25 June 2017
2:23:43 AM
Sambad News
କେନ୍ଦୁଝର

ଆଦିବାସୀ ଗାଁରେ ଗ୍ଲୋବାଲ୍‌ ଓ୍ଵାର୍ମିଂ ଚିନ୍ତା

By Sambad | Date: Jan 9 2017 6:30AM
ଆଦିବାସୀ ଗାଁରେ ଗ୍ଲୋବାଲ୍‌ ଓ୍ଵାର୍ମିଂ ଚିନ୍ତା

କେନ୍ଦୁଝର : ଗ୍ଲୋବାଲ୍‌ ଓ୍ଵାର୍ମିଂ ବା ବିଶ୍ୱତାପନ ନେଇ ସମଗ୍ର ବିଶ୍ୱରେ ଚହଳପଡ଼ିଛି। କିଏ ଗଛ ଲଗାଇବାକୁ ପରାମର୍ଶ ଦେଉଛି ତ କିଏ କଳ କାରଖାନାର ପ୍ରଦୂଷଣ ବନ୍ଦ ପାଇଁ ଯୋଜନା କରୁଛି। କିନ୍ତୁ କେନ୍ଦୁଝର ଜିଲ୍ଲାର ଏକ ଅଖ୍ୟାତ ଆଦିବାସୀ ଗାଁର ଲୋକମାନେ ବି ଏହି ବିଶ୍ୱତାପନ ନେଇ ଚିନ୍ତା କରୁଛନ୍ତି ଓ ଏହାର ଦୂରୀକରଣ ନେଇ କାମ କରୁଛନ୍ତି, ଏହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। 
 
ଏହି ଗାଁର ନାମ କଣ୍ଟାକୋଳି।  ଜଙ୍ଗଲ ଭିତରେ ଥିବା ଏହି ଗାଁ’ରେ ଜାଳେଣି କାଠର ଅଭାବ ନ ଥିଲେ ବି ବିଶ୍ୱ ଉତ୍ତାପ, ଧୂଅାଁ ପ୍ରଦୂଷଣ କମାଇବା ପାଇଁ ଗ୍ରାମବାସୀ ସ୍ୱତନ୍ତ୍ର ଚୁଲି ବ୍ୟବହାର କରି ଉଦାହରଣ ସୃଷ୍ଟି କରିଛନ୍ତି। 
 
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର କଣ୍ଟାକୋଳି ଗାଁ। ଏହି ଗାଁ’ରେ ରହୁଛନ୍ତି ପ୍ରାୟ ୩୫ଟି ଆଦିବାସୀ ପରିବାର। ଗାଁ’ର ଚାରି ପାଖରେ ଘେରି ରହିଛି ଜଙ୍ଗଲ। ଗ୍ରାମ ବାସିନ୍ଦାଙ୍କର ଜୀବନଜୀବିକା ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ। କିଏ କାଠ କାଟି ବିକ୍ରି କରେ ତ କିଏ ପତ୍ର ଅଥବା ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ପେଟ ପୋଷିଥାଏ। ଏଠାରେ ଜଙ୍ଗଲରୁ ସଂଗୃହୀତ କାଠ ଘରୋଇ ବ୍ୟବହାରରେ ଲାଗିଥାଏ। କିନ୍ତୁ ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ିବା ସହିତ ଧୂଅାଁ ଯୋଗୁ ଉପୁଜୁଥିବା ପ୍ରଦୂଷଣ ଯୋଗୁ କିପରି ପରିବେଶ ନଷ୍ଟ ହେଉଛି ସେ କଥା ଗାଁ ଲୋକେ ଠିକ ଭାବେ ବୁଝିବାରେ ସମର୍ଥ ହୋଇଛନ୍ତି। ଏବେ ଗାଁ’ର ଘରେ ଘରେ ଗ୍ରୀନ୍‌ ଚୁଲା ରହିଛି। ଏସ୍‌ଜି ଫାଉଣ୍ଡେସନ୍‌ ପରାମର୍ଶରେ ସେମାନେ ଏହି ଚୁଲା ମାତ୍ର ୨୫୦୦ ଟଙ୍କାରେ ବ୍ୟାଙ୍କରୁ ଋଣ କରି କିଣିଥିଲେ। ଏହି ଗ୍ରୀନ୍‌ ଚୁଲା ବର୍ତମାନ ସେମାନଙ୍କୁ ନୂଆ ଦିଗ ଦେଖାଇ ସାରିଲାଣି। ସାଧାରଣ ଭାବେ ଏକ ଛୋଟିଆ ପରିବାରର ରୋଷେଇ ପାଇଁ ଦିନକୁ ୧୦ କେଜି କାଠ ଆବଶ୍ୟକ ପଡ଼ୁଥିବା ବେଳେ ଏହି ଗ୍ରୀନ୍‌ ଚୁଲା ବ୍ୟବହାର କରିବା ଦ୍ୱାରା ୪ କେଜି କାଠରେ ରୋଷେଇ ସରିଯାଉଛି। 
 
ଗ୍ରାମର ନନ୍ଦିନୀ ଦେହୁରୀ କହିଛନ୍ତି ଯେ, ଏହି ଚୁଲା ବ୍ୟବହାର କରିବା ଦ୍ୱାରା ପ୍ରଥମତଃ କମ୍‌ ଜାଳେଣି କାଠରେ ରୋଷେଇ ହେଉଛି। ଦ୍ୱିତୀୟତଃ ପରିବେଶ ପ୍ରଦୂଷଣ ରୋକିବାରେ ଆମେ ସମର୍ଥ ହେଉଛୁ। ତୃତୀୟତଃ ପୃଥିବୀ ପୃଷ୍ଠର ଉତ୍ତାପ କମ୍‌ କରିବାରେ ବି ଏହା ସହାୟକ ହେଉଛି। ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ଦିଗରେ କଣ୍ଟାକୋଳି ଗାଁ ସହାୟକ ହେଉଛି ବୋଲି ନନ୍ଦିନୀ କହିଛନ୍ତି। 
 
ଖାଲି ସେତିକି ନୁହେଁ, ଏହି ଚୁଲାରେ ଲାଗିଥିବା ସେନ୍‌ସର ଦ୍ୱାରା କାହା ଘରେ କେତେ ରୋଷେଇ ହେଲା ସେ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ସରକାରଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଏମିତିକି ମାସକୁ ଏହି ଗ୍ରାମର ପ୍ରତି ପରିବାର ୩ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ  ପାଉଛନ୍ତି। ଗ୍ଲୋବାଲ୍‌ ଓ୍ଵାର୍ମିଂକୁ ରୋକିବା ଦିଗରେ ଏକ ଆଦିବାସୀ ଗାଁ’ର ଉଦ୍ୟମ ସମଗ୍ର ରାଜ୍ୟ ପାଇଁ ଆଖି ଖୋଲି ଦେଇଛି।