21 January 2017
4:14:31 PM
image
Sambad News
ଖୋର୍ଦ୍ଧା

ଗାଁ ଲୋକେ ଧରିଲେ : ୭ ଡକାୟତଙ୍କୁ ପୁଲିସ ଜିମା ଦେଲେ

By Sambad | Date: Jan 7 2017 4:31AM
ଗାଁ ଲୋକେ ଧରିଲେ : ୭ ଡକାୟତଙ୍କୁ ପୁଲିସ ଜିମା ଦେଲେ
Photo by : twimg.com

ଖୋର୍ଧା/ବେଗୁନିଆ : ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତର ଚୋତିପାଳଙ୍ଗ ଗ୍ରାମରେ ଥିବା ଏକ ମାଛ ଗୋଦାମରୁ ଗତ ରାତିରେ ହୋଇଥିବା ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଏହି ଘଟଣାରେ ଗ୍ରାମବାସୀମାନେ ୭ଜଣ ଡକାୟତଙ୍କୁ ଧରି ଖୋର୍ଧା ଟାଉନ୍‌ ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ସେଥିମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମୁକ୍ତାପୁର ତରକାଇ ଗ୍ରାମର ଅନନ୍ତ ନାୟକ (୨୭), ହଳଦିଆ ଶବର ସାହିର ଚକ୍ରଧର ବେହେରା (୧୯), ରାଜୁ ପ୍ରଧାନ (୧୯) ଓ ଦିଲୁ ପ୍ରଧାନ (୨୦)। ତେବେ ବାକି ୩ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ପୁଲିସ ସେମାନଙ୍କ ନିକଟରୁ ୨ଟି ଭୁଜାଲି, ଗୋଟିଏ କଟର୍‌ ମେସିନ୍‌, ଲୁହାଛଡ଼ ସମେତ ୨ଟି ବାଇକ୍‌ ଜବତ କରିଛି। ଏ ନେଇ ଥାନାରେ ୩/୧୭ରେ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଆଉ ୨ଜଣ ଅଭିଯୁକ୍ତ ଗ୍ରାମବାସୀଙ୍କ କବଳରୁ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି।
 
ପୁଲିସ ସୂତ୍ରରୁ ପ୍ରକାଶ, ଗତ ରାତିରେ ଏହି ୯ଜଣ ଲୁଟେରା ଚୋତିପାଳଙ୍ଗ ଗ୍ରାମରେ ଥିବା ଦାମୋଦର ବେହେରାଙ୍କ ମାଛ ଗୋଦାମରୁ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ତେବେ ଏ ସଂପର୍କରେ ଗ୍ରାମବାସୀମାନେ ଜାଣିପାରି ସେମାନଙ୍କୁ କାବୁ କରି ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ଖୋର୍ଧା ଟାଉନ୍‌ ଥାନା ପୁଲିସ ଏକ ପ୍ଲାଟୁନ୍‌ ଫୋର୍ସ ସହ ଗ୍ରାମରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ଆଣିଥିଲା।