25 September 2017
3:31:13 PM
Sambad News
କେନ୍ଦ୍ରାପଡ଼ା

ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି : ୧୬୭୧ ଥିଲା, ୧୬୮୨ରେ ପହଁଚିଲା

By Sambad | Date: Jan 11 2017 10:31PM
ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି : ୧୬୭୧ ଥିଲା, ୧୬୮୨ରେ ପହଁଚିଲା

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ  ତୁଳନାରେ ୧୧ଟି ବଢ଼ିଛି। ଗତବର୍ଷ ୧୬୭୧ ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୬୮୨କୁ ବୃଦ୍ଧି ପାଇଛି। 
 
ଗତ ୨ ତାରିଖଠାରୁ କୁମ୍ଭୀରଗଣନା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିପାଇଁ ୧୨୫ ଜଣଙ୍କୁ ନେଇ ୨୭ଟି ଟିମ୍‌ ଗଠନ କରାଯାଇଥିଲା। ଭିତରକନିକା ରେଞ୍ଜ ଅଞ୍ଚଳରେ ୧୭ଟି ଟିମ୍‌ କୁମ୍ଭୀର ଗଣନା କରିଥିବାବେଳେ ରାଜନଗର ରେଞ୍ଜ ଅଞ୍ଚଳରେ ୭ଟି, ଗହୀରମଥାରେ ୧ଟି ଓ  ମହାକାଳପଡ଼ାରେ ୨ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ରାଜନଗର ଡିଏଫ୍‌ଓ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ କୁମ୍ଭୀର ବିଶାରଦ ଡଃ.ସୁଧାକର କର, ଡଃ. ଶିବପ୍ରସାଦ ପରିଡା ପ୍ରମୁଖ ଏହାର ତଦାରଖ କରିଥିଲେ।
 
ବନବିଭାଗର ରିପୋର୍ଟ ଅନୁସାରେ, ଏହି ଗଣନା ସମୟରେ ୧୬୮୨ଟି କୁମ୍ଭୀର ଥିବା ଠାବ କରାଯାଇଛି। ସେଗୁଡ଼ିକ ମଧ୍ୟରେ  ୬୦୮ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍‌ ୨ ଫୁଟିଆ କୁମ୍ଭୀର, ୩୩୪ଟି ବର୍ଷିକିଆ ଛୁଆ ଅର୍ଥାତ୍‌ ୨ ରୁ ୩ ଫୁଟିଆ, ୨୬୬ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍‌ ୩ ରୁ ୬ ଫୁଟ, ୧୭୨ଟି ୪ ରୁ ୫ ବର୍ଷର ଅର୍ଥାତ୍‌ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଅନ୍ତର୍ଭୁକ୍ତ। ଏଥିସହ ୮ ରୁ ୧୦ ଫୁଟ ମଧ୍ୟରେ ୧୨୬ଟି, ୧୦ ରୁ ୧୨ ଫୁଟ ମଧ୍ୟରେ ୮୯ଟି  ୧୨ ରୁ ୧୪ ଫୁଟ ମଧ୍ୟରେ ୪୬ଟି, ୧୪ ରୁ ୧୬ ଫୁଟ ମଧ୍ୟରେ ୨୦ଟି, ୧୬ ରୁ ୧୮ ଫୁୁଟ ମଧ୍ୟରେ ୧୧ଟି, ୧୮ ରୁ ୨୦ ଫୁଟ ମଧ୍ୟରେ ୭ଟି ଓ ୨୦ ଫୁଟରୁ ବଡ କୁମ୍ଭୀର ୩ଟି ଦେଖିବାକୁ ମିଳିଛି। 
 
ସେହିଭଳି,  କନିକା ରେଂଜ ଅଂଚଳରେ ୧୩୦୩ଟି, ରାଜନଗର ରେଂଜ ଅଂଚଳରେ ୨୮୪ଟି, ମହାକାଳପଡା ରେଂଜ ଅଂଚଳରେ ୬୮ଟି, ଗହୀରମଥା ରେଂଜ ଅଂଚଳରେ ୨୭ଟି ବଉଳା କୁମ୍ଭୀର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଖୋଳା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍‌, ଶୁଆଯୋର୍‌, ମହିଁଷାମଡା, ଏଫ୍‌.ଆର୍‌.ଏଚ୍‌ ଜେଠୀ ଆଦି ସ୍ଥାନରେ ୨୧ଟି ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଥିଲା। ଏହି କୁମ୍ଭୀର ମାନଙ୍କର ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି।
 
ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ୧୫୮୭ କୁମ୍ଭୀର ଥିବାବେଳେ ବାହାରେ ଥିବା ନଦୀ, ନାଳ ଗୁଡିକରେ ୯୫ଟି କୁମ୍ଭୀର ଥିବା ଡିଏଫ୍‌ଓ  ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ୧୧ ଅଧିକ। ଗତବର୍ଷ ଏହି ସଂଖ୍ୟା ୧୬୭୧ ଥିଲା।
 
ପ୍ରକାଶଥାଉକି, ୧୯୭୦ ମସିହା ମଧ୍ୟ ଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା। ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏହି ଗଣନା କରାଯାଉଛି। ଅନ୍ୟପକ୍ଷରେ, ଭିତରକନିକାରେ  କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

image