29 March 2017
8:42:57 PM
Sambad News
ରାଜ୍ୟ

‘ଅବିବାହିତ ଝିଅ ଲୋକ ପ୍ରତିନିଧି ଦାୟିତ୍ଵ ତୁଲାଇବା ସହଜ ନୁହେଁ’

ପ୍ରଥମ ଥର ସରପଞ୍ଚ ହୋଇଥିବା ଯୁବତୀଙ୍କ ଅନୁଭୂତି

By Sambad | Date: Jan 9 2017 11:59PM
‘ଅବିବାହିତ ଝିଅ ଲୋକ ପ୍ରତିନିଧି ଦାୟିତ୍ଵ ତୁଲାଇବା ସହଜ ନୁହେଁ’


କେନ୍ଦ୍ରାପଡ଼ା:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୫୦ଭାଗ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଗତ ଦୁଇଥରର ନିର୍ବାଚନରେ ବହୁସଂଖ୍ୟକ ନବାଗତା ଏହି ସୁଯୋଗରେ ନିର୍ବାଚିତ ହୋଇ ସରପଞ୍ଚ, ସମିତି ସଭ୍ୟ ଅଥବା ପଞ୍ଚାୟତ ସମିତି ଅଧକ୍ଷା ହେବାର ସୁଯୋଗ ପାଇଛନ୍ତି। ହେଲେ, ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେବା ପରେ ସେମାନେ ନିଜକୁ ମିଳିଥିବା କ୍ଷମତାର ଉପଯୁକ୍ତ ବ୍ୟବହାର କରି ପାରୁଛନ୍ତି କି’ ନା’ ତାହା କାହାରିକୁ ଅଛପା ନାହିଁ। ପ୍ରଥମ ଥର ପାଇଁ ଗତ ୨୦୧୨ରେ ବିଜୟ ଲାଭ କରି କେନ୍ଦ୍ରାପଡ଼ାର ଗୁରୁତ୍ଵପୂର୍ଣ୍ଣ ଘାଘରା ପଞ୍ଚାୟତର ସରପଞ୍ଚ ହୋଇଥିବା ବନୋଜିନୀ ପରିଡ଼ାଙ୍କ ଅଭିଜ୍ଞତାକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ।
ପ୍ରଶ୍ନ-ପ୍ରଥମ ଥର ବିଜୟଲାଭ କରିବାର ଅଭିଜ୍ଞତା କିପରି ଥିଲା?
 

ଉତ୍ତର-ରାଜନୀତିକୁ ଆସିବାର ମୋର କେବେ ଇଛା ନଥିଲା। ବାପାଙ୍କ ବାଧ୍ୟ-ବାଧକତାରୁ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲି। ଭଲ ଭୋଟ୍‌ରେ ଜିତିଥିଲି ବି। ହେଲେ, ପ୍ରଥମ ଦୁଇବର୍ଷ କେବଳ ଅନ୍ୟମାନଙ୍କ କଥା ଶୁଣିବାରେ ଗଲା। ହେଲେ, ଦୁଇବର୍ଷ ପରେ ବି କଥା କହିବାର ସୁଯୋଗ ଦିଆଗଲା ନାହିଁ। ସଭାରେ ମୁହଁ ଖୋଲିଲେ‘ଛୋଟ ପିଲା କିଛି ଜାଣିନା’ବୋଲି କହି ପୁରୁଣା ଲୋକ ପ୍ରତିନିଧିମାନେ ଚୁପ୍‌ କରିବାକୁ ଚେଷ୍ଟା କରିଲେ।
 

ପ୍ର-ମହିଳା ଲୋକ ପ୍ରତିନିଧିଙ୍କୁ ଉପଯୁକ୍ତ କ୍ଷମତା ମିଳିପାରୁଛି କି?
 

