29 March 2017
2:44:50 PM
Sambad News
ଖୋର୍ଦ୍ଧା

ନାଚୁଣୀରେ ପ୍ରାଣୀଧନ କଲ୍ୟାଣ ଯୋଜନା ବାଟବଣା : ପ୍ରାଣୀ ଚିକିତ୍ସାଳୟରେ ତାଲା!

By Sambad | Date: Jan 12 2017 6:09AM
ନାଚୁଣୀରେ ପ୍ରାଣୀଧନ କଲ୍ୟାଣ ଯୋଜନା ବାଟବଣା : ପ୍ରାଣୀ ଚିକିତ୍ସାଳୟରେ ତାଲା!

ନାଚୁଣୀ : ଅଞ୍ଚଳର ସର୍ବପୁରାତନ ନାଚୁଣୀ ପ୍ରାଣୀ ଚିକିତ୍ସାଳୟ ଦୀର୍ଘ ବର୍ଷ ହେଲା ଅବ୍ୟବସ୍ଥା ଘେରରେ ରହିଛି। ଏହା ଉପରେ ନାଚୁଣୀ, ହରିପୁର, ହାଟବରଡ଼ିହ ଆଦିକୁ ମିଶାଇ ବହୁ ପଞ୍ଚାୟତ ସମେତ ସଂଖ୍ୟାଧିକ ଗ୍ରାମର ପ୍ରାଣୀଧନ ନିର୍ଭରଶୀଳ ଥିଲେ ମଧ୍ୟ ଏଠାରେ ସରକାରଙ୍କ ସମସ୍ତ ପ୍ରକାର ପ୍ରାଣୀଧନ କଲ୍ୟାଣ ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ଅବସ୍ଥାପିତ ରହିଥିଲେ ମଧ୍ୟ ଡାକ୍ତରଖାନାରେ ତାଙ୍କର ଦେଖା ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କାର୍ଯ୍ୟ ଦିବସରେ ଚୌକିଦାର ଡାକ୍ତରଖାନାକୁ ଜଗି ବସିଥିବା ବେଳେ ଅନେକ ସମୟରେ ଡାକ୍ତରଖାନାରେ ତାଲା ଝୁଲିବା ଦେଖାଯାଇଥାଏ। 
 
ସରକାରୀ ଯୋଜନା ଅନ୍ତର୍ଗତ ହିମିକୃତ ଶୁକ୍ରଦ୍ୱାରା ଗାଈ ଓ ମହିଁଷିମାନଙ୍କର କୃତ୍ରିମ ପ୍ରଜନନ, କୁକୁର ଓ କୁକୁଡ଼ାମାନଙ୍କୁ ଟୀକାକରଣ, ଧରଣ, ରକ୍ତ ମଳମୂତ୍ର ଚର୍ମ ପରୀକ୍ଷା, ଶଲ୍ୟ ଚିକିତ୍ସା, ସାଧାରଣ ଓ ବିଷମ ଚିକିତ୍ସା, ସାହାଣ, ବଜବଜିଆ, ବାଣୀକ୍ଷେତ ଟୀକାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା, ପଶୁ ପାଳନ ଓ ଗୃହପାଳତ ପଶୁମାନଙ୍କ କଲ୍ୟାଣ ପାଇଁ ଡାକ୍ତରୀ ସେବା କିମ୍ବା ଏହାର ବିକଳ୍ପ ସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି। ଜରୁରୀ ପଶୁ ଚିକିତ୍ସା ପାଇଁ ଲୋକେ ଘରୋଇ ଓ ଅବସରପ୍ରାପ୍ତ ପଶୁ ଚିକିତ୍ସା ସହାୟକ କର୍ମଚାରୀମାନଙ୍କ ସହଯୋଗ ଲୋଡ଼ୁଛନ୍ତି। ଏଠାରେ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀ ଚିକିତ୍ସକ ଅବସ୍ଥାପିତ ଥାଇ ମଧ୍ୟ ପଶୁଧନ ଅସୁରକ୍ଷିତ ବୋଲି ଅଭିଯୋଗ ହେଉଛି। ଏଣୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।