18 January 2017
7:35:27 PM
Sambad News
କେନ୍ଦ୍ରାପଡ଼ା

ନିର୍ବାଚନ ପାଇଁ ଟ୍ରଲି ଚାଳକଙ୍କ ଆତ୍ମହତ୍ୟା!

ପରିବାର ବାରଣ କରିବାରୁ ଗଛରେ ଝୁଲିଲେ

By Sambad | Date: Jan 6 2017 11:35PM
ନିର୍ବାଚନ ପାଇଁ ଟ୍ରଲି ଚାଳକଙ୍କ ଆତ୍ମହତ୍ୟା!

କେନ୍ଦ୍ରାପଡ଼ା : ପରିବାରର ବାରଣ ଯୋଗୁ ପଂଚାୟତ ନିର୍ବାଚନର ଜଣେ ଆଶାୟୀ ପ୍ରାର୍ଥୀ ଆଜି ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ରାପଡ଼ା ବ୍ଳକ୍‌ ଅନ୍ତର୍ଗତ ଗୁଲନଗରଠାରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା  ଘଟିଛି। 
 
ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ପେସାରେ ଜଣେ ଟ୍ରଲି ଚାଳକ। ତାଙ୍କ ନାଁ  ନବଘନ ମଲିକ। ନବଘନ ଏଥରକ  ଗୁଲନଗର ପଂଚାୟତ ଅନ୍ତର୍ଗତ ୧୦ ନମ୍ବର ଓ୍ଵାର୍ଡ଼ରେ ଓ୍ଵାର୍ଡ଼ମେମ୍ବର ଭାବେ ଠିଆ ହେବା ପାଇଁ ମନ ବଳାଇଥିଲେ। ଗତକାଲି ସେ ଘରଲୋକ ଓ ସମ୍ପର୍କୀୟଙ୍କୁ ମନକଥା କହିଥିଲେ ଏବଂ ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। ମାତ୍ର, ଘର ଲୋକ କାଗଜପତ୍ର ଦେବା ପାଇଁ ସିଧାସିଧା ମନା କରି ଦେଇଥିଲେ। ଏହାକୁ ନେଇ ଗତକାଲିଠାରୁ ନବଘନ ଚିନ୍ତାରେ ଥିଲେ।   ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ଫାଶୀ ଲଗାଇ  ସେ ଆତ୍ମହତ୍ୟା କରି ଦେଇଥିଲେ। ଫାଶୀଲଗା ଦେହ ଗଛରେ ଓହଳିଥିବା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ନେଇ ଆସିଥିଲେ। ମାତ୍ର, ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। 
 
ନିର୍ବାଚନ ପାଇଁ ଜଣେ ଲୋକ ଆତ୍ମହତ୍ୟା କରିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିନାହାନ୍ତି। ଆଜିକାଲି ରାଜନୀତିରେ ପଶିବାକୁ ସାଧାରଣ ଲୋକେ ଅମଙ୍ଗ ହେଉଥିବାବେଳେ ନବଘନ ଏ ନେଇ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପରିବାର ଲୋକଙ୍କ କହିବାନୁସାରେ, ଘରର ପରିସ୍ଥିତି ଓ ତାଙ୍କ ରୋଜଗାରକୁ ଦୃଷ୍ଟି ରଖି ସେମାନେ ନିର୍ବାଚନରେ ନ ଠିଆ ହେବା ପାଇଁ କହିଥିଲେ।