ଉ-ନା’, ମିଳୁନାହିଁ। ଏହା ପଛର ଏକମାତ୍ର କାରଣ ହେଉଛି ନିର୍ବାଚିତ ହେଉଥିବା ମହିଳା ପ୍ରତିନିଧିମାନଙ୍କ ଭିତରୁ ବହୁସଂଖ୍ୟକ ଅଶିକ୍ଷିତ। କେବଳ ଆରକ୍ଷଣ ଆଧାରରେ ଯାହାକୁ ନାହିଁ ତାହାକୁ ଜିତାଇବା ଅନୁଚିତ୍‌। ଧାଡ଼ିଏ ଲେଖି-ପଢ଼ିପାରୁ ନଥିବା ମହିଳାଙ୍କୁ ଲୋକ ପ୍ରତିନିଧି ଭାବେ ନିର୍ବାଚିତ କରିବା ସମଗ୍ର ନାରୀ ଜାତି ପ୍ରତି ଅନ୍ୟାୟ। ଯେଉଁମାନେ ଧାଡ଼ିଏ ନିଜକଥା କହି ପାରୁନାହାନ୍ତି ସେମାନେ ଲୋକଙ୍କ ପାଇଁ ଲଢ଼ିବେ ବା କେମିତି? ରେଜିଷ୍ଟର୍‌ରେ ଓଡ଼ିଆରେ ଲେଖା ହୋଇଥିବା ନିଜ ନାଁ ଗତ ୫ବର୍ଷ ଧରି ଖୋଜି ପାରୁନଥିବା ଲୋକଙ୍କୁ ବି ମୁଁ ଦେଖିଛି।
ପ୍ର-୫ବର୍ଷ ଭିତରେ ସାମ୍ନା କରିଥିବା ସବୁଠାରୁ ବଡ଼ ଅସୁବିଧା କ’ଣ?
 

ଉ-ଜଣେ ଅବିବାହିତ ଝିଅ ଭାବେ ରାଜନୀତିକୁ ଓହ୍ଲାଇବା ସବୁଠାରୁ ବଡ଼ ସମସ୍ୟା। ତାହା ମୁଁ ଅଙ୍ଗେ ନିଭାଇଛି। ପ୍ରତି କ୍ଷେତ୍ରରେ ମୋ ପଛରେ ଟାହି-ଟାପରା କରାଯାଇଛି। ପଞ୍ଚାୟତ ଲୋକଙ୍କ କାମ ପାଇଁ ଅଫିସର୍‌ ଅଥବା ନେତା-ମନ୍ତ୍ରୀଙ୍କ ପାଖକୁ ଗଲେ ସେମାନଙ୍କ ସହ ଯୋଡ଼ାଯାଇ ଖରାପ ଭାବେ ପ୍ରଚାର କରାଯାଉଛି। ନିଜ ବୟସ ଠାରୁ ଢେର ଅଧିକ ବୟସର ଲୋକଙ୍କ ନାମକୁ ବି ଯୋଡ଼ି ପ୍ରଚାର କରାଯାଇଛି। ମହିଳା ଓ ବିଶେଷ କରି ଅବିବାହତ ଯୁବତୀ ପ୍ରତିନିଧିଙ୍କ ପାଇଁ ଏହା ସବୁଠାରୁ ବଡ଼ ସମସ୍ୟା। 
 

ପ୍ର- ୫ବର୍ଷ କାର୍ଯ୍ୟକାଳରେ ପଞ୍ଚାୟତ ପାଇଁ କ’ଣ କରିଛନ୍ତି?
ଉ- ମୋ ଯୋଗ୍ୟତାକୁ ବ୍ୟବହାର କରି ପଞ୍ଚାୟତ ପାଇଁ ଯଥା ସମ୍ଭବ କାର୍ଯ୍ୟ କରିଛି। ନିର୍ବାଚିତ ହେଲା ବେଳେ ପଞ୍ଚାୟତର ଘରଟିଏ ନଥିଲା। ଗଛମୂଳେ ବସି ଦୁଇବର୍ଷ ମିଟିଂ କରିଛି। ହେଲେ, ବର୍ତ୍ତମାନ ଆମ ପଞ୍ଚାୟତରେ ତିନି-ତିନିଟି ଘର। ଇନ୍ଦିରାଆବାସ ଓ ବାର୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିବା ଅନେକଲୋକଙ୍କୁ ତାହା ଉପଲବ୍‌ଧ କରାଇଛି। ଶିକ୍ଷିତ ହୋଇଥିବାରୁ ଅନ୍ୟ କାହା ସାହାଯ୍ୟ ନ ନେଇ ମୁଁ ନିଜେ ସବୁ ଅଫିସକୁ ଯାଇ ମୋ ଲୋକଙ୍କ ପାଇଁ କାମ କରିପାରିଛି।