28 June 2017
9:27:22 PM
image
Sambad News
କୋରାପୁଟ

ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ, ୨ଗୁରୁତର

By Sambad | Date: Dec 30 2016 11:21AM
ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ, ୨ଗୁରୁତର

କୋଷାଗୁମୁଡ଼ା:  କୋଷାଗୁମୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଦିନ ୧୨ଟାରେ  ସ୍ଥାନୀୟ ମହାତ୍ମାଗାନ୍ଧୀ ପାର୍କ ଛକ ନିକଟରେ  ଏକ ବାଲିବୋଝେଇ ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେବା ଫଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ବର୍ଷକର ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି। କୋଷାଗୁମୁଡ଼ା ଗ୍ରାମର ପ୍ରଭାତ ଖୁଣ୍ଟିଆ ନିଜର ସ୍ତ୍ରୀ ରଶ୍ମିତା ଖୁଣ୍ଟିଆ(୨୭) ଏବଂ ଶିଶୁପୁତ୍ରକୁ  ନେଇ ବାଇକ(୧୩ସି୪୧୦୮)ରେ ଜୁନାପାଣିଗ୍ରାମର ସିଦ୍ଧେଶ୍ୱର ମନ୍ଦିରକୁ  ଯାଉଥିଲେ। ଏହି ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର(୨୪୮୦୪୫) ବାଇକ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ  ରଶ୍ମିତା ଟ୍ରାକ୍ଟରର ପଛ ଚକା ତଳେ ପଡ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। 

ଅନ୍ୟପଟେ ସ୍ୱାମୀ ଓ ପୁଅ ଛଟିକିପଡ଼ିବାରୁ ଗୁରୁତର ହୋଇଥିଲେ।  ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୩ ଜଣଙ୍କୁ  କୋଷାଗୁମୁଡ଼ା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।  ଆହତ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ କୋଷାଗୁମୁଡ଼ା ଥାନା ଏସଆଇ ଭାଗ୍ୟଲତା ନାୟକ ଘଟଣାସ୍ଥଳକୁ ଯାଇ ଟ୍ରାକ୍ଟର ଏବଂ ବାଇକ୍‌ ଜବତ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି। ପୋଲିସ ମହିଳାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ପୋଲିସ କହିଛି।