍ତରଖାନାର ଅବ୍ୟବସ୍ଥା ସୁଧାର ପାଇଁ ବହୁ ପୂର୍ବରୁ କଂଗ୍ରେସ ଦାବି କରୁଥିବା ବ୍ଲକ୍‌ କଂଗ୍ରେସ ସଭାପତି ରାମସିଂ ପାତ୍ର କହିଛନ୍ତି।