28 February 2017
1:36:20 PM
Sambad News
ରାଜନୀତି

ପଞ୍ଚାୟତ ନିର୍ବାଚନ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ : ୨୫୬ ଆଶାୟୀଙ୍କ ପ୍ରାର୍ଥିପତ୍ର ଦାଖଲ

By Sambad | Date: Jan 12 2017 6:13AM
ପଞ୍ଚାୟତ ନିର୍ବାଚନ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ : ୨୫୬ ଆଶାୟୀଙ୍କ ପ୍ରାର୍ଥିପତ୍ର ଦାଖଲ

ଖୋର୍ଧା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ସମିତି ସଭ୍ୟ, ସରପଞ୍ଚ ଓ ଓ୍ଵାର୍ଡମେମ୍ବର ପଦ ପାଇଁ ମୋଟ ୨୫୬ଜଣ ଆଶାୟୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିବା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ପାଇଁ ଖୋର୍ଧା କିମ୍ବା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ହେଲେ ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ଜଣାଯାଇଛି। ତେବେ ଖୋର୍ଧା ବ୍ଲକରେ ୱାର୍ଡ ମେମ୍ବର ପଦ ପାଇଁ ୧୬, ସମିତିସଭ୍ୟ ପଦ ପାଇଁ ୫ଜଣ, ସରପଞ୍ଚ ପଦ ଲାଗି ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।
 
ଟାଙ୍ଗୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ଥିଲା। ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପଦ ପାଇଁ ଆଜି ମୋଟ ୭୪ଜଣ  ଆଶାୟୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
 
ସାନରାଉତପଡ଼ା, ବଡ଼ପାରୀ, କୁଞ୍ଜରୀ, ରତନପୁର, ସରପାରି, ବଡ଼ପୋଖରିଆ, ପାରିଓରଡ଼ ପ୍ରତ୍ୟେକ ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ଗୋଟିଏ ଲେଖାଏଁ, ନିରାକାରପୁର ପଞ୍ଚାୟତରୁ ୨ଟି ଓ ଛଣଗିରି ଓ ଅଚ୍ୟୁତପୁର ପଞ୍ଚାୟତରୁ ୩ଟି ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରାଯାଇଥିବା ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜ୍ୟୋତିନାଥ ବଡଜେନାଙ୍କଠାରୁ ପ୍ରକାଶ। ସେହିପରି ସମିତିସଭ୍ୟ ପଦ ପାଇଁ ଛଣଗିରି, ମଙ୍ଗଳାଯୋଡ଼ି ଓ କୁଞ୍ଜୁରୀ ପଞ୍ଚାୟତରୁ ଜଣେ ଲେଖାଏଁ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ପାରିଓରଡ଼ ପଞ୍ଚାୟତରୁ ୨ଟି ନାମାଙ୍କନତ୍ର ଦାଖଲ କରାଯାଇଛି। 
 
ବ୍ଲକର ୨୬ଟି ପଞ୍ଚାୟତ ମଧ୍ୟରୁ ବଡ଼ପାରୀ, କମାଗୁରୁ, ଲେଣ୍ଡୋ, ସୁନ୍ଦରପୁର, ବଡ଼ପୋଖରିଆ, ମଙ୍ଗଳାଯୋଡ଼ି, ଭୁଷଣ୍ଡପୁର, ରାମଚନ୍ଦ୍ରପୁର, କୁହୁଡ଼ି ପଞ୍ଚାୟତର କୌଣସି ୱାର୍ଡ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇନାହିଁ। ଅବଶିଷ୍ଟ ୧୭ଟି ପଞ୍ଚାୟତରେ ୫୪ଟି ୱାର୍ଡ ସଭ୍ୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।
 
ଜଟଣୀ: ଜଟଣୀ ବ୍ଲକ୍‌ର ୧୫ଟି ପଞ୍ଚାୟତରୁ ଓ୍ଵାର୍ଡମେମ୍ବର ପଦ ପାଇଁ ୧୬ ଜଣ ଆଶାୟୀ ଓ ସରପଞ୍ଚ ପଦ ପାଇଁ ୩ ଜଣ ଆଶାୟୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୩ଜଣଙ୍କ ମଧ୍ୟରୁ ଜାମୁକୋଳି ପଞ୍ଚାୟତରୁ ଜ୍ୟୋତିର୍ମୟୀ ଛୋଟରାୟ ଏବଂ ତିରିମଲ୍ଲ ପଞ୍ଚାୟତରୁ କୃଷ୍ଣପ୍ରିୟା ବେହେରା ଓ ସ୍ନେହଲତା ବେହେରା ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡିଓ ସଞ୍ଜୟ କୁମାର ରାଉତ ସୂଚନା ଦେଇଛନ୍ତି। ସେହିପରି ଓ୍ଵାର୍ଡମେମ୍ବର ପଦ ପାଇଁ ଛତାବରରୁ ଜଣେ, ଜାମୁକୋଳିରୁ ୩ଜଣ, ପଦନପୁରରୁ ୨ଜଣ, ପଧାନସାହିରୁ ୨ଜଣ, ତିରିମଲ୍ଲରୁ ୨ଜଣ ଓ ଗଙ୍ଗପଡ଼ା ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରୁ ୬ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। 
 
