24 September 2017
10:49:01 AM
Sambad News
ରାଜ୍ୟ

ସମବାୟ ଚଞ୍ଚକତାର ପ୍ରତିବାଦ : କେସିସି ବ୍ୟାଙ୍କ ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼

By Sambad | Date: Jan 1 2017 5:07AM
ସମବାୟ ଚଞ୍ଚକତାର ପ୍ରତିବାଦ : କେସିସି ବ୍ୟାଙ୍କ ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼

ଜୟପୁର : ଲ୍ୟାମ୍ପସରେ ୧୩୮ କର୍ମଚାରୀଙ୍କୁ ବେଆଇନ୍‌ ନିଯୁକ୍ତି, ଚଞ୍ଚକତା କରି ଦରମା ବୃଦ୍ଧି କରିବା, ମଣ୍ଡିରେ ବ୍ୟାପକ ଦୁର୍ନୀତିର ପ୍ରତିବାଦ କରିବାକୁ ଯାଇ ଆକ୍ରମଣାତ୍ମକ ଭୂମିକା ଆପଣାଇଛି କଂଗ୍ରେସ। ସମବାୟ ସଂସ୍ଥାରେ ହୋଇଥିବା  ବ୍ୟାପକ ଅନିୟମିତତା  ପ୍ରତିବାଦରେ ଆଜି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟପୁର କେସିସି ବ୍ୟାଙ୍କ ଉପରକୁ ଅଣ୍ଡା,ଟମାଟୋ ମାଡ଼ କରିଛି।  କଂଗ୍ରେସ କର୍ମୀମାନେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବାସଭବନରୁ ଆସି ଏହି ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ କରାଯିବା ସହ ଏଥିରେ ଲିପ୍ତଥିବା ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ଦାବି କରାଯାଇଥିଲା । ଏହାସହ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଉ ବୋଲି ନଗର କମିଟି ସଭାପତି ନରେନ୍ଦ୍ର ମହାନ୍ତି କହିଛନ୍ତି । 
 
ସୂଚନାଯୋଗ୍ୟ ଗତ ୨୧ ତାରିଖରେ ଚିଠି ନମ୍ବର ୪୬/୧୬: ୨୩୪୫୦ରେ ଭୁବନେଶ୍ୱରରେ ଥିବା କୋଅପରେଟିଭ ସୋସାଇଟିର ରିଜିଷ୍ଟ୍ରାର(ମାର୍କେଟିଂ) ବେଆଇନ ନିଯୁକ୍ତି ଏବଂ ଅହେତୁକ ଦରମା ବୃଦ୍ଧି ନେଇ ବିହିତ ପଦକ୍ଷେପ ନେବାକୁ ଜୟପୁର ଡେପୁଟି ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମବାୟ ଚଞ୍ଚକତାକୁ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ସରଗରମ ହୋଇଥିଲା ଜୟପୁର ରାଜନୀତି । ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।  ଫଳରେ କଂଗ୍ରେସ ଆଜି ରାସ୍ତାକୁ ଓହ୍ଲାଇ କେସିସି ବ୍ୟାଙ୍କ ଉପରେ ଅଣ୍ଡା, ଟମାଟୋ ବର୍ଷା କରିଥିଲା।
 
ତେବେ ସରକାରୀ ନିର୍ଦ୍ଦେଶର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ  ଡିଆରଏସସି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରି ନାହାନ୍ତି । ସେ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ନା କେଉଁ ଅଦୃଶ୍ୟ ଚାପରେ ଭୟଭୀତ ହୋଇ ଏଭଳି ଚୁପ୍‌ ରହିବାକୁ ବାଧ୍ୟ ହୋଇଛନ୍ତି ସେ ନେଇ କଂଗ୍ରେସ ପକ୍ଷରୁ ପ୍ରଶ୍ନ ହୋଇଛି। ମିଳିଥିବା ସୂଚନା ମୁତାବକ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୦୧୦ରୁ ୨୦୧୫ ଆର୍ଥିକ ବର୍ଷରେ ବିଭିନ୍ନ ସମବାୟ ସଂସ୍ଥାରେ ୧୩୮ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କିଛିଜଣଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଦରମା ବୃଦ୍ଧି କରାଯାଇଥିଲା।  

image