19 August 2017
5:22:43 AM
Sambad News
କେନ୍ଦୁଝର

ଭୂତ ଗାଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

By Sambad | Date: Dec 29 2016 11:57AM
ଭୂତ ଗାଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର: ଗାଡ଼ି ନାହିଁ, ଅଥଚ ଗାଡ଼ିର ରେଜିଷ୍ଟ୍ରେସନ ହୋଇଥିଲା କେନ୍ଦୁଝର ଆରଟିଓ କାର୍ଯ୍ୟାଳୟରେ। ବଡ଼ବିଲ ଆରଟିଓ କାର୍ଯ୍ୟାଳୟରେ ବି ହୋଇଥିଲା ଏଭଳି ନକଲି ରେଜିଷ୍ଟ୍ରେସନ୍‌ । ଏପରି ଭୂତଗାଡ଼ି ସଂପର୍କରେ ଖୋଳତାଡ଼ ପରେ ହାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକକୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଗତକାଲି ସେ ଚଣ୍ଡିଖୋଲ ବଜାରରେ ରାତି ୮ଟାରେ ବୁଲୁଥିବା ବେଳେ ପୁଲିସ ତାକୁ ଧରି ସଂଗେ ସଂଗେ କେନ୍ଦୁଝର ଟାଉନ ଥାନାକୁ ଆଣିଥିଲେ ।

ସେଠାରେ ପଚରାଉଚରା କରିବା ପରେ  ଦିଲ୍ଲୀପ କେନ୍ଦୁଝର, ବଡବିଲ ଏବଂ ଚଣ୍ଡିଖୋଲ ଆରଟିଓ ଅଫିସରେ ବିଭିନ୍ନ ଗାଡିର ଜାଲ କାଗଜପତ୍ର କରିଥିବା କଥା ସ୍ୱୀକାର କରିଥିଲା ବୋଲି ପୁଲିସ ପ୍ରକାଶ କରିଛି । ଏଥିସହିତ ସେ କେନ୍ଦୁଝରରେ ୧୫ଟି ଗାଡ଼ି, ବଡ଼ବିଲରେ ୬ଟି ଗାଡ଼ିିର ଜାଲ କାଗଜପତ୍ର କରିଥିବା କହିଥିଲା । ଏହା ପରେ ଦିଲ୍ଲୀପକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
 

ପ୍ରକାଶଥାଉକି, ରାଜ୍ୟର ବିଭିନ୍ନ ସ୍ଥାନରେ ଭୂତଗାଡ଼ି ଚଳାଚଳ କରୁଥିବାର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଫଳରେ କେନ୍ଦୁଝର ଆରଟିଓ ଗତ ମେ ମାସ ୪ ତାରିଖରେ ଟାଉନ ଥାନାରେ ଏକ କେସ୍‌ ରୁଜୁ କରିଥିଲେ । ଉକ୍ତ କେସକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି କେସ୍‌ରେ ପୁଲିସ ଗତ ମେ ମାସ ୧୩ ତାରିଖରେ କେନ୍ଦୁଝର ଆରଟିଓଙ୍କ କାର୍ଯ୍ୟାଳୟର ଜଣେ ଦଲାଲ୍‌ ମନୋଜ କୁମାର ସାହୁଙ୍କୁ ଗିରଫ କରିଥିବା ବେଳେ ଗତ ମେ ୧୮ ତାରିଖରେ କନିଷ୍ଠ ଏମଭିଆଇ ନୃସିଂହ ପାଣିଗ୍ରାହୀଙ୍କୁୁ ଗିରଫ କରିଥିଲା। ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ୭ ଜଣ ଗାଡି ମାଲିକଙ୍କ ମଧ୍ୟରୁ ୬ ଜଣ ଗିରଫ ହୋଇ ଜାମିନରେ ଅଛନ୍ତି । ଜଣେ ଗାଡ଼ି ମାଲିକ ଆଜି ପର୍ଯ୍ୟନ୍ତ ଫେରାର ଅଛନ୍ତି। ଆଜି ଗିରଫ ହୋଇଥିବା ଦିଲ୍ଳୀପ କୁମାର ନାୟକଙ୍କ  ଘର ଯାଜପୁର ଜିଲ୍ଲା ବଡଚଣା ଥାନା ଖରମଙ୍ଗିରେ ବୋଲି ପୁଲିସ ପ୍ରକାଶ କରିଛି।