28 May 2017
5:58:49 PM
image
Sambad News
ରାଜ୍ୟ

ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ବି ବିଧବାଙ୍କୁ ମିଳିଲାନି ନ୍ୟାୟ

୧୫ଦିନିଆ ନିର୍ଦେଶକୁ ୩ ମାସ ବିତିଲା, ମୃତ ବ୍ୟକ୍ତିଙ୍କ ଦସ୍ତଖତରେ ଜମି ବଦଳି ଥିଲା

By Sambad | Date: Jan 9 2017 6:35AM
ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ବି ବିଧବାଙ୍କୁ ମିଳିଲାନି ନ୍ୟାୟ

କେନ୍ଦ୍ରାପଡ଼ା : ଡେରାବିଶ ବ୍ଲକ୍‌ କନ୍ଦରପୁରର ଜଣେ ବିଧବାଙ୍କୁ ୧୫ ଦିନ ମଧ୍ୟରେ ନ୍ୟାୟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରାଷ୍ଟ୍ରପତିଙ୍କ ଅଫିସ୍‌ ପକ୍ଷରୁ ନିର୍ଦେଶ ଦିଆଯାଇଥିଲେ ହେଁ ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଇତିମଧ୍ୟରେ ୩ ମାସ ବିତିଗଲାଣି। ଅଥଚ ଭାରତର ପ୍ରଥମ ନାଗରିକଙ୍କ ନିର୍ଦେଶକୁ କ’ଣ ପାଇଁ ପ୍ରଶାସନ ପକ୍ଷରୁ ଚାପି ରଖାଯାଇଛି ସେନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ପ୍ରଶାସନ କାହିଁକି ଏଭଳି ପଛଘୁଞ୍ଚା ଦେଉଛି ତାହା ବୁଝାପଡ଼ୁନାହିଁ। ଯାହାକି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। 
 
ଡ଼େରାବିଶ ତହସିଲ କନ୍ଦରପୁର ମୌଜାର ଏକ ଜମି ଉପରେ ଡ଼େରାବିଶ ତହସିଲଦାର ଦାଖଲ ଖାରଜ କେସ୍‌(ନଂ-୨୦/୧୫) କରି ନୋଟିସ୍‌ ଜାରି କରାଯାଇଥିଲା। ଜମିର ମାଲିକାନାକୁ ନେଇ ସେହି ମୌଜାର ସୁମିତ୍ରା ପରିଡ଼ା ଓ ରବୀନ୍ଦ୍ର ପରିଡ଼ା ପ୍ରମୁଖ ଦାବିଦାର ଥିଲେ ଓ ଜମି ସହିତ ସେମାନେ ସଂଶ୍ଳିଷ୍ଟ ବି ଥିଲେ। ହେଲେ, ଦାଖଲ ଖାରଜ ନୋଟିସ୍‌ ଜାରି କରିବା ବେଳେ ଡ଼େରାବିଶ ତହସିଲ କର୍ତ୍ତୃପକ୍ଷ କେବଳ ଦାମୋଦର ଓ ରବୀନ୍ଦ୍ରଙ୍କୁ ନୋଟିସ୍‌ ଜାରି କରିଥିଲେ ବି ନିୟମ ମୁତାବକ ସୁମିତ୍ରା ଓ ଏହି ଅଞ୍ଚଳରୁ ସର୍ବସାଧାରଣଙ୍କୁ ନୋଟିସ୍‌ ଜାରି କରିନଥିଲେ। ତା’ ଛଡ଼ା, ୨୦୧୫ ଡିସେମ୍ବର ମାସରେ ଜାରି କରାଯାଇଥିବା ଏହି ନୋଟିସ୍‌ର ତାରିଖଟିକୁ ଜାଣିଶୁଣି ଡବଲ୍‌ ଲେଖାଯାଇଥିଲା ଯାହା ୧୨ ତାରିଖ କିମ୍ବା ୧୯ତାରିଖ ବୋଲି ସ୍ପଷ୍ଟ ବୁଝା ପଡ଼ିଲା ନାହିଁ। ତେବେ, ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଯେ, ନୋଟିସ୍‌ରେ ଦସ୍ତଖତ କରିଥିବା ରବୀନ୍ଦ୍ର ପରିଡ଼ା ପାଖାପାଖି ୨ବର୍ଷ ତଳୁ ମୃତ୍ୟୁବରଣ କରି ସାରିଥିଲେ ବି ତାଙ୍କ ନିକଟରୁ ଦସ୍ତଖତ ନିଆଯାଇ କିସମ ବଦଳିଥିଲା। ତହସିଲ୍‌ର ପିଅନ ଗୋଲଖ ପ୍ରସାଦ ଦାସ ତାଙ୍କୁ ନୋଟିସ୍‌ ଜାରି କରି ଦସ୍ତଖତ ଆଣିଥିବା ଲିଖିତ ଭାବେ ଜଣାଇଥିଲେ।
 
