25 March 2017
3:23:44 AM
Sambad News
କେନ୍ଦ୍ରାପଡ଼ା

ମାଟି ମାଫିଆଙ୍କ କବଳରେ ନଦୀଶଯ୍ୟା

ଦୁର୍ବଳ ହେଉଛି ନଦୀବନ୍ଧ

By Sambad | Date: Jan 5 2017 11:19AM
ମାଟି ମାଫିଆଙ୍କ କବଳରେ ନଦୀଶଯ୍ୟା

ଆଳି: ଆଳି ତହସିଲ ଇଲାକାକୁ ଚାରି ପଟୁ ଘେରି ରହିଛି ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ। ଅଂଚଳର ଚାଷ ଜମିକୁ ଜଳ ନିୟନ୍ତ୍ରଣ ଓ ୨୧ଟି ପଂଚାୟତକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଆଲୋଚ୍ୟ ନଦୀ କଡେକଡେ ନିର୍ମିତ ହୋଇଛି ଆଳି ରିଂ ବନ୍ଧ। ଧୋୟାଂଚଳର ୧୧ ଗ୍ରାମ ପଂଚାୟତ ବାଦ୍‌ ଅନ୍ୟ ୨୧ ପଂଚାୟତ ପାଇଁ ଏହି ରିଂ ବନ୍ଧ ସୁରକ୍ଷା ବଳୟ ଭାବେ କାର୍ଯ୍ୟ କରୁଛି। ବେଆଇନ ଭାବେ ଉକ୍ତ  ନଦୀ ଶଯ୍ୟାରୁ ମାଟି, ବାଲି ଉଠାଣ ଯୋଗୁ ଆଳି ରିଂ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ରିଂ ବନ୍ଧ ପ୍ରତି ବିପଦ ସୁରକ୍ଷା ବଳୟ ମଧ୍ୟରେ ଥିବା ଲକ୍ଷାଧିକ ଅଧିବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି।

ସଂପୃକ୍ତ ନଦୀ ଶଯ୍ୟା ମାନଙ୍କରୁ ପ୍ରତ୍ୟହ ଜେସିବିରେ ମାଟି,ବାଲି ଖୋଳା ଯାଇ ଗାଡି,ଗାଡି ମାଟି ବୁହା ଚାଲିଛି। ମନ ଇଚ୍ଛା ବାଲି,ମାଟି ଉଠାଣ ବନ୍ଧକୁ ଦୁର୍ବଳ କରାଯାଉ ଥିବା ବେଳେ ଟ୍ରାକ୍ଟର,ଜେସିବି ଯାତାୟତ ପାଇଁ ବନ୍ଧକୁ ବହୁ ସ୍ଥାନରେ କଟା ଯାଇ ଗଡାଣି କରାଯାଇଛି। ଏଥିଯୋଗୁ ବନ୍ଧ ପ୍ରତି ବିପଦ ଦେଖା ଦେଇଛି। ମାଫିଆମାନେ ଘର ତିଆରି, ରାସ୍ତା ନିର୍ମାଣ ଓ ଇଟା ଭାଟି ପାଇଁ ବାଲି,ମାଟି ବିକ୍ରି କରି ମାଲାମାଲ ହେଉଥିବା ଅଭିଯୋଗ ଉଠୁଛି।

ଏହାବାଦ ନଦୀଶଯ୍ୟାରେ ବନ୍ଧ କଡେ,କଡେ ମଧ୍ୟ ବେଆଇନ ଭାବେ ଚାଲିଛି ଶହ,ଶହ ଇଟା ଭାଟି। ନଦୀ କୂଳବର୍ତ୍ତୀ ସାହୁପଡା, ଦଶିପୁର, ଟୁଙ୍ଗା, ବଉଳଯୋଡି, ଗୋବିନ୍ଦପୁର, ଜୁଆଣିଆ, ସଂସିଧା, ନରେନ୍ଦ୍ର ପୁର, ସାନମଙ୍ଗ, ଭୂଇଁପୁର, ପଦନୀପାଳ ଗାଁ ଗୁଡିକ ନିକଟରେ ବେଆଇନ ମାଟି ଉଠା ଚାଲିଛି, ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବନ୍ଧ ଦାୟିତ୍ୱରେ ଥିବା ଆଳି ଜଳସେଚନ ବିଭାଗ ନିଜ ଉପରୁ ଦାୟିତ୍ୱ ହଟାଇ ଦେଇ ବନ୍ଧର ସୁରକ୍ଷା ଦାୟିତ୍ୱ ତାଙ୍କର ମାତ୍ର ବାଲି,ମାଟି ଉଠାଣ ରୋକିବା ଦାୟିତ୍ୱ ରାଜସ୍ୱ ବିଭାଗର ବୋଲି କହୁଛନ୍ତି।

ବେଆଇନ ମାଟି ଉଠାଣ ସଂପର୍କରେ ଆଳି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁଙ୍କୁ ପଚାରିବାରୁ ସେ କହିଲେ, ବେଆଇନ ମାଟି,ବାଲି ଉଠାଣ ନେଇ ଅଭିଯୋଗ ପାଇଛନ୍ତି, ଗତ ୨ ତାରିଖ ଦିନ ପଦନୀପାଳ ନଦୀ ପଠାରେ ଚଢାଉ କରାଯାଇ ବେଆଇନ ବାଲି ଉଠାଣ କରୁଥିବା ଗୋଟିଏ ଜେସିବି ଓ ୪ ଟି ଟ୍ରାକ୍ଟର ଜବତ କରାଯାଇ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହ ଏହି ବେଆଇନ କାରବାର ସଂପର୍କରେ ତୁରନ୍ତ ରିପୋର୍ଟ ଦେବା ପାଇଁ ସମସ୍ତ ରାଜସ୍ୱ ନୀରିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଭୂୟାଁ କହିଛନ୍ତି। ତେବେ ସେ ଯାହା ହେଉନା କାହିଁକି ବେଳ ଥାଉଥାଉ ମାଟି ମାଫିଆଙ୍କ କବଳରୁ ନଦୀ ଶଯ୍ୟାକୁ ରକ୍ଷା କରା ନ ଗଲେ ବନ୍ୟା ବେଳେ କେତେବେଳେ ଯେ ନଦୀ ବନ୍ଧ ଭୂଶୁଡି ଜନଜୀବନ ଉଜୁଡି ଯିବ ତାହା କହି ହେବନାହିଁ।