29 March 2017
8:40:18 PM
Sambad News
ଖୋର୍ଦ୍ଧା

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ଯୌତୁକ ପାଇଁ ହତ୍ୟା ଅଭିଯୋଗ

By Sambad | Date: Jan 12 2017 6:15AM
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ଯୌତୁକ ପାଇଁ ହତ୍ୟା ଅଭିଯୋଗ

ନିରାକାରପୁର : ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଆଜି ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଜଣଙ୍କ ହେଲେ, ପ୍ରିୟମ୍ବଦା ପ୍ରଧାନ (୨୮)। ଘର ଗୋଳବାଇ ଉପର ଗୁଣ୍ଟୁଣୀରେ। ସେ ୮ ମାସ ତଳେ ଡମଣଭୂଇଁ ମଠସାହିର ପ୍ରଫୁଲ୍ଲ ଭୋଳ(୩୪)ଙ୍କୁ ବିବାହ କରିଥିଲେ। ତେବେ ଶ୍ୱଶୁର ଘରୁ ପ୍ରିୟମ୍ବଦାଙ୍କ ଫ୍ୟାନ୍‌ରେ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
 
ପୁଲିସ ସୂତ୍ରରୁ ପ୍ରକାଶ, ପ୍ରିୟମ୍ବଦାଙ୍କ ଭାଇ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ପ୍ରିୟମ୍ବଦାଙ୍କ ବିବାହ ବେଳେ ବରଘର ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। କିନ୍ତୁ ଟିଭି ଓ ଫ୍ରିଜ୍‌କୁ ଦିଆଯାଇନଥିବାରୁ ବିବାହର କିଛି ଦିନ ପରେ ଶ୍ୱଶୁର ଘର ଲୋକେ ପ୍ରିୟମ୍ବଦା ଉପରେ ଚାପ ପକାଇଥିଲେ। ଏ ସଂପର୍କରେ ପ୍ରିୟମ୍ବଦା ବାପଘର ଲୋଙ୍କୁ ଜଣାଇବାରୁ ସୁବିଧା ଦେଖି ସବୁ ଆସ୍ତେ ଆସ୍ତେ ଦେଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସେଥିରେ ସନ୍ତୁଷ୍ଟ ନ ହୋଇ ଶ୍ୱଶୁରଘର ଲୋକେ ପ୍ରିୟମ୍ବଦାକୁ ବିଭିନ୍ନ ସମୟରେ ଶାରୀରିକ, ମାନସିକ ଯନ୍ତ୍ରଣା ଦେଉଥିଲେ। ତେବେ ପ୍ରିୟମ୍ବଦା ଏହାର ବିରୋଧ କରିବାରୁ ଶ୍ୱଶୁରଘର ଲୋକେ ମିଳିମିଶି ତାଙ୍କୁ ମାରି ଦେଇଛନ୍ତି। 
 
ଏ ସଂପର୍କରେ ଆଜି ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ଶ୍ୱଶୁରଘରୁ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପ୍ରିୟମ୍ବଦାଙ୍କ ଶବକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଜଙ୍କିଆ ଥାନା ନିରୀକ୍ଷକ ମୃଣ୍ମୟ କୁମାର ସେନାପତିଙ୍କୁ ପଚାରିବାରୁ ସେ କହିଥିଲେ, ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ତଦନ୍ତ ପରେ ଯାହା ଜଣାଯିବ, ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।