22 January 2017
5:43:34 PM
image
Sambad News
କୋରାପୁଟ

ବୀରଖମ୍ବ ପାହାଡ଼ରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

By Sambad | Date: Jan 1 2017 6:35AM
ବୀରଖମ୍ବ ପାହାଡ଼ରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡ଼ା ଥାନା ଠାରୁ ଅଧା କିଲୋମିଟର ବୀରଖମ୍ବ ପାହାଡରୁ ଜଣେ ଯୁବତୀଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଛି। ତେବେ ଯୁବତୀ ଜଣକ ଏଠାକୁ କେମିତି ଆସିଲେ। ମୃତ୍ୟୁ କିଭଳି ହେଲା ସେନେଇ କେହି କିଛି କହିପାରୁ ନାହାନ୍ତି। ଯାହାକୁ ନେଇ ନାନା ଆଲୋଚନା ଏଠାରେ ଜୋର ଧରିଛି। ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କ ଉଲଗ୍ନ ଗଳିତ ଶବ ପାହାଡ ଉପରେ ପଡିଥିବା ଦେଖିବାକୁ ମିଳିଥିଲା। 

 
ବୈପାରିଗୁଡ଼ାର କେତେକ କାଠ କଟାଳି ପ୍ରାୟ ୧୫ ଦିନ ପୂର୍ବେ କାଠ ସଂଗ୍ରହ କରିବାକୁ ଯିବା ସମୟରେ ଶବ ଦେଖିଥିଲେ। କିନ୍ତୁ ଏନେଇ ପୁଲିସକୁ ସୂଚନା ଦେଲେ କାଳେ କୌଣସି ସମସ୍ୟା ହେବ ବୋଲି ଆଶଂକା କରି କାହାକୁ କିଛି କହି ନଥିଲେ। କିନ୍ତୁ ଏହି କଥା ଧିରେ ଧିରେ ଚାରିଆଡେ ପ୍ରଚାର ହେଲା। ଶେଷରେ ପୁଲିସ ଖବର ପାଇବା ପରେ ପାହାଡ ଉପରକୁ ଆଜି ଯାