19 September 2017
5:16:19 PM
Sambad News
କେନ୍ଦ୍ରାପଡ଼ା

ପଲିଟେକ୍‌ନିକ ଛାତ୍ରଙ୍କୁ ହତ୍ୟା!

By Sambad | Date: Jan 1 2017 11:29PM
ପଲିଟେକ୍‌ନିକ ଛାତ୍ରଙ୍କୁ ହତ୍ୟା!

କେନ୍ଦ୍ରାପଡ଼ା/ଡ଼େରାବିଶ : ନୂଆବର୍ଷ ପାଳନ ହେଉଥିବା ବେଳେ ଡେରାବିଶ ବ୍ଲକ ଅନ୍ତର୍ଗତ ଛତା ପଲିଟେକ୍‌ନିକର ଜଣେ ଦ୍ଵିତୀୟବର୍ଷ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପଙ୍ଖାରେ ଓହଳିଥିବା ଏହି ଛାତ୍ରଙ୍କ ଶବ ନିକଟରୁ ଏକ ଆତ୍ମହତ୍ୟା କାଗଜ ମିଳିଥିବା ବେଳେ ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ସାଙ୍ଗମାନେ ଡକାଇ ସଙ୍ଗବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଶବଟିକୁ ଜବତ୍‌ କରି ବ୍ୟବଚ୍ଛେଦ କରାଇବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। 
 
ମାହାଙ୍ଗା ଥାନା ଅନ୍ତର୍ଗତ ପସରୁଣ୍ଡା ଗାଁର ଯୋଗେନ୍ଦ୍ରନାଥ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଛତା ପଲିଟେକ୍‌ନିକ୍‌ରେ ଦ୍ଵିତୀୟବର୍ଷ ମେକାନିକାଲ ଛାତ୍ର ଭାବେ ଅଧ୍ୟୟନ କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସେ ରହୁଥିବା ହଷ୍ଟେଲ କୋଠରିର ପଙ୍ଖାରେ ଓହଳିଥିବା ଦେଖିବାକୁ ମିଳିଥିଲା। ଘରକୁ ଖବର ଦିଆଯିବା ପରେ ପରିବାର ପକ୍ଷରୁ ଭିନ୍ନ ଅଭିଯୋଗ କରାଯାଇଛି। ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜ୍ୟୋତିରଞ୍ଜନଙ୍କୁ ତାଙ୍କ ବନ୍ଧୁମାନେ ଟେଲିଫୋନ୍‌ କରି ଡକାଇ ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ପୁଲିସରେ ଅଭିଯୋଗ କରିଛନ୍ତି। 
 
ଗତକାଲି ରାତିରେ ଜ୍ୟୋତିରଞ୍ଜନଙ୍କୁ ଦେବବ୍ରତ ନାମକ ତାଙ୍କର ଜଣେ ସାଙ୍ଗ ଫୋନ୍‌ କରି ଡକାଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପଙ୍ଖାରେ ଓହଳିଥିବା ଜ୍ୟୋତିରଞ୍ଜନଙ୍କ ଗୋଡ଼ ଘରର ଚଟାଣକୁ ଲାଗିଥିବାରୁ ତାଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ମୃତ ଜ୍ୟୋତିରଞ୍ଜନ ‘ସୁଇସାଇଡ୍‌ ନୋଟ୍‌’ ଛାଡ଼ିଥିବାରୁ ଏହା ପଛରେ ହତ୍ୟା ଉଦ୍ଦେଶ୍ୟ ଥିବାର ସ୍ୱଳ୍ପ ସମ୍ଭାବନା ରହିଛି ବୋଲି ତଦନ୍ତ କରୁଥିବା ପୁଲିସ ଅଧିକାରୀ ଅନୁମାନ କରୁଛନ୍ତି।

image