27 March 2017
12:15:26 AM
Sambad News
ରାଜନୀତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ : ଦଳ ପାଇଁ ପ୍ରାର୍ଥୀ ଅଡ଼ୁଆ

By Sambad | Date: Jan 6 2017 5:09AM
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ : ଦଳ ପାଇଁ ପ୍ରାର୍ଥୀ ଅଡ଼ୁଆ

ଖୋର୍ଧା : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଖୋର୍ଧା ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ। ଏ ନେଇ ମଧ୍ୟ ଗାଁ ଗହଳିରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ତେବେ ପଞ୍ଚାୟତ ନିର୍ବାଚନରେ କେବଳ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ୁଥିବାରୁ ପ୍ରାର୍ଥୀ ଚୟନ ଦଳୀୟ ନେତାମାନଙ୍କ ଉପରେ ନିର୍ଭର କରୁଛି। ତେଣୁ ଖୋର୍ଧା ଜିଲ୍ଲାର ୩୦ଟି ଜୋନ୍‌ରୁ  କିଏ ପ୍ରାର୍ଥୀ ହେବ, ସେ ନେଇ ଦଳୀୟ ନେତାମାନଙ୍କୁ ଆଶାୟୀ ପ୍ରାର୍ଥୀମାନେ ମନେଇବାରେ ଲାଗିଛନ୍ତି। ମାତ୍ର ବିଭିନ୍ନ ଦଳରେ ସରପଞ୍ଚ ପ୍ରାର୍ଥୀ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି। ବିଭିନ୍ନ ରାଜନୈତିକ ଦଳରେ ଆଶାୟୀମାନଙ୍କ ମଧ୍ୟରେ ଏବେଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ଏପରିକି ସରପଞ୍ଚ ପ୍ରାର୍ଥୀ ପାଇଁ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଲାଣି।
 
ଅନ୍ୟପକ୍ଷରେ ସରପଞ୍ଚ ପ୍ରାର୍ଥୀ ତୁଳନାରେ ସମିତି ସଭ୍ୟ ପାଇଁ  ପ୍ରାର୍ଥୀ ହେବାକୁ ସେତେଟା ଆଗ୍ରହ ପରିଲକ୍ଷିତ ହେଉନାହିଁ। ତେବେ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ଚୟନ ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଏକପ୍ରକାର ଆରମ୍ଭ କରି ଦେଲେଣି। ଏଥିପାଇଁ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତାକୁ ସେମାନେ ମାଧ୍ୟମ କରିଛନ୍ତି। ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ବାଣ୍ଟିବା ଆଳରେ ସେମାନଙ୍କର ଫଟୋ ଥିବା  ବ୍ୟାନର୍‌ ଓ ତୋରଣ ବିଭିନ୍ନ ହାଟ, ବଜାର ଓ ଛକମାନଙ୍କରେ ଛାଇ କରି ଦେଇଛନ୍ତି। କେତେକ ସ୍ଥାନରେ ରାସ୍ତାକୁ ମଧ୍ୟ ସେମାନେ ବାଦ ଦେଇନାହାନ୍ତି। ଏହା ମାଧ୍ୟମରେ ସେମାନେ ଭୋଟର୍‌ଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି। ଏହାବ୍ୟତୀତ ନବବର୍ଷ ପାଳନ ଆଳରେ ଭୋଜିଭାତ କରି ନିଜ ଅଞ୍ଚଳର ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି। 
 
ଖୋର୍ଧା ଜିଲ୍ଲାର ୩୦ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ଛିଡ଼ା କରିବାକୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ କଷ୍ଟକର ବ୍ୟାପାର ହୋଇଛି। ବିଭିନ୍ନ ଜୋନ୍‌ରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏଥର ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସଂରକ୍ଷଣ ଯୋଗୁଁ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିପାରିବେ ନାହିଁ। ମାତ୍ର ସେମାନଙ୍କ ସେମାନଙ୍କ ପତ୍ନୀ କିମ୍ବା ସମ୍ପର୍କୀୟମାନଙ୍କୁ ଛିଡ଼ା କରିବା ପାଇଁ ଲାଗି ପଡ଼ିଛନ୍ତି। ସେହିପରି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ଅଞ୍ଚଳର ବିଧାୟକଙ୍କ ନିକଟତର ହେବାରେ ଲାଗିଛନ୍ତି। ତେବେ ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର କରୁଥିବାରୁ କେତେକ ଆଶାୟୀ ପ୍ରାର୍ଥୀ ମନ୍ତ୍ରୀମାନଙ୍କ ସହ ମଧ୍ୟ ଯୋଗସୂତ୍ର ରକ୍ଷା ଆରମ୍ଭ କରିଦେଇଛନ୍ତି। ବିଜେପିରେ ମଧ୍ୟ ସମଦଶା। ଗତ ନିର୍ବାଚନ ତୁଳନାରେ ଏଥର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଢେର୍‌ ଅଧିକ। ତେବେ ଜିଲ୍ଲାରେ ଯୋଗ୍ୟ ପ୍ରାର୍ଥୀ ଚୟନ ନେଇ କିଏ ନିଷ୍ପତ୍ତି ନେବ, ତାହା ଦଳକୁ ଅଡ଼ୁଆରେ ପକାଇଛି। ଜିଲ୍ଲା ସଭାପତି ଥିଲେ ମଧ୍ୟ ଦଳରେ ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ରହିଥିବାରୁ ପ୍ରାର୍ଥୀ ଚୟନରେ ସେମାନଙ୍କର ପ୍ରାଧାନ୍ୟ ଅଧିକ ରହିବ। 
 
ଅନ୍ୟପକ୍ଷରେ ଖୋର୍ଧା ଜିଲ୍ଲାରେ କଂଗ୍ରେସର ଗୋଷ୍ଠୀ ବିବାଦ ଅଧିକ। ଦଳୀୟ ନେତାଙ୍କ ମନମୁଖୀ କାର୍ଯ୍ୟ ପାଇଁ କେତେକ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଲେଣି। ଜିଲ୍ଲାରେ ସାଂଗଠନିକ ଶକ୍ତି ଦୁର୍ବଳ ଥିବାରୁ କେତେକ ଜୋନରେ ପ୍ରାର୍ଥୀ ଛିଡ଼ା କରିବା ମଧ୍ୟ ଦଳ ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ିଛି।