25 May 2017
4:10:51 PM
image
Sambad News
କେନ୍ଦ୍ରାପଡ଼ା

ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ହରିଆନାରେ ୨ ଓଡ଼ିଆ ଶ୍ରମିକ ମୃତ

ପରିବାର ଆଣିଲା ନିର୍ଯାତନା ଅଭିଯୋଗ

By Sambad | Date: Jan 7 2017 9:16PM
ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ହରିଆନାରେ ୨ ଓଡ଼ିଆ ଶ୍ରମିକ ମୃତ

ରାଜନଗର : ହରିଆନାରେ ୨ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଟାଙ୍କିରେ କାମ କରୁଥିବା ସମୟରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମୃତ ଶ୍ରମିକଙ୍କ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକ ନିର୍ଯାତନା ଅଭିଯୋଗ ଆଣିବା ସହିତ ସେଠାକାର ଥାନାରେ  ଏତଲା ଦେଇଥିବା ଜଣାପଡ଼ିଛି।
 
ମୃତ  ଓଡ଼ିଆ ଶ୍ରମିକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପଂଚାୟତ ହରିହରପୁର ଗ୍ରାମର ହୃଷୀକେଶ ପ୍ରଧାନଙ୍କ ପୁଅ ଉମାକାନ୍ତ (୨୫ବର୍ଷ) ଓ  କୁରୁଂଟି ପଂଚାୟତର ତିଅର ଗ୍ରାମର ଅକ୍ଷୟ କୁମାର ସ୍ୱାଇଁଙ୍କ ପୁଅ ଅନିଲ୍‌ ସ୍ୱାଇଁ (୧୮ ବର୍ଷ)।  ଦୁହେଁ ହରିଆନାର ପଲ୍‌ଓ୍ଵାଲାସ୍ଥିତ ଏରା (ଏ.ଡି.ଏ.ଏଲ୍‌) କମ୍ପାନୀରେ କାମ କରୁଥିଲେ। ଗତକାଲି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଅନ୍ୟ ୨ ଅଣଓଡ଼ିଆ ଶ୍ରମିକଙ୍କ ସହିତ ଦୁହେଁ ଏକ ଟାଙ୍କିରେ କାମ କରୁଥିଲାବେଳେ ହଠାତ୍‌ ୪ ଜଣ ଯାକ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ସଂଗେସଂଗେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏହି ୨ ଜଣଙ୍କ ସମେତ ୩ ଜଣ ଶ୍ରମିଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଜଣେ ଅଣଓଡ଼ିଆ ଶ୍ରମିକ ଗୁରୁରର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। 
 
ଗତକାଲି ପରିବାର ଲୋକ ଖବର ପାଇଥିଲେ ମଧ୍ୟ ସେମାନଙ୍କୁ ମୃତ୍ୟୁ କଥା କୁହାଯାଇ ନ ଥିଲା। ଆଜି ଅନିଲ୍‌ଙ୍କ ବାପା ଅକ୍ଷୟ କୁମାର ସ୍ୱାଇଁ ଏବଂ ଉମାକାନ୍ତଙ୍କ ସାନଭାଇ  ରମାକାନ୍ତ ଓ ତୁଷାର ସେଠାରେ ପହଁଚିବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ଅପରାହ୍ନ ୪ଟା ସମୟରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା।  ହରିୟାନାରେ ଉମାକାନ୍ତ ୪ ବର୍ଷ ଓ ଅନୀଲ ୧ ବର୍ଷ ହେବ ଦାଦନ ଖଟୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କୁ ଯେତିକି ପାରିଶ୍ରମିକ ଦିଆଯିବା କଥା ଦିଆଯାଉ ନ ଥିଲା। ଏପରିକି, ଘରକୁ ଆସିବାକୁ ଚାହୁଁଥିଲେ ବି  ଦୁହିଁଙ୍କୁ ଛଡ଼ା ଯାଉ ନ ଥିଲା। ଗତକାଲି ଏହି ଅଘଟଣର କେଇ ଘଣ୍ଟା ପୂର୍ବରୁ  ଦୁହେଁ ନିଜନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। 
 
ପରିବାର ପକ୍ଷରୁ ସମ୍ପୃକ୍ତ କମ୍ପାନୀ ବିରୋଧରେ ନିର୍ଯାତନା ଅଭିଯୋଗ ଅଣାଯାଇଛି। ଏ ନେଇ ସେଠାକାର ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି।  ସେଠାରେ କାମ କରୁଥିବା ଏକ ଓଡ଼ିଆ ସଂଗଠନ ସୁଖଦୁଃଖ ସାଥୀ ଫାଉଣ୍ଡେସନ୍‌ର ମୁଖ୍ୟ ଅଜୟକୁମାର ବେହେରା  ମଧ୍ୟ ଘଟଣାର ପ୍ରତିବାଦ କରିଛି। ଅନ୍ୟପକ୍ଷରେ, ଦୁହିଁଙ୍କ ମୃତ୍ୟୁ ଖବର ପାଇବା  ପରେ ଦୁହିଁଙ୍କ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି।  

image