29 March 2017
2:44:36 PM
Sambad News
କନ୍ଧମାଳ

କନ୍ଧମାଳକୁ ପୁଣି ଲେଉଟିଲା ଶୀତ

ଫୁଲବାଣୀରେ ୭ଂ, ଦାରିଙ୍ଗବାଡିରେ ୮ଂ

By Sambad | Date: Jan 8 2017 10:08PM
କନ୍ଧମାଳକୁ ପୁଣି ଲେଉଟିଲା ଶୀତ

ଫୁଲବାଣୀ : କନ୍ଧମାଳକୁ ପୁଣି ଫେରିଲା ଶୀତ। ସପ୍ତାହ ହେଲା ଶୀତର ପ୍ରକୋପ କମ୍‌ ରହିଥିବା ବେଳେ ୨-୩ ଦିନ ହେଲା ପୁଣି ବୃଦ୍ଧି ପାଇଛି। ସକାଳେ ଓ ସଂଧ୍ୟାରେ ଶୀତର ପ୍ରକୋପ ଅଧିକ ରହୁଛି। ଆଜି ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୮ ଡିଗ୍ରୀ ରହିଛି।  ସପ୍ତାହେ ହେଲା ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ରହୁଥିଲା। ହଠାତ୍‌ ଶୁକ୍ରବାର ଠାରୁ ପୁଣି ଥରେ ଶୀତର ପ୍ରକୋପ ବଢିଛି। 
 
୩ଦିନ ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଖସିଥିବା ସୂଚନା ମିଳିଛି।  ସେହିପରି ଜିଲ୍ଲାର ବାଲିଗୁଡା, କେ.ନୂଆଗାଁ, କୋଟଗଡ, ଫିରିଙ୍ଗିଆ, ରାଇକିଆ, ତୁମୁଡିବନ୍ଧ, ଜି. ଉଦୟଗିରିରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ରହିଛି। ସଂଧ୍ୟା ୫ଟାରୁ ଶୀତ ଆରମ୍ଭ ହେଉଛି। ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଓ କୁହୁଡି ଲାଗି ରହିବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଯାନବାହାନ ଚଳାଚଳ କରିବା ଏବଂ ଲୋକମାନେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇ ପଡୁଛି। 
 
ଅନ୍ୟପକ୍ଷେ ଶୀତର ମଜା ଉଠାଇବାକୁ ଦେଶ ଓ ବିଦେଶରୁ ପର୍ଯ୍ୟଟକ ସୁଅ ଛୁଟିବାରେ ଲାଗିଛି। ବିଶେଷତଃ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଗତ ୨ ବର୍ଷ ହେଲା ଏହି ସମୟରେ ଶୀତ ମହୋତ୍ସବ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ହେବାର ସମ୍ଭାବନା ନାହିଁ। ଜିଲ୍ଲାବାସୀ ସମେତ ବାହାର ପର୍ଯ୍ୟଟକ ଶୀତରୁ ମଜା ଉଠାଇବା ସହ ଶୀତ ମହୋତ୍ସବକୁ ଉପଭୋଗ କରିଥାନ୍ତି। ଏଥର ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ଫୁଲବାଣୀ ପରିବର୍ତ୍ତେ କେନ୍ଦୁଝରରେ  ହେଉଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।