01 March 2017
11:16:43 PM
Sambad News
କେନ୍ଦୁଝର

ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଠାକୁରାଣୀଙ୍କ ସୁନାବେଶ, ଭକ୍ତଙ୍କୁ ଲଡ଼ୁ ଭୋଗ ବଣ୍ଟନ

By Sambad | Date: Jan 2 2017 6:13AM
ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଘଟଗାଁ : ନବବର୍ଷ-୨୦୧୭ର ପ୍ରଥମ ଦିନରେ ଆଜି ଘଟଗାଁରେ ମା ତାରିଣୀଙ୍କ ଦର୍ଶନ ପାଇଁ ଆଶାତୀତ ଭକ୍ତଙ୍କ ସମାବେଶ ହୋଇଥିଲା। ଦେଢ଼ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନରେ ମନ୍ଦିର ପରିସର ଦିନତମାମ ଚଳଚଞ୍ଚଳ ହୋଇ ଉଠିଥିଲା। 
 
ଆଜି ପ୍ରତ୍ୟୁଷରୁ ମା ତାରିଣୀଙ୍କ ବରିଷ୍ଠ ପୂଜକ ଶ୍ୟାମ ସୁନ୍ଦର ଦେହୁରୀଙ୍କ ନେତୃତ୍ୱରେ ମୋହନ ଦେହୁରୀ, ସଦାନନ୍ଦ ଦେହୁରୀ, ପର୍ଶୁରାମ ଦେହୁରୀ, ପ୍ରଭାକର ଦେହୁରୀ, ରାଜକିଶୋର ଦେହୁରୀ, ରମେଶ ଦେହୁରୀ, ଯଯାତି ଦେହୁରୀ, ବାବୁଲା ଦେହୁରୀ ପ୍ରମୁଖ ମା ତାରିଣୀଙ୍କ ଷୋଢ଼ଶ ଉପଚାର କରି ବଡ଼ସିଂହାର ପୂଜା କରିଥିଲେ। ନବବର୍ଷ ଅବସରରେ ମା ତାରିଣୀଙ୍କ ସୁନାବେଶ କରାଯାଇଥିଲା। ସକାଳ ପହଡ଼ ଖୋଲିବା ମାତ୍ରେ ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତମାନେ ୬ଟି ଧାଡ଼ିରେ ଛିଡ଼ା ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଏହି ଲମ୍ବା ଧାଡ଼ିି ୨୧୫ ନମ୍ବର ଜାତୀୟ ରାଜପଥକୁ ଛୁଇଁଥିଲା। ପୂର୍ବାହ୍ଣ ୧୦ଟାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ଟା ବେଳକୁ ପରିସ୍ଥିତି ଅସମ୍ବାଳ ହୋଇଥିଲା। ଫଳରେ  ଦିନ ଗୋଟାଏ ବେଳେ ମା’ଙ୍କ ପହଡ଼ ପଡ଼ି ନଥିଲା। ଦିନ ସାଢ଼େ ୩ଟା ବେଳକୁ ଭକ୍ତମାନେ ଶୃଙ୍ଖଳାର ସହ ଠାକୁରାଣୀଙ୍କ ଦର୍ଶନ କରିଥିଲେ।  
 
ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ମା’ଙ୍କ ଦର୍ଶନ ପରେ ନଡ଼ିଆରେ ପ୍ରସ୍ତୁତ ଲଡୁଭୋଗ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷରେ ତାରିଣୀ ପୀଠରେ ଆଜି  ବିଦେଶୀ ତଥା ନ୍ୟୁଜିଲାଣ୍ଡର ଅଧିବାସୀ ସତୀଶ ରାମୟାଙ୍କ ଆଗମନ ବେଶ୍‌ ଚର୍ଚାର ବିଷୟ ହୋଇଥିଲା। ସେ ମା ତାରିଣୀ ମନ୍ଦିର  ମହିମା ଓ୍ଵବ୍‌ସାଇଟ୍‌ରୁ ଦେଖି ମା’ଙ୍କ ଭକ୍ତ ପାଲଟିଥିଲେ। ନବବର୍ଷର ପ୍ରଥମ ଦିନ ପ୍ରଥମ ଥର ପାଇଁ ଘଟଗାଁକୁ ଆସି ମା ତାରିଣୀଙ୍କୁ ଦର୍ଶନ କରିଥିଲେ। ସେ ଭକ୍ତଙ୍କ ଲମ୍ବାଧାଡି ଦେଖି ଧର୍ଯ୍ୟହରା ହୋଇ ଟ୍ରଷ୍ଟ ବୋର୍ଡର ଦୃଷ୍ଟିକୁ ଆସିଥିଲେ। ସେ ମା’ଙ୍କ ମହିମାରେ ବଶୀଭୂତ ହୋଇ ନିଜର କନ୍ୟାର ନାମ ତାରିଣୀ ରଖିଥିବା ବର୍ଣ୍ଣନା କରି ଭାବବିହ୍ଵଳ ହୋଇପଡ଼ିଥିଲେ।  
 
ମା ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସମସ୍ତ ମନ୍ଦିର କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗାୟତ୍ରୀ ପରିବାର ଘଟଗାଁ ଓ ସତ୍ୟସାଇ ସେବା ସମିତି ଘଟଗାଁର ସଦସ୍ୟମାନେ  ଶୃଙ୍ଖଲା ଦର୍ଶନ ଓ ଲଡୁଭୋଗ ବଣ୍ଟନ ଦାୟିତ୍ୱ ନିର୍ବାହ କରିଥିଲେ। ସକାଳ ୬ଟାରୁ ଲଡୁ ଭୋଗ ବଣ୍ଟନ ଆରମ୍ଭ ହୋଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରଥମେ ଭୋଗ ବଣ୍ଟନ କରିଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ଦୟାନିଧି ମହାନ୍ତ, ବିକ୍ରମ କିଶୋରୀ ଜେନା, ଆନନ୍ଦ ଚନ୍ଦ୍ର ସିଂହ, ମା ତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଭୋଗ ବଣ୍ଟନ କରିଥିଲେ। 
 
ଘଟଗାଁ ପୀଠରେ ଭକ୍ତଙ୍କ ଭିଡ଼କୁ  ଲକ୍ଷ୍ୟ କରି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଘଟଗାଁ ଏସ୍‌ଡିପିଓ ଏସ୍‌. ତପୋଙ୍କ ନେତୃତ୍ୱରେ ୬ଜଣ ଆଇଆଇସି, ୧୦ରୁ ଅଧିକ ଏସ୍‌ଆଇ, ୨୦ରୁ ଅଧିକ ଏଏସ୍‌ଆଇ, ୫୦ରୁ ଅଧିକ କନେଷ୍ଟବଳ ଓ ହୋମ୍‌ଗାର୍ଡ ଉପସ୍ଥିତ ରହି ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ପାର୍କିଂ ବ୍ୟବସ୍ଥା ତଦାରଖ କରିଥିଲେ।  ମନ୍ଦିର ବେଢ଼ାରେ ବିଶେଷ କରି ଦର୍ଶନ ଦ୍ୱାରରେ ଥାନା ଅଧିକାରୀ ବିପିନି ବିହାରୀ ମେହେର, ମହିଳା ସବ୍‌ଇନିସ୍‌ପେକ୍ଟର ନୟନା ବେହେରା ଓ ତ୍ରିନାଥ ସେଠୀ ଉପସ୍ଥିତ ଥିଲେ। ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଟ୍ରଷ୍ଟି କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ରନାରାୟଣ ମହାନ୍ତ, ବଳଭଦ୍ର ନନ୍ଦ, ନିର୍ମଳ କୁମାର ମହାନ୍ତି, ବିକ୍ରମ କେଶରୀ ଜେନା, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର  ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ  ସଂଜୀବ କୁମାର ମହାପାତ୍ର, ମନ୍ଦିର ବରିଷ୍ଠ ଆକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରାଙ୍କ ସମେତ ମନ୍ଦିର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।