20 July 2017
6:06:17 PM
image
Sambad News
ଖୋର୍ଦ୍ଧା

ନରିଶୋ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ସମବାୟ ବ୍ୟାଙ୍କ ଆଗରେ ଚାଷୀଙ୍କ ଧାରଣା

By Sambad | Date: Jan 7 2017 4:36AM
ନରିଶୋ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ସମବାୟ ବ୍ୟାଙ୍କ ଆଗରେ ଚାଷୀଙ୍କ ଧାରଣା

ବାଲିପାଟଣା : ବାଲିପାଟଣା ବ୍ଲକ ଅଧୀନ ନରିଶୋ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଓ ଧାନକିଣା ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ କରି ଆଜି ଶତାଧିକ ଚାଷୀ ବାଲିପାଟଣାସ୍ଥିତ ଖୋର୍ଧା ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ। ସକାଳ ୧୦ଟାରୁ ଏହି ଧାରଣା ଆରମ୍ଭ ହୋଇ ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। 
 
ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀମାନେ ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ନିଲମ୍ବିତ ସଂପାଦକଙ୍କୁ ତୁରନ୍ତ ଗିରଫ କରି ବହିଷ୍କାର କରିବା, ସୁପରସିଡ୍‌ ହୋଇଥିବା ଦୁର୍ନୀତିଗ୍ରସ୍ତ ସଭାପତିଙ୍କୁ ତୁରନ୍ତ ଗିରଫ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେବା, ବାଲିପାଟଣା ବ୍ୟାଙ୍କ ମ୍ୟାନେଜରଙ୍କୁ ବଦଳି କରି ବିସ୍ତତ ତଦନ୍ତ କରାଯିବା, ନରିଶୋ ସମବାୟ କେସ୍‌କୁ ସିବିଆଇକୁ ହସ୍ତାନ୍ତର, ଧାନ କିଣା ପଞ୍ଜୀକରଣ ସଂଶୋଧନ କରି ତୁରନ୍ତ ମଣ୍ଡି ଖୋଲିବା ଆଦି ଦାବି ଅନ୍ତର୍ଭୁକ୍ତ ଥିଲା। 
 
ଶହଶହ ଚାଷୀ ବ୍ୟାଙ୍କ ଆଗରେ ଧାରଣା ଦେବା ସହ ଚାଷୀଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ନାରାବାଜି କରିଥିଲେ। ସେମାନେ ଅଭିଯୋଗ କରିଥିଲେ ନରିଶୋ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ୨୦୦୮ ଋଣ ଛାଡ଼, ୧୨-୧୩ ଶସ୍ୟବୀମା କ୍ଷତିପୂରଣ, ସଭ୍ୟଙ୍କ ଅଂଶଧନରୁ ବ୍ୟାପକ ଟଙ୍କା ହଡ଼ପ, ଧାନ କିଣାବିକା ଓ ଭୂତଚାଷୀକୁ ଋଣ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ, ସମିତିର ଏରିଆ ଅଫ ଅପରେସନ ୧୧୫୦ଏକର ଥିବାରୁ ନାବାର୍ଡ ନିୟମ ମୁତାବକ ୨କୋଟି ଟଙ୍କା ଋଣ ବଦଳରେ ଜାଲ କାଗଜପତ୍ରରେ ତା’ଠାରୁ ଅଧିକ ଟଙ୍କାର ଋଣ ଲଗାଣ, ୧୬-୧୭ ବର୍ଷ ପାଇଁ ଧାନକିଣା ପାଇଁ ଚାଷୀଙ୍କ ପଞ୍ଜୀକରଣରେ ବ୍ୟାପକ ଚଞ୍ଚକତା କରାଯାଇ ପ୍ରକୃତ ଚାଷୀଙ୍କୁ ଅଣଦେଖା ଭଳି ବ୍ୟାପକ ଅନିୟମିତତା କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏସବୁ ଦୁର୍ନୀତି ବିରୋଧରେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ନଂ ୫୭/୧୪ ମାମଲା ରୁଜୁ କରିବା ସହ ବାଲିପାଟଣା ଥାନାରେ ସମବାୟ ବିଭାଗର ଏତଲାକୁ ଆଧାର କରି ନଂ ୧୯୯/୧୫ରେ ମାମଲା ରୁଜୁ ହୋଇଛି। କିନ୍ତୁ ଏତେ ସବୁ ଘଟଣା ପରେ ବି ଆଜି ପର୍ଯ୍ୟନ୍ତ ପୁଲିସ୍‌ ଓ ଭିଜିଲାନ୍ସ ବିଭାଗ ସଂପୂର୍ଣ୍ଣ ଚୁପ୍‌ ବସିିଛି ବୋଲି ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି।
 
ଧାରଣାସ୍ଥଳରେ ସମବାୟ ବିଭାଗର ସବ୍‌ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍‌ ବିଦ୍ୟାଧର ବେହେରା ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ଘଟଣାରେ ମାସକ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବାଲିପାଟଣା ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ କହିଛନ୍ତି, ଭିଜିଲାନ୍ସ ଓ ଥାନାରେ ଦୁଇଟି ମାମାଲା ହୋଇଥିବାରୁ ଦୁଇ ବିଭାଗ ମଧ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ଆଜି ଏପଟେ ଧାରଣା ଚାଲିଥିବା ବେଳେ ସଂପାଦକ ଓ ସଭାପତିଙ୍କ ସମର୍ଥନରେ ବହୁ ଚାଷୀ ଓ ସମର୍ଥକ ବାଲିପାଟଣାରେ ପହଞ୍ଚିଥିଲେ। ସେମାନେ ଏହି ଧାରଣାକୁ ବିରୋଧ କରି ଲିଖିତ ପ୍ରତିବାଦ ଦେଇ ସମିତି ବିରୋଧରେ ଷଡ଼ଯନ୍ତ୍ର କରାଯାଇ ଏପରି ଧାରଣା ହୋଇଛି ବୋଲି କହିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି ସେମାନେ ପାଲଟା ଅଭିଯୋଗ କରିଛନ୍ତି।