ଏ ଘଟଣା ଜଣାପଡ଼ିବା ପରେ ସୁମିତ୍ରାଙ୍କ ପରିବାର ପକ୍ଷରୁ ଡ଼େରାବିଶ ତହସିଲରେ ଅଭିଯୋଗ କରାଯାଇଥିଲା। ହେଲେ, ଚକ୍ରବ୍ୟୁହରେ ଫଶି ଯାଇଥିବା ଡ଼େରାବିଶ ତହସିଲ କର୍ତ୍ତୃପକ୍ଷ ଏହା ଉପରେ କୌଣସି ପଦକ୍ଷେପ ନେଇ ନଥିଲେ। ତହସିଲରେ ହୋଇଥିବା ଏହି ତ୍ରୁଟିର ସଂଶୋଧନ ଆଉ ତହସିଲରେ ନ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ ବୋଲି ସୁମିତ୍ରାଙ୍କ ପରିବାର ଏ ନେଇ କେନ୍ଦ୍ରାପଡ଼ା ଉପ-ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଲେ। ଉପ-ଜିଲ୍ଲାପାଳଙ୍କ ଅଦାଲତରୁ ନ୍ୟାୟ ନମିଳିବାରୁ ସୁମିତ୍ରା ବାଧ୍ୟହୋଇ ଏ ନେଇ ରାଜସ୍ୱ ପର୍ଷଦର ସଭ୍ୟଙ୍କ ନିକଟରେ ଗୁହାରି କରିଥିଲେ। ଏଠାରେ ସୁମିତ୍ରା ଆଉ ଏକ ସମସ୍ୟାରେ ପଡ଼ିଗଲେ। କେନ୍ଦ୍ରାପଡ଼ାର ଯେଉଁ ଅଧିକାରୀଙ୍କ ନିକଟରୁ ନ୍ୟାୟ ମିଳି ନଥିଲା ରାଜସ୍ୱ ପର୍ଷଦଙ୍କ ନିର୍ଦେଶରେ ବିଚାର କରି ସଂଶୋଧନ ଦାୟିତ୍ଵ ପାଇଥିବା ଅଧିକାରୀ ତାଙ୍କର ଘନିଷ୍ଠ ଥିଲେ। ସେଠୁ ମଧ୍ୟ ନ୍ୟାୟ ମିଳିବାର ସମ୍ଭାବନା ଆପଣାଛାଏଁ କ୍ଷୀଣ ହୋଇଗଲା। 
 
ସବୁଠାରୁ ନିରାଶ ହେବା ପରେ ଗତ ୨୦୧୬ ଜୁନ୍‌ ୨୨ତାରିଖ ଦିନ ସୁମିତ୍ରା ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଏହାକୁ ନେଇ ଗୁହାରି କଲେ। ସୁମିତ୍ରାଙ୍କ ଆବେଦନକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗ୍ରହଣ କରି ତୁରନ୍ତ ଏ ଦିଗରେ ପଦକ୍ଷପ ନେବା ପାଇଁ ଜୁଲାଇ ୫ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଗଲା। ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରୁ ମଧ୍ୟ ରାଜସ୍ୱ ଉପ-ଶାସନ ସଚିବଙ୍କୁ ନିର୍ଦେଶ ମିଳିଲା ଓ ତାଙ୍କ ନିକଟରୁ ନିର୍ଦ୍ଦେଶ ପହଞ୍ଚିଲା ଆସି କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ। ସେପ୍ଟେଟର ୧୪ରେ ଆସିଥିବା ଏହି ପତ୍ର(ନଂ-ଏସ୍‌ଏମ୍‌-୯୯/୨୦୧୬-୨୮୪୦୩)କୁ ‘ଅତି ଜରୁରି’ ଭାବେ ଗ୍ରହଣ କରି ୧୫ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଥିଲା। ହେଲେ, ୧୫ଦିନ କ’ଣ, ପତ୍ର ମିଳିବାକୁ ଏହା ଭିତରେ ତିନିମାସ ବିତିଥିଲେ ବି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୁମିତ୍ରାଙ୍କ ସମସ୍ୟା ଶୁଣିବା ପାଇଁ ଡକରା ବି ମିଳିନାହିଁ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥାଯେ, ସୁମିତ୍ରାଙ୍କ ସମ୍ପର୍କରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଗଡ଼ି ଗଡ଼ି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ପତ୍ରଟି ବି ଏଯାବତ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ ନଜରକୁ ବି ଆସିନାହିଁ। 
 
ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସେ ଜାଣିଥିଲେ ମାତ୍ର ୫ଦିନ ଭିତରେ ପଦକ୍ଷେପ ନେଇଥାଆନ୍ତେ। ହେଲେ, ତାଙ୍କ ନଜରକୁ ଏଯାବତ୍‌ କେହି ଚିଠିଟି ଆଣିନାହାନ୍ତି ବୋଲି ସେ କହିଛନ୍ତି। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜସ୍ୱ ଉପ ସଚିବଙ୍କ ନିକଟରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗତ ସେପ୍‌ଟେମ୍ବର ୧୪ ତାରିଖରେ ଆସିଥିବା ଚିଠିଟି କେଉଁଆଡ଼େ ଗଲା ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

image