29 March 2017
2:47:39 PM
Sambad News
କେନ୍ଦ୍ରାପଡ଼ା

ସିଙ୍ଗିରି ସରପଞ୍ଚ ହତ୍ୟା ଘଟଣା : କୋଲକତାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

By Sambad | Date: Jan 9 2017 12:42AM
ସିଙ୍ଗିରି ସରପଞ୍ଚ ହତ୍ୟା ଘଟଣା : କୋଲକତାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ/ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଧୀନ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସଙ୍କୁ କ୍ରାଇମବ୍ରାଞ୍ଚ କୋଲକତାର ସାହାଗଞ୍ଜ ଅଞ୍ଚଳରୁ ଶୁକ୍ରବାର ସକାଳେ ଗିରଫ କରିଛି। ଆଜି ତାଙ୍କୁ ଓଡ଼ିିଶା ଅଣାଯାଇଛି। ଆସନ୍ତାକାଲି ତାଙ୍କୁ ଆଳିର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ତାକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। 

 
ସୂଚନା ଥାଉ କି, ୨୦୧୬ ଜୁନ ୮ ତାରିଖ ସକାଳେ ସରପଞ୍ଚ ଶ୍ରୀ ଦାସଙ୍କୁ ଜନଗହଳି ପୂର୍ଣ କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ନିକଟରେ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ସଂଘବଦ୍ଧ ଭାବେ ତାଙ୍କୁ ଗୋଡାଇ ଗୋଡାଇ ଲୁହା ରଡ୍‌, ଲୁହା ପାଇପ ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଆଳି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଥିଲା।  ହତ୍ୟାକାଣ୍ଡର ୩ ମାସ ପରେ ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୬ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବାରେ କ୍ରାଇମବ୍ରାଞ୍ଚର ବିଳମ୍ବ ଯୋଗୁ ଗତ ଡିସେମ୍ବର ୮ତାରିଖରେ ସିଙ୍ଗିରିର ନେତୃ ସ୍ଥାନୀୟ ଲୋକେ ବୈଠକ କରି   ପଞ୍ଚାୟତ ନିର୍ବାଚନ ବର୍ଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। 
 
ଶୁକ୍ରବାର କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ କୋଲକତାରୁ ଗିରଫ କରିଛି। କ୍ଷୀରୋଦଙ୍କ ଗିରଫଦାରୀ ଘଟଣାରେ ନିହତ ଚିତ୍ରସେନଙ୍କ ଦାଦା କ୍ଷୀରୋଦ ଓ ପତ୍ନୀ ଲତାଶ୍ରୀ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଘଟଣା ଆମକୁ ଆଶ୍ୱସ୍ତ କରିଛି।