18 January 2017
7:06:01 AM
Sambad News
କେନ୍ଦ୍ରାପଡ଼ା

ପୁଣି ଗର୍ଜିଲା ବନ୍ଧୁକ: ୪ରାଉଣ୍ଡ୍‌ ଗୁଳି ଫୁଟାଇ ଦୁର୍ବୃତ୍ତ ଫେରାର

By Sambad | Date: Dec 29 2016 11:25AM
ପୁଣି ଗର୍ଜିଲା ବନ୍ଧୁକ: ୪ରାଉଣ୍ଡ୍‌ ଗୁଳି ଫୁଟାଇ ଦୁର୍ବୃତ୍ତ ଫେରାର

କେନ୍ଦ୍ରାପଡ଼ା: ସପ୍ତାହକ ଭିତରେ ୩ଟି ହତ୍ୟା ଓ ଗୋଟିଏ ଗୁଳିକାଣ୍ଡକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଆଜି ପୁଣି କେନ୍ଦ୍ରାପଡ଼ା ସହରରେ ଗୁଳି ଫୁଟିଛି। ରାତି ସାଢ଼େ ୮ଟା ବେଳେ ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ର ଘରଠାରୁ ମାତ୍ର କେଇମିଟର ଦୂର ରଣପଡ଼ା ପୋଲ ନିକଟରେ ୪ରାଉଣ୍ଡ୍‌ ଗୁଳି ଫୁଟିଛି। ତେବେ, ଗୁଳି ଫୁଟାଇବା ପରେ ୪ଦୁର୍ବୃତ୍ତ ଗରାପୁର ଦିଗକୁ ଫେରାର୍‌ ହୋଇଯାଇଥିବା ବେଳେ ଯେଉଁ ଦୁଇଜଣଙ୍କ ଉପରକୁ ଗୁଳି ଚଳାଇଥିଲେ ସେ ଦୁହେଁ ରଣପଡ଼ା ଶ୍ମଶାନ ଦିଗକୁ ଫେରାର୍‌ ହୋଇଯାଇଛନ୍ତି। ଦୁଇଜଣଙ୍କ ଭିତରୁ ଜଣଙ୍କ ପାଦରେ ଗୁଳି ବାଜିଛି ଓ ଧରା ପଡ଼ିବା ଭୟରେ ସେ ଖସି ପଳାଇଛି ବୋଲି କୁହାଯାଉଛି।
 

ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଗୋବରୀ ନଦୀର ରଣପଡ଼ା ପୋଲ ନିକଟରେ ୬ଜଣ ଯୁବକ ଠେଲାପେଲା ଓ ଧକ୍‌କା ମରାମରି ହେଉଥିଲେ। ପାଖାପାଖି ୧୦ମିନିଟ୍‌ ଧରି ସେମାନେ ଧକ୍‌କା ମରାମରି ହେଉଥିଲେ ବି ଗେଲ ତାମ୍‌ସା ହେଉଛନ୍ତି ଭାବି ସେଥିପ୍ରତି କେହି ଗୁରୁତ୍ଵ ଦେଇନଥିଲେ। ହେଲେ, ହଠାତ୍‌ ସେମାନଙ୍କ ଭିତରୁ ଜଣେ ନିଜ ଅଣ୍ଟାରୁ ମାଉଜର୍‌ କାଢ଼ି ଅପରପକ୍ଷର ଦୁଇଜଣ ଯୁବକଙ୍କ ଉପରକୁ ଚଳାଇଥିଲା।

୪ରାଉଣ୍ଡ୍‌ ଗୁଳି ଫୁଟିଥିଲେ ବି ତାହା ଅପରପକ୍ଷର କାହା ଦେହରେ କିଛି ଗୁଳି ବାଜିନଥିଲା। ଏହା ଭଲ୍‌ବଶତଃ ଘଟିଥିଲା ଅଥବା ଜାଣୁଶୁଣି କେବଳ ଅପରପକ୍ଷକୁ ଡ଼ରାଇବା ପାଇଁ ସେ ଏଭଳି କରିଥିଲା ତାହା ଜଣା ପଡ଼ିନଥିଲା।

ଏହା ପରେ ଗୁଳି ଫୁଟାଇଥିବା ଯୁବକଙ୍କ ସମେତ ୪ଜଣ ଦୁଇଟି ମଟରସାଇକଲରେ ଗରାପୁର ଦିଗକୁ ଫେରାର୍‌ ହୋଇ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ୨ଜଣ ଯୁବକ ଅନ୍ୟ ଏକ ବାଇକ୍‌ରେ ରଣପଡ଼ା ଶ୍ମଶାନ ଦିଗକୁ ପଳାଇଥିଲେ। ସେମାନଙ୍କ ଭିତରୁ ଜଣଙ୍କ ପାଦରେ ଗୋଟିଏ ରାଉଣ୍ଡ୍‌ ଗୁଳି ବାଜିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଥିଲେ ହେଁ ସମସ୍ତେ ଫେରାର୍‌ ହୋଇ ଯାଇଥିବାରୁ କେହି ଆହତ ହୋଇଛନ୍ତି କି’ ନାହିଁ ତାହା ସ୍ପଷ୍ଟ ହୋଇ ପାରିନି।

ତେବେ, ଗତ ସପ୍ତାହେ ହେଲା ଅପରାଧୀମାନେ ଜିଲ୍ଲାସାରା ତାଣ୍ଡବ ଚଳାଇବା ସହିତ ୩ଟି ହତ୍ୟାକାଣ୍ଡ ଓ ୨ଟି ଗୁଳିକାଣ୍ଡ ଘଟାଇଥିବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ୍‌