20 August 2017
11:30:18 AM
Sambad News
ଖୋର୍ଦ୍ଧା

କର୍ମଚାରୀଙ୍କୁ ଡରିଲେଣି ବ୍ଲକ ଶିକ୍ଷାଧିକାରୀ!

ବାଲିପାଟଣାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

By Sambad | Date: Jan 6 2017 4:43AM
କର୍ମଚାରୀଙ୍କୁ ଡରିଲେଣି ବ୍ଲକ ଶିକ୍ଷାଧିକାରୀ!
Photo by : livemint.com

ବାଲିପାଟଣା : ବାଲିପାଟଣା ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ଆଡ଼କୁ ଗତି କଲାଣି। ହାତଗଣତି କେତେକ ଶିକ୍ଷକ ପାଠପଢାକୁ ଗୁରୁତ୍ୱ ନଦେଇ କ୍ଲାସ ଚାଲୁଥିବା ସମୟରେ ମୋବାଇଲ ଫୋନ୍‌ରେ ଗପିବା, ମଧ୍ୟାହ୍ନଭୋଜନରେ ବ୍ୟସ୍ତ ରହିବା, ତାଲିମ ଶିବିରକୁ ଠିକ୍‌ରେ ନଆସିବା, ଅଧିକାରୀମାନଙ୍କ ବିନା ଅନୁମତିରେ ମନ ଇଚ୍ଛା ସ୍କୁଲକୁ ଯିବା ଆସିବା କରିବା, ପାଠପଢ଼ା ସମୟରେ ଅଫିସ୍‌ ରୁମ୍‌ରେ ଗପିବା, ଅପରିଷ୍କାର ପରିବେଶରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବା, ମିଛ ଉପସ୍ଥାନ ଦେଖାଇ ମଧ୍ୟାହ୍ନ ଭୋଜନ ଟଙ୍କାକୁ ହଡ଼ପ କରିବା ଆଦି ଅନେକ ଘଟଣା ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀଙ୍କ ନଜରକୁ ଆସିଛି। 
 
ଗୁଣାତ୍ମକ ଶିକ୍ଷାରେ ଏସବୁ ଘଟଣା ବାଧକ ସାଜୁଥିବାରୁ ବିଭିନ୍ନ ସମୟରେ ଅଧିକାରୀମାନେ ଚିଠି ସହ କୈଫିୟତ ତଲବ କରୁଛନ୍ତି। କିନ୍ତୁ ଚିଠି କିମ୍ବା କୈଫିୟତ ତଲବ ପରେ ପରେ କେତେକ ଶିକ୍ଷକ ଅଧିକାରୀଙ୍କୁ ବିଭିନ୍ନ ଦିଗରୁ ଚାପରେ ରଖି ଏହାର ଭରପୁର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ବ୍ଲକର କେତେକ ସ୍କୁଲରେ ଗୁଣାତ୍ମକ ଶିକ୍ଷା ଭୁଶୁଡ଼ିବାକୁ ବସିଲାଣି। ବାଲିପାଟଣା ବ୍ଲକ ଶିକ୍ଷାଧିକାରୀ କେତେକ ପ୍ରଶାସନିକ ପଦକ୍ଷେପ ନେଇ ହରଡ଼ଘଣାରେ ପଡ଼ିବା ଭଳି ଘଟଣା ବାଲିପାଟଣାର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। 
 
ଏବେ ଏକ ଘଟଣା ଉପରେ ବ୍ଲକ ଶିକ୍ଷାଧିକାରୀ କୈଫିୟତ ତଲବ କରିବା ପରେ ଘଟଣାକୁ ଭିନ୍ନମୋଡ଼ ଦେବା ପାଇଁ ଜୋରଦାର ଅପଚେଷ୍ଟା କରାଯାଇଛି। ଫଳରେ ଅଧିକାରୀଜଣକ ଘୋର ଚାପର ସମ୍ମୁଖୀନ ହୋଇ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାକୁ ସାହାସ ବି କରୁନାହାନ୍ତି। ଏମିତିକି ଭୁଲ କରୁଥିବା କର୍ମଚାରୀଙ୍କୁ ଶିକ୍ଷାଧିକାରୀ ହାତ ମାରିବାକୁ ଡ଼ରିଲେଣି ବୋଲି ଆଲୋଚନା ଜୋର୍‌ ଧରିଛି। ଏ ସଂପର୍କରେ ବ୍ଲକ ଶିକ୍ଷାଧିକାରୀ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରି କହିଛନ୍ତି, ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ଯଦି କିଛି ବି ପଦକ୍ଷେପ ନିଆଯାଉଛି ତେବେ ଘଟଣାକୁ ଭିନ୍ନମୋଡ଼ ଦିଆଯାଇ ବିଭିନ୍ନ ଦିଗରୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। 
 
ବାଲିପାଟଣା ଶିକ୍ଷକ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଭୁଲ୍‌ ବିରୋଧରେ ଅଧିକାରୀଙ୍କ କୈଫିୟତ ତଲବ କିମ୍ବା ପ୍ରଶାସନିକ ପଦକ୍ଷେପକୁ ଯଥାର୍ଥ କହିବା ସହ ତାଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ ସ୍ପୃହଣୀୟ ନୁହେଁ ବୋଲି ମତ ଦେଇଛନ୍ତି। ଘଟଣା ସଂପର୍କରେ ଖୋର୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବ୍ଲକ ଶିକ୍ଷାଧିକାରୀ ଯାହା ଠିକ ଅନୁଭବ କରୁଛନ୍ତି ତାହା କରନ୍ତୁ, ତାଙ୍କ ପାଇଁ ସଂପୁର୍ଣ୍ଣ ସମର୍ଥନ ରହିଛି। ଯେଉଁମାନେ ଭୁଲ କରିବେ ସେ ନିଶ୍ଚିତ ଦଣ୍ଡ ପାଇବେ।