୧୭ତାରିଖ ଯାଏ ଏହି ପ୍ରାର୍ଥିପତ୍ର ଦାଖଲ କରିବା ପ୍ରକିୟା ଚାଲୁ ରହିବ। ଓ୍ଵାର୍ଡମେମ୍ବର ଓ ସରପଞ୍ଚ ପଦ ପାଇଁ ଆଶାୟୀ ପଞ୍ଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟ/ସଭ୍ୟା ଆଶାୟୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ୭ ଓ ୮ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ।
 
ଅପରପକ୍ଷେ ବ୍ଲକ୍‌ରେ ୮୯ଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଗତଥର  ୧୩ଟି ପଞ୍ଚାୟତ ରହିଥିଲା। ଏଥର  ତିରିମଲ୍ଲ ଓ ତରାବୋଇ ୨ଟି ପଞ୍ଚାୟତ ବଢ଼ି  ପଞ୍ଚାୟତ ସଂଖ୍ୟା ୧୫କୁ ଛୁଇଁଛି। ସେହିପରି ଏଥର ୨୧୦ଟି ବୁଥ୍‌ରେ ମୋଟ ୫ ହଜାର ୯ଶହ ୩୪ ଜଣ ଭୋଟର୍‌ ନିଜ ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାଯାଇଛି। ବ୍ଲକରେ ସବୁଠାରୁ ଅଧିକ ଭୋଟର୍‌ ଛଣଘର ପଞ୍ଚାୟତରେ ଥିବା ବେଳେ ପଞ୍ଚୁପଲ୍ଲୀ ପଞ୍ଚାୟତ ସର୍ବନିମ୍ନ ରହିଛି। ସେହିପରି ୧୩୫ଟି ଅତି ଉତ୍ତେଜନା ପ୍ରବଣ ଏବଂ ୬୯ଟି ବୁଥ୍‌ ଉତ୍ତେଜନା ପ୍ରବଣ ବୋଲି ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ଜଟଣୀ ବ୍ଲକ୍‌ ୩ଟି ଥାନା ଅଧୀନରେ ଥିବାରୁ ଜଟଣୀ, ଏୟାର୍‌ଫିଲ୍ଡ ଓ ଚନ୍ଦକା ପୁଲିସ୍‌ ସହଯୋଗରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏଥର ନିର୍ବାଚନ ପରିଚାଳନା ହେବ ବୋଲି ସୂଚନା ମିଳିଛି।
 
ବୋଲଗଡ଼: ବୋଲଗଡ଼ ବ୍ଲକରେ ୱାର୍ଡସଭ୍ୟ ପଦ ପାଇଁ ୪୬ଜଣ ନାମାଙ୍କନପତ୍ର  ଦାଖଲ କରିଥିବା ବେଳେ ସରପଞ୍ଚ ପଦ ପାଇଁ ୨ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ସମିତିସଭ୍ୟ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନଥିବା ଜଣାପଡ଼ିଛି। ଦଳାଇସାହିର ସରପଞ୍ଚ ପ୍ରାର୍ଥୀ ପାଇଁ ତ୍ରିନାଥ ସ୍ୱାଇଁ ଓ ବୋଲଗଡ଼ ସରପଞ୍ଚ ପାଇଁ ଆଶାୟୀ ନିର୍ମଳା ପ୍ରଧାନ ନିଜ ନିଜର ସମର୍ଥକଙ୍କ ସହ ସଂପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପ୍ରାର୍ଥିପତ୍ର ଦାଖଲ କରିଥିବା ବୋଲଗଡ଼ ବ୍ଲକ୍‌ ନିର୍ବାଚନ ଅଧିକାରୀ ବିଡିଓ ସୁଧାକର ନାୟକ ସୂଚନା ଦେଇଛନ୍ତି।
 
ବେଗୁନିଆ: ସେହିପରି ବେଗୁନିଆ ବ୍ଲକରେ ଆଜି ମୋଟ ୧୦ ଜଣ ଆଶାୟୀ ଓ୍ଵାର୍ଡସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ କଣ୍ଟାବାଡ଼ ପଞ୍ଚାୟତରୁ ୨, ଗୋବିନ୍ଦପୁର ପଞ୍ଚାୟତରୁ ଜଣେ, ବୋତଳମା ପଞ୍ଚାୟତରୁ ୩ଜଣ, କୁଞ୍ଜିରି ପଞ୍ଚାୟତରୁ ୩ଜଣ, ଶଗଡ଼ଭଙ୍ଗା ପଞ୍ଚାୟତରୁ ଜଣେ ପ୍ରାର୍ଥୀ ଥିବା ଜଣାଯାଇଛି। ତେବେ  ସରପଞ୍ଚ ଓ ସମିତି ସଭ୍ୟ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନଥିବା ବିଡିଓ ଜସ୍ମିନ୍‌ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ।