21 January 2017
3:31:01 AM
image
Sambad News
ଖୋର୍ଦ୍ଧା

ମୋଟାରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ, ୨ବଖରା ଘର ଭାଙ୍ଗିଲା

By Sambad | Date: Jan 7 2017 4:28AM
ମୋଟାରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ, ୨ବଖରା ଘର ଭାଙ୍ଗିଲା

ନିରାକାରପୁର : ଗୋଡ଼ିପଡ଼ା ପଞ୍ଚାୟତ ଅଧୀନ ମୋଟା ଗ୍ରାମରେ ଗତ ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖାଦେଇଛି। ୩ଜଣିଆ ଏକ ହାତୀପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଜଣଙ୍କ ଆଜବେଷ୍ଟସ୍‌ ଘର ଭାଙ୍ଗି ଦେଇଥିବା ଜଣାଯାଇଛି। 
 
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ରାତି ପ୍ରାୟ ୨ଟାରେ ଏହି ହାତୀପଲ ଗାଁରେ ପଶି ନବ ମହାରଣା ଓ ମାନସ ପ୍ରତାପସିଂହଙ୍କ ପଥର ପାଚେରି ଭାଙ୍ଗି ଧାନଖଳାରେ ଗଦା ହୋଇଥିବା ନବ ମହାରଣା, ରାଉଳ ସାମନ୍ତରାୟ, ବିଦ୍ୟାଧର ସାମନ୍ତରାୟ, ଧବଳେଶ୍ୱର ମହାପାତ୍ର, ପଞ୍ଚୁ ପ୍ରଧାନ, ଲକ୍ଷ୍ମୀଧର ମହାରଣା, ଓକିଲ ପ୍ରଧାନ, କୈଳାସ ସାହୁ, ଇନ୍ଦ୍ରମଣି ଭୁଜୁବଳ, ଭଗବାନ ରଣସିଂହ, ସଂଜୟ ଭୁଜୁବଳ, ବ୍ରଜବନ୍ଧଉ ସାମନ୍ତରାୟ, ବଟୁ ସାହୁ, ବେଣୁଧର ସାମନ୍ତରାୟ, ଅଭିମନ୍ୟୁ ସାମନ୍ତସିଂହାର ପ୍ରମୁଖଙ୍କ ଧାନ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ପରେ ଏହି ହାତୀପଲ ବନମାଳୀ ପାଲଟାସିଂହଙ୍କ ୧ ଏକର ଜମିରେ ହୋଇଥିବା ଜହ୍ନି, କାକୁଡ଼ି, ମୂଳା ଫସଲ ନଷ୍ଟ କରିଥିଲେ। ସେହିପରି ସୁକାନ୍ତୀ ପାହାଡ଼ାସିଂହଙ୍କ କଦଳୀ ଗଛ ଉଜୁଡ଼ିବା ସହ ୨ ବଖରା ଆଜବେଷ୍ଟସ୍‌ ଘର ଭାଙ୍ଗିରୁଜି ଚୂରମାର୍‌ କରି ଦେଇଛନ୍ତି। 
 
ଖବର ପାଇ ଟାଙ୍ଗୀ ବନ ବିଭାଗ ଓ ଗୋଳବାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର କିଛି କର୍ମଚାରୀ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ହାତୀପଲ ଏବେ କାଳୀବତୀ ମୌଜାର ଶାମ କଳସ ଜଙ୍ଗଲରେ ଥିବା ଜଣାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ସାମାଜିକ କର୍ମୀ ରବୀନ୍ଦ୍ର ପଟ୍ଟନାୟକଙ୍କ ସମେତ ଗ୍ରାମବାସୀମାନେ ଦାବି କିରଛନ୍ତି। ଏ ସଂକ୍ରାନ୍ତରେ ଟାଙ୍ଗୀ ଫରେଷ୍ଟର ପ୍ରଭାକର ଦଳେଇଙ୍କୁ ପଚାରିବାରୁ, ସେ କହିଥିଲେ ହାତୀ ଉପଦ୍ରବ ଖବର ପାଇ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ହାତୀମାନଙ୍କୁ ଘଉଡ଼ାଇବା ଓ ସେମାନଙ୍କ ଗତିବିଧି ଉପରେ ଏହି ଟିମ୍‌ ଅନୁଧ୍ୟାନ କରିବ। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ସାହାଯ୍ୟ ସହଯୋଗ କରାଯିବ ବୋଲି ସେ କହିଥିଲେ।