28 March 2017
5:50:47 AM
Sambad News
କେନ୍ଦ୍ରାପଡ଼ା

ଆଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ : ପ୍ରେମ ପାଇଁ ବନ୍ଧୁ ସାଜିଲେ ବଇରୀ, ୨ ଅଭିଯୁକ୍ତ ଗିରଫ

By Sambad | Date: Dec 30 2016 11:29PM
ଆଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ : ପ୍ରେମ ପାଇଁ ବନ୍ଧୁ ସାଜିଲେ ବଇରୀ, ୨ ଅଭିଯୁକ୍ତ ଗିରଫ

ଆଳି : କେନ୍ଦ୍ରାପଡ଼ା ଜିଲ୍ଳା ଆଳି ଥାନା ସିଙ୍ଗିରି ପଞ୍ଚାୟତର ଅରବିନ୍ଦ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅରବିନ୍ଦଙ୍କ ଦୁଇ ବନ୍ଧୁ ତାଙ୍କୁ ବୀଭତ୍ସ ଭାବେ କଟୁରୀରେ ହାଣି ହତ୍ୟା କରିଥିଲେ ବୋଲି ପୁଲିସ କହିଛି।  ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସଂଜୟ ବିଶ୍ୱାଳ ଓ ଦେବାଶିଷ ବିଶ୍ୱାଳ। 
 
ପୁଲିସ୍‌ର ସୂଚନା ଅନୁସାରେ, ସିଙ୍ଗିରି ପଞ୍ଚାୟତ ପତ୍ରପୁର  ଗ୍ରାମର ଅରବିନ୍ଦ, ସଂଜୟ ଓ ଦେବାଶିଷ  ୩ ସାଙ୍ଗ। ଗ୍ରାମର ଜଣେ ନାବାଳିକାଙ୍କ ସହ ଅରବିନ୍ଦଙ୍କ ପ୍ରେମ ସମ୍ପର୍କ ଥିଲା। ହେଲେ  ସଂଜୟ ଉକ୍ତ ନାବାଳିକାକୁ ଏକତରଫା ଭଲ ପାଉଥିଲେ। ଅବରିନ୍ଦ ତାଙ୍କ ବାଟରେ କଣ୍ଟା ହୋଇ ଛିଡ଼ା ହେବାରୁ ତାଙ୍କୁ ସବୁଦିନ ପାଇଁ ହଟାଇବାକୁ ସଂଜୟ ଯୋଜନା  କରିଥିଲେ। ଦେବାଶିଷଙ୍କ ସହ  ମିଶି  ଗତ ମଙ୍ଗଳବାର ଅରବିନ୍ଦଙ୍କୁ ହତ୍ୟା କରିବାକୁ ମନସ୍ଥ କରିଥିଲେ। 
 
ବୁଲିବା ବାହାନାରେ ଦେବାଶିଷ ଓ ସଂଜୟ ଅରବିନ୍ଦଙ୍କୁ ଡାକି ବିଲିକଣା-ବାଙ୍କେଶ୍ୱର ନିକଟ ନଦୀବନ୍ଧକୁ ଯାଇଥିଲେ।  ପୂର୍ବ ଯୋଜନା ମୁତାବକ ସେଠାରେ ବାଙ୍ଗାଲୋର୍‌ରୁ କିଣିଥିବା ଏକ କଟୁରୀରେ ଅତ୍ୟନ୍ତ ବୀଭତ୍ସ ଭାବେ ଅରବିନ୍ଦଙ୍କ ମୁଣ୍ଡ, ହାତକୁ ହାଣି ହତ୍ୟା କରିଥିଲେ। ଏଭଳି ଶକ୍ତ ଚୋଟ ମାରିଥିଲେ, ମୁଣ୍ଡରୁ ଖପୁରୀ କଟି ବସ ବାହାରି ପଡ଼ିଥିଲା। ମୃତ ଶରୀର ନିକଟରେ ମଦ ବୋତଲ, ଗ୍ଲାସ ଓ ଅରବିନ୍ଦଙ୍କ ଚପଲ ସଜଡା ହୋଇ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା।
 
ମାରାଥନ ଜେରା ପରେ ପୁଲିସ ନିକଟରେ ସଂଜୟ ଓ ଦେବାଶିଷ ସମସ୍ତ କଥା ସ୍ୱୀକାର କରିଥିଲେ। ହତ୍ୟାକାରୀଙ୍କ ଘର ନିକଟସ୍ଥ ଏକ କଣ୍ଟାବୁଦାରୁ  ପୁଲିସ ରକ୍ତଲଗା ତେଲେଙ୍ଗା କଟୁରୀ ଜବତ କରିଛି।  ଏ ନେଇ ମାମଲା(୨୭୮/୧୬)ରୁଜୁ କରାଯାଇଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ଉମାଶଙ୍କର ମହାରଣା ସୂଚନା ଦେଇଛନ୍ତି।
 
ସୂଚନା ଥାଉ କି, ଗତ ଜୁନ ୮ ତାରିଖରେ ସିଙ୍ଗିରି ସରପଂଚ ଚିତ୍ରସେନ ଦାସଙ୍କୁ ହତ୍ୟା, ଏହି ମାସ ୧୦ ତାରିଖରେ ବଉଳଯୋଡି ଗ୍ରାମର ରାଧାଶ୍ୟାମ ବିଶ୍ୱାଳ ହତ୍ୟା ଘଟଣା ମନରୁ ନଲିଭୁଣୁ ଅରବିନ୍ଦ ହତ୍ୟା ଘଟଣା ଆତଙ୍କର ବାତାବରଣ ଖେଳାଇ ଦେଇଛି। ଚିତ୍ରସେନ ଓ ରାଧାଶ୍ୟାମ ହତ୍ୟା ଘଟଣାରେ ପୁଲିସ ହାତ ଏ ପର୍ଯ୍ୟନ୍ତ ଖାଲି ରହିଛି।