29 April 2017
9:01:22 AM
image
Sambad News
ରାଜ୍ୟ

ଦାରିଦ୍ର୍ୟ ତାଡ଼ନା: ୨ହଜାର ଟଙ୍କାରେ ଛୁଆକୁ ବିକିଲା ମା!

By Sambad | Date: Jan 9 2017 11:41PM
ଦାରିଦ୍ର୍ୟ ତାଡ଼ନା: ୨ହଜାର ଟଙ୍କାରେ ଛୁଆକୁ ବିକିଲା ମା!

କେନ୍ଦ୍ରାପଡ଼ା: ଦାରିଦ୍ର୍ୟର ତାଡ଼ନାରେ  କେନ୍ଦ୍ରାପଡ଼ାର ଜଣେ ମା’ ନିଜ ସଦ୍ୟଜାତ ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକି ଦେଇଛନ୍ତି। ନିଜ ଘର ପାଖର ଜଣେ ବ୍ୟକ୍ତିଙ୍କୁ ସେ ୨ହଜାର ଟଙ୍କା ବିନିମୟରେ ଏହି ସନ୍ତାନକୁ ବିକ୍ରି କରିଛନ୍ତି। ଛୁଆକୁ କିଣିଥିବା ବ୍ୟକ୍ତି ବିକ୍ରି କରିଥିବା ମହିଳାଙ୍କୁ ମଧ୍ୟ ନିଜ ଘରେ ନେଇ ରଖିଛନ୍ତି। ଅର୍ଥାଭାବରୁ ନିଜର ପ୍ରଥମ ଦୁଇ ସନ୍ତାନଙ୍କୁ ପୋଷି ପାରୁନଥିବାରୁ ତୃତୀୟ ସନ୍ତାନକୁ ବାଧ୍ୟହୋଇ ବିକ୍ରି କରିଥିବା ଜଣାପଡ଼ିଛି। ହେଲେ, ଶିଶୁ ଓ ମା’ ଏକାଠି ଥିବାରୁ ଏହାକୁ ଶିଶୁ ବିକ୍ରି କୁହାଯାଇ ପାରିବ ନାହିଁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।
 

କେନ୍ଦ୍ରାପଡ଼ା ପୌରାଞ୍ଚଳର ଭ୍ରମରଦିଆ ପାଟଣାରେ ଏକ ପଲାଘରେ ସୁମିତ୍ରା କାଣ୍ଡି(ଛଦ୍ମ ନାମ) ନାମକ ଜଣେ ଆଦିବାସୀ ମହିଳା ରହନ୍ତି। ତାଙ୍କର ୮ବର୍ଷର ଏକ ପୁଅ ଓ ୫ବର୍ଷର ଏକ ଝିଅ ଅଛନ୍ତି। ସ୍ୱାମୀ ପରିତ୍ୟକ୍ତା ଏହି ମହିଳା ଜଣକ ଗତ ପୂର୍ବାହ୍ନ ୧୧ଟା ବେଳେ ଏକ ପୁଅକୁ ଜନ୍ମ ଦେଇଥିଲେ। ଦାରିଦ୍ର୍ୟ ତାଡ଼ନାରେ ସୁମିତ୍ରା ବଡ଼ ଦୁଇଟି ପିଲାଙ୍କୁ ପୋଷି ପାରୁନଥିବା ବେଳେ ତୃତୀୟ ସନ୍ତାନକୁ କେମିତି ପାଳିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ନିଜ ଝୁମ୍ପୁଡ଼ିଠାରୁ କିଛି ଦୂରରେ ରହୁଥିବା କଳ୍ପନା ଦାସ ଓ ସୁବାସ ଦାସ(ଉଭୟ ଛଦ୍ମ ନାମ)ଙ୍କର ପୁଅ ନ ଥିବାରୁ ସେମାନେ ସୁମିତ୍ରାଙ୍କ ପୁଅକୁ ନେଇଯିବାକୁ ଚାହିଥିଲେ।

ସୁମିତ୍ରାଙ୍କୁ ଦାସ ଦମ୍ପତ୍ତି ୨ହଜାର ଟଙ୍କା ଦେଇ ଛୁଆଟିକୁ ନେବାକୁ ଠିକ୍‌ କରିଥିଲେଓ ଗତକାଲି ସଂଧ୍ୟାରେ ନବଜାତ ଶିଶୁ ସହିତ ତା’ ମା’ଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ହେଲେ,  ସକାଳେ ହଠାତ୍‌ ଶିଶୁ ବିକ୍ରି ହେବା ଖବର ପ୍ରଚାରିତ ହୋଇଯିବାରୁ ସୁବାସଙ୍କ ଘରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଖବର ପାଇ ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ ବି ଶିଶୁଟି ନିଜ ମା’ ସହିତ ଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଘରେ ପୂରାଇ ଦେଇନଥିଲେ। ଶିଶୁ ଓ ମା’ ଏକାଠି ଥିବାରୁ ଏହାକୁ ଶିଶୁ ବିକ୍ରି କୁହାଯାଇ ପାରିବ ନାହିଁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ କହିଛନ୍ତି।

 

image