23 February 2017
8:15:49 AM
Sambad News
କେନ୍ଦ୍ରାପଡ଼ା

ମହାକାଳପଡ଼ାରେ ବାର୍ଡ୍‌ ଫ୍ଲୁ : ୨ ଦିନରେ ୧୮୦ କୁକୁଡ଼ା ମୃତ

By Sambad | Date: Jan 1 2017 11:11PM
ମହାକାଳପଡ଼ାରେ ବାର୍ଡ୍‌ ଫ୍ଲୁ : ୨ ଦିନରେ ୧୮୦ କୁକୁଡ଼ା ମୃତ

କେନ୍ଦ୍ରାପଡ଼ା/ମହାକାଳପଡ଼ା : ମହାକାଳପଡ଼ାରେ ବାର୍ଡ୍‌ ଫ୍ଲୁ’ ବ୍ୟାପିଛି। ମାତ୍ର ଦୁଇଦିନ ଭିତରେ ଗୋଟିଏ ଫାର୍ମ୍‌ର ୧୮୦ଟି କୁକୁଡ଼ା ମୃତ୍ୟୁବରଣ କରିଛନ୍ତି। ମୃତ କୁକୁଡ଼ାଗୁଡ଼ିକୁ ଫାର୍ମ୍‌ର ମାଲିକ ଘର ପଛପଟେ ଫୋପାଡ଼ି ଦେବା ପରେ ସେଗୁଡ଼ିକୁ କୁକୁର ଖାଇଯାଇଛନ୍ତି। ଏହାଦ୍ଵାରା ସେମାନେ ରୋଗାକ୍ରାନ୍ତ ହେବାର ଭୟ ଦେଖାଦେଇଛି। ଫାର୍ମ୍‌ରେ ବଞ୍ଚିଥିବା ଅନ୍ୟ କୁକୁଡ଼ାଙ୍କୁ କେମିତି ବଞ୍ଚାଇବେ ସେ ନେଇ ମାଲିକ ଚିନ୍ତାରେ ପଡ଼ିଯାଇଛନ୍ତି। 
 
ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଖରିନାସୀର ପ୍ରଭାସ ମଣ୍ଡଳଙ୍କ ଫାର୍ମ୍‌ରେ ୩ ଦିନ ତଳେ ୨୨୦ଟି କୁକୁଡ଼ା ଥିଲେ। ଦୁଇଦିନ ତଳେ ହଠାତ୍‌ ତା’ ଭିତରୁ କିଛି କୁକୁଡ଼ା ଝିମାଇବା ଆରମ୍ଭ କରିଥିଲେ। ସେମାନଙ୍କୁ ଚିକିତ୍ସା କରିଥିଲେ ବି ଗତ ୩୦ ତାରିଖ ଦିନ ହଠାତ୍‌ ୮୦ଟି କୁକୁଡ଼ା ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ପ୍ରଭାସ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପରଦିନ ଅର୍ଥାତ୍‌ ଡିସେମ୍ବର ୩୧ତାରିଖ ଦିନ ଆଉ ୧୦୦ଟି କୁକୁଡ଼ା ମରି ଯାଇଥିଲେ। ମୃତ କୁକୁଡ଼ାଙ୍କ ଦେହରୁ ଅନ୍ୟ କୁକୁଡ଼ାଙ୍କୁ ରୋଗ ବ୍ୟାପିବା ଭୟରେ ପ୍ରଭାସ ସେମାନଙ୍କ ମୃତଦେହକୁ ଘର ପଛପଟେ ଫୋପାଡ଼ି ଦେଇଥିଲେ। ଆଖପାଖର କୁକୁର ସେହି ମୃତ କୁକୁଡ଼ାଗୁଡ଼ିକୁ ଖାଇ ଯାଇଥିବା ଜଣାପଡ଼ିଛି। ଏପଟେ ଫାର୍ମ୍‌ରେ ଥିବା ବାକି ୪୦ଟି କୁକୁଡ଼ାକୁ ପ୍ରଭାସ କେମିତି ବଞ୍ଚାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତା’ଛଡ଼ା, ମୃତ କୁକୁଡ଼ାଗୁଡ଼ିକୁ କୁକୁର ଖାଇଥିବାରୁ ସେମାନେ ଏହି ରୋଗର ଶିକାର ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।