30 March 2017
12:11:10 PM
Sambad News
ରାଜନୀତି

ପଞ୍ଚାୟତ ନିର୍ବାଚନ : ସବୁ ଦଳରେ ଫାଟ, ମଙ୍ଗ ସମ୍ଭାଳିବ କିଏ?

By Sambad | Date: Jan 9 2017 6:39AM
ପଞ୍ଚାୟତ ନିର୍ବାଚନ : ସବୁ ଦଳରେ ଫାଟ, ମଙ୍ଗ ସମ୍ଭାଳିବ କିଏ?

ଖୋର୍ଧା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ୍‌ ବାଜିବା ପରେ ଜିଲ୍ଲାର ରାଜନୈତିକ ଉଷ୍ମତା ବଢ଼ିଛି, ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ଟିକେଟ୍‌ ଓ ସରପଞ୍ଚ, ସମିତି ସଭ୍ୟ ପାଇଁ ଦଳର ନେତାଙ୍କଠାରୁ ସବୁଜ ସଙ୍କେତ ପାଇବା ପାଇଁ ଅଶାୟୀଙ୍କ ମଧ୍ୟରେ ଜୋରଦାର୍‌ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଜିଲ୍ଲାର ୩ ପ୍ରମୁଖ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ପାଇଁ ନେତୃତ୍ୱ ସଂକଟ ଦେଖା ଦେଇଥିବାରୁ ଏଥର ପ୍ରଚାର ମଙ୍ଗ କିଏ ସମ୍ଭାଳିବେ, ସେନେଇ ଆଶାୟୀ ଓ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି।
 
ଏହି ତିନୋଟି ଦଳର ଜିଲ୍ଲା ସଭାପତି ଦାୟିତ୍ଵରେ ଥିବା ନେତାମାନଙ୍କ ଆୟତ୍ତରେ ବିଧାୟକ କିମ୍ବା ବିଧାୟକ ପ୍ରାର୍ଥୀ ହୋଇଥିବା ନେତାମାନେ ଥିଲା ପରି ମନେ ହେଉନାହିଁ। ସେହିପରି ଜିଲ୍ଲା ସଭାପତିଙ୍କ ମଧ୍ୟ ଜିଲ୍ଲାର ସମସ୍ତ ଅଞ୍ଚଳ ଉପରେ ସେଭଳି ପତିଆରା ନଥିବାରୁ ରାଜନୀତି ବିଶାରଦ ମହଲରେ ଏପରି ଆଲୋଚନା ହେଉଛି। 
 
ଶାସକ ବିଜେଡି ଦଳର ଜିଲ୍ଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ। ତାଙ୍କ ନେତୃତ୍ଵକୁ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସେତିକି ଖାତିର ଥିବା ଭଳି ମନେ ହେଉନାହିଁ। ଶ୍ରୀ ସାହୁ ଏଠାରେ ଇଚ୍ଛା ଅନୁଯାୟୀ ଦଳକୁ ପରିଚାଳିତ କରୁଛନ୍ତି। ସେହିପରି ଜୟଦେବ ବିଧାୟକ ଶଶିଭୂଷଣ ବେହେରା ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ରୋଷର ଶିକାର ହେଉଥିବା ବେଳେ ଦଳର ସଭାପତିଙ୍କୁ ମଧ୍ୟ ତାଙ୍କର ସେତିକି ଖାତିର ନାହିଁ। ଜିଲ୍ଲା ସଭାପତି ଶ୍ରୀ ବଳବନ୍ତରାୟ ମଧ୍ୟ ଅସନ୍ତୁଷ୍ଟ କର୍ମୀମାନଙ୍କୁ ବିଧାୟକଙ୍କ ସହ ମିଳାମିଶା କରିବାରେ ସକ୍ଷମ ହୋଇ ପାରି ନାହାନ୍ତି। କେତେକ ଦଳୀୟ କର୍ମୀ ଓ ସରକାରୀ ଅଧିକାରୀମାନଙ୍କ ପ୍ରତି ବୋଲଗଡ଼-ବେଗୁନିଆର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବ୍ୟବହାର ଜନସାଧାରଣଙ୍କ ମଧ୍ୟରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଏହାକୁ ସମାଧାନ କରିବାକୁ ଜିଲ୍ଲା ସଭାପତି ଯତ୍ନାବନ ଥିବା ଭଳି ମନେ ହେଉନାହିଁ।
 
ସେହିପରି ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏକାକୀ ନିଜ ଶକ୍ତି ଅନୁଯାୟୀ ସମର୍ଥକମାନଙ୍କୁ ନେଇ ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରୁଥିବା ଦେଖାଯାଉଛି। କେବଳ ବରୁଣେଇ ସଭାକୁ ଛାଡ଼ି ଦେଲେ ସେ ଜିଲ୍ଲା ସଭାପତିଙ୍କୁ ଡାକି କୌଣସି ଆଖିଦୃଶିଆ ବୈଠକ କରିନାହାନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ଏକାମ୍ର ଓ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଯେତେଗୁଡ଼ିଏ ଗ୍ରାମାଞ୍ଚଳ ରହିଛି, ସେସବୁ ସ୍ଥାନରେ ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ ଜିଲ୍ଲା ସଭାପତି କୌଣସି ପଦକ୍ଷେପ ନେଇନାହାନ୍ତି। 
 
ସବୁଠାରୁ ଆଶ୍ଚର୍ଯ୍ୟର କଥା, ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ଭାଗୀରଥି ବଡ଼ଜେନା ଏବେ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ବିଧାୟକ ଭାବେ ନିର୍ବାଚିତ ହେବା ପରେ ଜଟଣୀରେ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ତା’ ପରଠାରୁ କୌଣସି ଦଳୀୟ କିମ୍ବା ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନାହିଁ। ଜିଲ୍ଲା ସଭାପତି ଶ୍ରୀ ବଳବନ୍ତରାୟ ମଧ୍ୟ ଏହା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀର ବିଧାୟକ ଥିଲେ। ବିଭିନ୍ନ କାରଣରୁ  କନ୍ତିଆ ଓ ଛଣଘର ପଞ୍ଚାୟତରେ ଏବେଠାରୁ ଭୋଟ ବର୍ଜନ ସ୍ୱର ଶୁଣା ଗଲାଣି। 
 
ଶାସକ ବିଜେଡି ଦଳର ସ୍ଥିତି ଜିଲ୍ଲାରେ ଏପରି ଥିବା ବେଳେ ପ୍ରତି ଜିଲ୍ଲାପରିଷଦ ଜୋନ୍‌ରୁ ଏକରୁ ଅନେକ ପ୍ରାର୍ଥୀ ଦଳୀୟ ଟିକେଟ୍‌ ପାଇବା ପାଇଁ ଆଶାୟୀ ହୋଇ ପଡ଼ିଛନ୍ତି। ଦଳୀୟ ଟିକେଟ ପାଇବା କ୍ଷେତ୍ରରେ ଯେଉଁ ଆଶାୟୀମାନେ ବଞ୍ଚିତ ହେବ, ସେମାନେ ଦଳ ପାଇଁ ବୁମେରାଂ ସାଜିବେ। ସେହିପରି ଗୋଟିଏ ଗୋଟିଏ ପଞ୍ଚାୟତରେ ସରପଞ୍ଚ ପାଇଁ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା। ଏହାକୁ କିପରି ସଫଳତାର ସହ ମୁକାବିଲା କରାଯିବ, ସେ ନେଇ ଜିଲ୍ଲା ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। 
 
ଜିଲ୍ଲା ବିଜେପିର ମଧ୍ୟ ସମବସ୍ଥା। ଦଳ ସଭାପତି ସୁବାସ ଜେନା ଏତେ ଚର୍ଚ୍ଚିତ ଚେହେରା ନୁହନ୍ତି। ଏପରିକି ଜୟଦେବ ନିର୍ବାଚନମଣ୍ଡଳୀର ତାଙ୍କ ନିଜ ଅଞ୍ଚଳ ବାଲିପାଟଣା ଓ ବାଲିଅନ୍ତାରେ କିଏ ପ୍ରାର୍ଥୀ ହେବେ, ସେ ଚିତ୍ର ବର୍ତମାନ ସୁଦ୍ଧା ଅସ୍ପଷ୍ଟ। ଜଟଣୀ ନିର୍ବାଚନମଣ୍ଡଳୀରେ ସୁଦୀପ୍ତ ରାୟ ପୁରୁଣା ଦିନରୁ ଦଳକୁ ସଜେଇବା ପାଇଁ ଚେଷ୍ଟା କରୁଛନ୍ତି। ନିକଟରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ବିଜେପିରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ହେଉଥିବାରୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ସାମଞ୍ଜସ୍ୟ ରହୁନାହିଁ। ଫଳରେ ଦଳୀୟ କର୍ମୀମାନେ ଦିଶାହୀନ ହେଉଛନ୍ତି। ସେହିପରି ବେଗୁନିଆ ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ହୋଇଥିବା ଯତୀନ୍‌ ମହାନ୍ତି ଦଳୀୟ କର୍ମୀଙ୍କ ଗ୍ରହଣଯୋଗ୍ୟ ହୋଇପାରୁନାହାନ୍ତି। ସ୍ଥାନୀୟ ସାଂସଦ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସେ ଅନୁଗତ ନଥିବାରୁ ପୃଥ୍ଵୀରାଜଙ୍କ ସମର୍ଥକମାନେ ଶ୍ରୀ ମହାନ୍ତିଙ୍କ ନେତୃତ୍ଵକୁ ହଜମ କରିପାରୁନାହାନ୍ତି। 
 
ଖୋର୍ଧା ନିର୍ବାଚନ ମଣ୍ଡଳୀକୁ ଦୃଷ୍ଟି ଦେଲେ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଦଳକୁ ସଜାଡ଼ିବା ପାଇଁ ବେଶ ତତ୍ପର ଅଛନ୍ତି। ତାଙ୍କ ନେତୃତ୍ଵରେ ଦଳ କାର୍ଯ୍ୟ କରୁଥିଲେ ମଧ୍ୟ ଅନ୍ୟତମ ନେତା ରଶ୍ମିରଂଜନ ମହାପାତ୍ରଙ୍କୁ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମର୍ଥନ ମିଳୁଥିବାରୁ ଶ୍ରୀ ମିତ୍ରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବାର ସମ୍ଭାବନା ରହିଛି। କେବଳ ଚିଲିକା ନିର୍ବାଚନମଣ୍ଡଳୀରେ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଏକକ ନେତୃତ୍ଵ ନେଇ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଶାରିରୀକ ଅସୁସ୍ଥତା ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ତାଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଆଗାମୀ ଦିନରେ ଏଠାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ତେଣୁ ସେ ହୁଏତ ଏବେଠାରୁ ତାଙ୍କର କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ତାଙ୍କ ସମର୍ଥକମାନଙ୍କୁ ଟିକେଟ୍‌ ବାଣ୍ଟିବାକୁ ଅଗ୍ରାଧିକାର ଦେଇପାରନ୍ତି। 
 
ସବୁଠାରୁ ଦ୍ଵନ୍ଦ୍ୱ ଓ ସଂଶୟ ଭିତରେ ଗତି କରୁଛି ଖୋର୍ଧା ଜିଲ୍ଲା କଂଗ୍ରେସ ଦଳ। ଦଳ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୃଢ଼ କର୍ତ୍ତୃତ୍ୟ ରହିଥିଲା। କିନ୍ତୁ ଏବେ ତାଙ୍କ ଅନୁପସ୍ଥିତି ଦଳ ପାଇଁ ବିପର୍ଯ୍ୟୟ ଆଣିଦେଇଛି। ଜିଲ୍ଲା ସଭାପତି ସୁରେଶ ରାଉତରାୟ ନିଜ କାର୍ଯ୍ୟଧାରା ନିଜ ନିର୍ବାଚନମଣ୍ଡଳୀରେ ସୀମିତ ରଖିଛନ୍ତି। ବାଲିପାଟଣା ଓ ବାଲିଅନ୍ତାରେ ପୂର୍ବରୁ କଂଗ୍ରେସର ବିଧାୟକ ହୋଇଥିବା ବେଳେ ଏବେ ଏଠାରେ ଦଳ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ବେଗୁନିଆ ନିର୍ବାଚନମଣ୍ଡଳୀ ପ୍ରତି ଦୃଷ୍ଟି ଦେଲେ, ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ଏବେ ବେଗୁନିଆ ଛାଡ଼ି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ବାଙ୍କିରେ ସମ୍ପର୍କ ଆରମ୍ଭ କରିଛନ୍ତି। ତେଣୁ ବେଗୁନିଆରେ ଦଳର ନେତୃତ୍ଵ କିଏ ନେବ, ତାହା ପ୍ରଶ୍ନବାଚୀ ହୋଇଛି।
 
ସେହିପରି ଚିଲିକା ନିର୍ବାଚନମଣ୍ଡଳୀରେ ଗତଥରର ବିଧାୟକ ପ୍ରାର୍ଥୀ ମାନସୀ ପ୍ରଧାନଙ୍କୁ ନିର୍ବାଚନ ପରଠାରୁ ଦଳୀୟ କର୍ମୀମାନେ ଦେଖିବାକୁ ପାଉନାହାନ୍ତି। ୨୦୦୯ରେ ପ୍ରାର୍ଥୀ ହୋଇଥିବା ମାନସ ମଙ୍ଗରାଜ ନିର୍ବାଚନମଣ୍ଡଳୀକୁ ଆସି ସଂଗଠନ କରିବାକୁ ସମୟ ଦେଇନାହାନ୍ତି। ଖୋର୍ଧା ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି କହିଲେ ନ ସରେ। ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସେତେଟା ସକ୍ରିୟ ଥିବା ଭଳି ମନେ ହେଉନାହିଁ। ତଥାପି ତାଳିପକା ନ୍ୟାୟରେ ଖୋର୍ଧା ଓ ଟାଙ୍ଗୀ ବ୍ଲକର କେତେକ ଘେରାଉ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିବା ବେଳେ  ଗ୍ରାମାଞ୍ଚଳ ସଂଗଠନ ପ୍ରତି ଦୃଷ୍ଟି ଦେବା ନଜରକୁ ଆସୁନାହିଁ। ତେଣୁ କଂଗ୍ରେସର ସ୍ଥିତି ଖୋର୍ଧା ଜିଲ୍ଲାରେ ସବୁଠାରୁ ଦୁର୍ବଳ କହିଲେ ଅତ୍ୟୁକ୍ତି ହେବ ନାହିଁ।