23 August 2017
3:36:59 PM
image
Sambad News
କୋରାପୁଟ

ମେଡିକାଲ କଲେଜ ଦେଖିଲେ ଏମସିଆଇ ଦଳ

By Sambad | Date: Dec 29 2016 10:36AM
ମେଡିକାଲ କଲେଜ ଦେଖିଲେ ଏମସିଆଇ ଦଳ

କୋରାପୁଟ: ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ)ର ଏକ ଉଚ୍ଚସ୍ତରୀୟ ଟିମ ଆଜି କୋରାପୁଟ ଗସ୍ତରେ ଆସି ପ୍ରସ୍ତାବିତ ମେଡିକାଲ କଲେଜର ଭିତ୍ତିଭୂମି ଯାଂଚ କରିଛନ୍ତି। ସେମାନେ ନିର୍ମାଣଧୀନ କୋଠା ସମେତ ଜିଲ୍ଲା ଚିକିତ୍ସାଳୟ ଆଦି ବୁଲି ଦେଖିଛନ୍ତି। ଏଥିସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରି କାଗଜପତ୍ର ଦେଖିଛନ୍ତି। ସେମାନେ ତାଙ୍କ ରିପୋର୍ଟ ଏମସିଆଇକୁ ପ୍ରଦାନ କରିବେ। ଏହି ରିପୋର୍ଟ ଉପରେ  କୋରାପୁଟ ମେଡିକାଲ କଲେଜର ଭାଗ୍ୟ ନିର୍ଭର କରୁଛି।
  

ସକାଳେ ଏହି ପ୍ରତିନିଧି ମଣ୍ଡଳୀ କୋରାପୁଟରେ ପହଞ୍ଚିଥିଲେ। ବିଜୟଓ୍ଵାଡାର ଡ.କେ. ଶଙ୍କର, ରାୟପୁରର ଡ. ମାନିକ ଚାଟାର୍ଜୀ ଓ ହାଇଦ୍ରାବାଦ ଓସମାନିଆ ବିଶ୍ୱବିଦ୍ୟାଳୟ ଡ. ଶୁଭଙ୍କରଙ୍କୁ ନେଇ ଗଠିତ ଏହି ଟିମ୍‌ ଆଜି ପ୍ରଥମେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ। ବିଭିନ୍ନ ଓ୍ଵାର୍ଡ ବୁଲି ଦେଖିବା ସହ ସେମାନେ ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ବିଜୟିନୀ ମହାପାତ୍ର, କୋରାପୁଟ ସିଡିଏମଓ ଡ. ଲଳିତ  ମୋହନ ରଥଙ୍କ ସହ ଆଲୋଚନା କରିଥିଲେ। ପରେ ନିର୍ମାଣାଧୀନ ମେଡିକାଲ କଲେଜ ବୁଲି ଦେଖିଥିଲେ। କଲେଜର ନକ୍ସା ଦେଖିବା ସହ କ୍ଲାସରୁମ, ଷ୍ଟାଫ କ୍ୱାଟର୍ସ, ହଷ୍ଟେଲ, ଅଡିଟୋରିୟମ, ଲାବୋରେଟୋରି ଆଦି ଦେଖିଥିଲେ।

କୋଠା ନିର୍ମାଣ ଚାଲିଥିଲା ବେଳେ କେବେ ଏହା ଶେଷ ହେବ ବୋଲି ପ୍ରଶ୍ନ କରିଥିଲେ। ମାର୍ଚ୍ଚ ସୁଦ୍ଧା ନିର୍ମାଣ କାମ ଶେଷ ହୋଇଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ଅଧିକାଂଶ ନିର୍ମାଣ କାମ ଶେଷ ହୋଇଥିଲା ବେଳେ ଏବେ କେବଳ ଫିନିସିଂ କାମ ବାକି ଅଛି। ତେଣୁ ମାର୍ଚ୍ଚ ଶେଷ ବେଳକୁ ସମ୍ପୂର୍ଣ୍ଣ କୋଠା ହସ୍ତାନ୍ତର କରି ଦିଆଯିବ ବୋଲି ସେମାନେ କହିଥିଲେ।
   

ଏମସିଆଇର ଏହି ଟିମ ଡୁମୁରିପୁଟ ଓ ସୁନାବେଡାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ। କେଉଁଠି କ’ଣ କ’ଣ ଅଭାବ ରହିଛି ତାହା ଯାଂଚ କରିଥିଲେ। ଅପରାହ୍ନରେ ମେଡିକାଲ କଲେଜ ସଂପର୍କିତ କାଗଜପତ୍ର ମଗାଇ ଯାଂଚ କରିଥିଲେ। ଭିତ୍ତିଭୂମି ସହ କର୍ମଚାରୀ ନିଯୁକ୍ତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ସଂପର୍କରେ ପଚାରି ବୁଝିଥିଲେ। ଏହି ଗସ୍ତ ନେଇ କଲେଜ ଅଧ୍ୟକ୍ଷା ପ୍ରଫେସର ବିଜୟିନୀ ମହାପାତ୍ର କହିଛନ୍ତି ଯେ, ଏମସିଆଇ ଟିମର କହିବାନୁଯାୟୀ ସେମାନଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି। ସେମାନେ ବୁଲି ମଧ୍ୟ ଭିତ୍ତିଭୂମି ଯାଂଚ କରିଛନ୍ତି। ଏହି ଗସ୍ତ ପରେ ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଏଠାରେ ଭିତ୍ତିଭୂମି ଠିକଠାକ ଥିବାରୁ ଆସନ୍ତା ଶିକ୍ଷାବର୍ଷରୁ ୧୦୦ଛାତ୍ରଛାତ୍ରୀଙ୍କୁ ନାମଲେଖା  ହେବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି। ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ କଲେଜ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ନେଇ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଏହା ଅଡୁଆ ହୋଇପାରେ। ଏଥିନେଇ ଆସିଥିବା ଟିମ କେନ୍ଦ୍ର ସରକାରଙ୍କୁ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରିବ। ପରେ କେନ୍ଦ୍ର ସରକାରଙ୍କ ଏଥିନେଇ ରାଜ୍ୟ ସରକାରଙ୍କୁ ଜଣାଇବେ। ପରେ ଯାହା ଅଭାବ, ଅସୁବିଧା ଥିବ ପୂରଣ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏହି ଟିମ ପ୍ରାଥମିକ ରିପୋର୍ଟ ଦେବା ପରେ ଆଉ ଏକ ଉଚ୍ଚସ୍ତରୀୟ ଟିମ ମଧ୍ୟ ମେଡିକାଲ କଲେଜ ଯାଂଚ କରିବାକୁ ଆସିବ। ସେତେବେଳେ ସେମାନେ ଚୂଡାନ୍ତ ରିପୋର୍ଟ ଦେବେ ବୋଲି ଜଣାପଡିଛି।