26 June 2017
12:35:44 AM
Sambad News
କେନ୍ଦୁଝର

ଖୋର୍ଧା ପରେ କେନ୍ଦୁଝର, ରାଉରକେଲା, କେନ୍ଦ୍ରାପଡ଼ାରେ ପକ୍ଷୀ ମଡ଼କ

ବାର୍ଡ ଫ୍ଲୁ’ ନେଇ ଲୋକେ ଆତଙ୍କିତ

By Sambad | Date: Jan 2 2017 5:42AM
ଖୋର୍ଧା ପରେ କେନ୍ଦୁଝର, ରାଉରକେଲା, କେନ୍ଦ୍ରାପଡ଼ାରେ ପକ୍ଷୀ ମଡ଼କ

କେନ୍ଦୁଝର : ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଆଜି କେନ୍ଦୁଝର ସହରର ମାଇନିଂ ରୋଡ୍‌ଠାରେ କାଉ ମଡକ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍‌ ଘଟଣାସ୍ଥଳକୁ ଆସି ମୃତ କାଉଗୁଡିକୁ ପରୀକ୍ଷା ପାଇଁ ପଠାଇଛନ୍ତି। 

 
ସିଡ଼ିଭିଓ ଜଳଧର ମଲ୍ଲିକଙ୍କ ସୂଚନା ଅନୁସାରେ, ମାଇନିଂରୋଡ୍‌ ଅଞ୍ଚଳରେ କେତୋଟି କାଉ ମରି ପଡ଼ିଥିବା ସଂପର୍କରେ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ମିଳିଥିଲା। ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ମୃତ କାଉ ଗୁଡିକୁ ଉଦ୍ଧାର କରିବା ପରେ ପରୀକ୍ଷା ପାଇଁ ଭୁବନେଶ୍ୱର, କଲିକତା ଏବଂ ଭୋପାଳଠାରେ ଥିବା ପରୀକ୍ଷାଗାରକୁ ପଠାଯାଇଛି। ସେଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିଡ଼ିଭିଓ ଶ୍ରୀ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ଖବର ପ୍ରଚାରିତ ହେବା ପରେ କେନ୍ଦୁଝର ସହରରେ ଆତଙ୍କ ଖେଳିଯାଇଛି। ଆଜି ନୂଆବର୍ଷ ଥିବାରୁ କୁକୁଡ଼ା ମାଂସ ବହୁଳ ଭାବେ ବିକ୍ରି ହୋଇଥାନ୍ତା। ତେବେ ବାର୍ଡ ଫ୍ଲୁ ଖବର ପ୍ରଚାରିତ ହେବା ପରେ ଚିକେନ୍‌ ପ୍ରେମୀଙ୍କ ମଧ୍ୟରେ ଛନକା ଖେଳିଯାଇଛି।