01 May 2017
2:06:34 AM
image
Sambad News
କେନ୍ଦୁଝର

ଅଞ୍ଚଳବାସୀଙ୍କ ପାଇଁ ଲଢେଇ କରିବି: ନିରଞ୍ଜନ

ଆନନ୍ଦପୁର ବଞ୍ଚାଅ ସମାବେଶରେ ଗର୍ଜିଲେ ବିରୋଧୀ

By Sambad | Date: Jan 7 2017 4:54AM
ଅଞ୍ଚଳବାସୀଙ୍କ ପାଇଁ ଲଢେଇ କରିବି: ନିରଞ୍ଜନ

ଆନନ୍ଦପୁର : ଦୀର୍ଘ ୪୫ ବର୍ଷର ରାଜନୈତିକ ଜୀବନରେ ଚାରି ଚାରି ଥର ବିଧାୟକ ଓ ତିନି ଥର ମନ୍ତ୍ରୀ ହୋଇ ଆନନ୍ଦପୁର ତଥା ଓଡ଼ିଶାର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇଛି। କେନ୍ଦୁଝର ଜିଲ୍ଲାବାସୀଙ୍କ ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇଛି। ଜୀବନରେ କେବେ ହେଲେ ଗୁଣ୍ଡାଗର୍ଦ୍ଦି ଓ ଦୁର୍ନୀତିକୁ ପ୍ରଶୟ ଦେଇନାହିଁ। ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ଆନନ୍ଦପୁରବାସୀଙ୍କ ପାଇଁ ଲଢ଼େଇ ଜାରି ରଖିବି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଘସିପୁରା ବସ୍‌ଷ୍ଟାଣ୍ଡରେ ଆୟୋଜିତ ଆନନ୍ଦପୁର ବଞ୍ଚାଅ ସମାବେଶରେ ଉଦ୍‌ବୋଧନ ଦେଇ କହିଛନ୍ତି। 

 
କେନ୍ଦୁଝରର ବରିଷ୍ଠ ଆଇନଜୀବୀ ମୋହନ କୁମାର ପରିଡ଼ାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଭଗବାନ ସାହୁ, ପିସିସି ସଂଗଠନ ସଂପାଦକ ପୃଥ୍ଵୀରାଜ କୁଅଁର, ଆନନ୍ଦପୁର ବିକାଶ ପରିଷଦର ସଭାପତି ସୁରେଶ ସାହୁ, ପୂର୍ବତନ ବ୍ଳକ ବିଜେପି ସଭାପତି ସଂଜୟ କୁମାର ଜେନା, ପୂର୍ବତନ ବ୍ଳକ୍‌ ଅଧ୍ୟକ୍ଷ ବ୍ରଜବିହାରୀ ଜେନା, ରାମଚନ୍ଦ୍ର ବେହେରା, ଯୁବନେତା ରତିକାନ୍ତ ବରାଳ, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ପ୍ରଭାତୀ ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ତଡ଼ିବାକୁ ଆହ୍ଵାନ ଦେଇଥିଲେ। ଛାତ୍ରନେତା ଯଜ୍ଞପ୍ରସାଦ ସାହୁ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଯୁବ କଂଗ୍ରେସ ନେତା ସୁବ୍ରତ କୁମାର ଚକ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକଙ୍କୁ ଏକ ବିରାଟ ବାଇକ୍‌ ରାଲିରେ ଶାଳପଡ଼ା ଛକରୁ ସଭାସ୍ଥଳକୁ ଅଣାଯିବା ସହ ବିପୁଳ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଆଜି ସଭାରେ ଆନନ୍ଦପୁର ଓ ଘସିପୁରା ବ୍ଳକର ବିଭିନ୍ନ ପଞ୍ଚାୟତରୁ ବହୁ ବୁଦ୍ଧିଜୀବୀ, ଯୁବକ, ଛାତ୍ର, ମହିଳା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିବା ବେଳେ ୧୫ ହଜାରରୁ ଉର୍ଧ୍ୱ ଜନ ସମାଗମ ହୋଇଥିଲା।

image