26 May 2017
10:24:51 PM
image
Sambad News
ରାଜ୍ୟ

ଦିଲ୍ଲୀ ‘ଲଜ୍ଜା’ ଓଡ଼ିଶାରେ : କନ୍ଧମାଳରେ ଛାତ୍ରୀଙ୍କୁ ଉଠାଇ ନେଇ କାର୍‌ରେ ଗଣଦୁଷ୍କର୍ମ

ରାସ୍ତାକଡ଼ରେ ଫିଙ୍ଗି ପଳାଇଥିଲେ

By Sambad | Date: Jan 9 2017 5:51AM
ଦିଲ୍ଲୀ ‘ଲଜ୍ଜା’ ଓଡ଼ିଶାରେ : କନ୍ଧମାଳରେ ଛାତ୍ରୀଙ୍କୁ ଉଠାଇ ନେଇ କାର୍‌ରେ ଗଣଦୁଷ୍କର୍ମ

ବାଲିଗୁଡ଼ା/କୋଟଗଡ଼ : ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା କାଣ୍ଡ ଓ କାର୍‌ ଭିତରେ ଗଣଦୁଷ୍କର୍ମ ଭଳି ଲଜ୍ଜାକର ଅପରାଧ ଓଡ଼ିଶାର ଦୁର୍ଗମ କନ୍ଧମାଳ ଜିଲ୍ଲାରେ ବି ଘଟିପାରେ। ଅବିଶ୍ୱସନୀୟ ହେଲେ ବି ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ବାଲିଗୁଡ଼ା ଅଞ୍ଚଳରେ।  ଦଶମ ଶ୍ରେଣୀର ଜଣେ ନାବାଳିକାକୁ ନିଜ ଘର ନିକଟରୁ କାର୍‌ରେ ଉଠାଇ ନେଇ ଗଣଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ପଳାଇଥିଲେ ତିନି ଜଣ ଦୁର୍ବୃତ୍ତ। ଦୀର୍ଘ ୧୭ ଦିନ ପରେ ଜଣାପଡ଼ିଛି ଏହି ଘଟଣା।  
 
ପୁଲିସ ଏହି ଘଟଣା ଉପରୁ ପର୍ଦା ହଟାଇଛି। ବର୍ବରତାର ସୀମା ଲଂଘିଥିବା ତିନି ଅଭିଯୁକ୍ତଙ୍କ ଚେହେରା ଓ ସମଗ୍ର ଅପରାଧର ବିବରଣୀ ଲୋକଲୋଚନକୁ ଆସିଛି। ଘଟଣାକୁ ପ୍ରଘଟ ନ କରି ଗୋପନରେ ତଦନ୍ତ ଚଳାଇ ପୁଲିସ ତିନି ଅପରାଧୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଧରିବାରେ ସକ୍ଷମ ହୋଇଛି। ଅପରାଧରେ ବ୍ୟବହୃତ ଇଣ୍ଡିଗୋ କାର (ଓଆର୧୫ଏମ୍‌୨୭୦୦) ଓ ଏକ ନମ୍ବର ବିହୀନ ପଲସର୍‌ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ତିନି ଅଭିଯୁକ୍ତ ବାଲିଗୁଡ଼ା ତୁମୁଡି ସାହିର ରଞ୍ଜିତ ସାହୁ, ଜାମପଦର  ଉଗାମୁଣ୍ଡାର ଅରୁଣ ନାୟକ, ପାସିରପଡ଼ାର ଅରୁଣ ସାହୁଙ୍କୁ ଆଜି ବାଲିଗୁଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଆଜି ସନ୍ଧ୍ୟାରେ ବାଲିଗୁଡା ଥାନାରେ କନ୍ଧମାଳ ଏସ୍‌ପି ପିନାକ ମିଶ୍ର ଓ ବାଲିଗୁଡ଼ା ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
 
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗତ ମାସ ୨୨ ତାରିଖ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଘଟଣା ଦିନ ସନ୍ଧ୍ୟା ୭ଟାରେ ସିନ୍ଧ୍ରିଗାଁ ପଞ୍ଚାୟତ ଅନ୍ତର୍ଗତ  ନିଜ ଗାଁ ଘର ଦାଣ୍ଡରେ ଛାତ୍ରୀ ଜଣକ ଠିଆ ହୋଇଥିଲେ। ଏହି ସମୟରେ ବାଇକରେ ଅରୁଣ ନାୟକ ଓ ଅରୁଣ ସାହୁ ଆସି ତାଙ୍କ ପାଟିକୁ ବନ୍ଦ କରି ଜବରଦସ୍ତି ଉଠାଇ ନେଇଥିଲେ। କାର୍‌ ଠିଆ ହୋଇଥିଲା ବାଲିଗୁଡା ନିକଟ ଖଜୁରୀନାଳ ଠାରେ। କାର୍‌ ଭିତରେ ରଞ୍ଜିତ ସାହୁ ଅପେକ୍ଷା କରିଥିଲା। ବାଇକ୍‌ରେ ନାବାଳିକାଙ୍କୁ ନେଇ ଦୁଇ ଅଭିଯୁକ୍ତ ସେ ସ୍ଥାନରେ ପହଞ୍ଚିଥିଲେ। ବାଇକ୍‌ରୁ ତାଙ୍କୁ ନେଇ କାର୍‌ ଭିତରେ ତିନି ଜଣଯାକ ଗଣଦୁଷ୍କର୍ମ କରିଥିଲେ। ଝିଅଟି ଅଚେତ ହୋଇ ପଡ଼ିବାରୁ ତାଙ୍କୁ ସେଠାରେ ହିଁ ଡୋର୍‌ ଖୋଲି ଫୋପାଡ଼ି ପଳାଇଥିଲେ। ଚେତା ଫେରିବା ପରେ ନାବାଳିକା ଜଣକ ମୁଖ୍ୟ ରାସ୍ତାକୁ ଆସିଥିଲେ। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ କିଛି ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରେ ପହଞ୍ଚାଇ ଥିଲେ। ଘଟଣା ବିଷୟରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ମା’ ଗତ ୨୪ ତାରିଖରେ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ଏ ନେଇ ଥାନାରେ ଆଇପିସି ୩୬୩, ୩୬୬(ଏ), ୩୭୬ (୨)(୧), ୩୮୬(ଡି),୩୨୩/ ୩୪, ପୋକ୍ସୋ ଆକ୍ଟର ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। 
 
ସେତେବେଳେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ପରେ ପୁଲିସ ତାଙ୍କ ବୟାନ ରେକର୍ଡ କରିବା ପରେ ଅପରାଧର ଗୁରୁତ୍ୱ ବିଷୟରେ ଅବଗତ ହୋଇଥିଲା। ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଗୋପନ ଚଢ଼ଉ ଆରମ୍ଭ କରିଥିଲା। ପ୍ରଥମେ ଅରୁଣ ନାୟକକୁ ତା’ ଘରୁ ଦୁଇ ଦିନ ତଳେ ଉଠାଇଥିଲା। ଏହା ପରେ ଅରୁଣ ସାହୁ କଟକ ଯାଉଥିବା ଖବର ପାଇ ପୁଲିସ ଖୋର୍ଧା ଜିଲ୍ଲା ବେଗୁନିଆ ନିକଟରେ ବସ୍‌ ଅଟକାଇ ଉଠାଇ ନେଇଥିଲା। ଆଜି ସକାଳେ ଶେଷ ଅଭିଯୁକ୍ତ ରଞ୍ଜିତ ସାହୁକୁ ଗିରଫ କରା ଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। 

image