25 June 2017
7:24:08 AM
Sambad News
ରାଜ୍ୟ

ଜିସିଇରେ ଅଧ୍ୟାପିକାଙ୍କୁ ନିର୍ଯାତନା

By Sambad | Date: Dec 27 2016 8:44PM
ଜିସିଇରେ ଅଧ୍ୟାପିକାଙ୍କୁ ନିର୍ଯାତନା

କେନ୍ଦୁଝର: କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜର ୪ଜଣ ଅଧ୍ୟାପିକାଙ୍କୁ ନିର୍ଯାତନା ଅଭିଯୋଗର ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ମହିଳା ନିର୍ଯାତନା ସେଲ୍‌ ପକ୍ଷରୁ ଏହି ତଦନ୍ତ ହୋଇଛି। 
 
ସୂଚନା ଅନୁୁସାରେ, କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ଅଛନ୍ତି ନିମାଇଁ ପଟେଲ। ସେହି ବିଭାଗରେ ମଧ୍ୟ ୪ଜଣ ଅଧ୍ୟାପିକା ଅଛନ୍ତି। ଏହି ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ଧରି ବିଭିନ୍ନ ଉପାୟରେ ବିଭାଗୀୟ ମୁଖ୍ୟ ତାଙ୍କୁ ତାଙ୍କ ରୁମ୍‌କୁ ଡାକିବା ସହ ଅଶ୍ଳିଳ ଆଚରଣ କରିବା ସହିତ ମାନସିକ ନିର୍ଯାତନା ଦେଇ ହଇରାଣ କରୁଥିଲେ। ଏଥିନେଇ ପୀଡ଼ିତା ଅଧ୍ୟାପିକାମାନେ କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ବିପୁୟୁଟି କୁଳପତି ଏବଂ ବୈଷୟିକ ଶିକ୍ଷା ବିଭାଗ ଏବଂ ମହିଳା କମିଶନଙ୍କୁ ଅଭିଯୋଗ କରିଥିଲେ। 
 
କଲେଜର ଅନ୍ତଃ ତଦନ୍ତକାରୀ କମିଟିର ତଦନ୍ତ ରିପୋର୍ଟରେ ସଂଖ୍ୟାଧିକ ସଦସ୍ୟାମାନେ ସଂପୃକ୍ତ ପଟେଲଙ୍କ ବିରୋଧରେ ରିପୋର୍ଟ ଦେବା ସତ୍ତ୍ୱେ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।  ଏହାପରେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ଚିଠି ଲେଖାଯିବା ପରେ ଜିଲ୍ଲାପାଳ ଏହି ମାମଲାର ତଦନ୍ତ ପାଇଁ ଜିଲ୍ଲା ମହିଳା ନିର୍ଯାତନା ସେଲ୍‌କୁ ହସ୍ତାନ୍ତର କରିଥିଲେ। 
 
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ମାମଲାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କମିଟି ସଦସ୍ୟ ରମେଶ ସାହୁ, ସଦସ୍ୟା ସେବତୀ ସିଂ, ଜ୍ୟୋତି ଶ୍ରୀଚନ୍ଦନ, ଜ୍ୟୋତ୍ସା ବାରିକ, ବିଜୟଲକ୍ଷ୍ମୀ ରାୟଗୁରୁ ପ୍ରମୁଖ ଉପସ୍ଥିତ ରହି ଉଭୟ ଅଧ୍ୟାପିକା ଏବଂ ବିଭାଗୀୟ ମୁଖ୍ୟ ନିମାଇଁ ପଟେଲଙ୍କୁ ଜେରା କରିଥିଲେ। 
 
ଏହି ଅବସରରେ ତଦନ୍ତକାରୀ ଟିମ୍‌ ପାଖରେ ମହିଳା ହଷ୍ଟେଲର ସଂପୃୃକ୍ତ ମହିଳା କର୍ମଚାରୀ ବି ଉପସ୍ଥିତ ରହି ନିଜର ବୟାନ ଦେଇଥିଲେ।  ଏ ସଂପର୍କରେ ଡିଏସ୍‌ଡବ୍ଲ୍ୟଓ ବିଜୟଲକ୍ଷ୍ମୀ ରାୟଗୁରୁ କହିଛନ୍ତି, ବିଭାଗୀୟ ମୁଖ୍ୟ ନିମାଇଁ ପଟେଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂଗୀନ। ଖୁବଶୀଘ୍ର ତଦନ୍ତ ଶେଷ ହୋଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିିଛନ୍ତି।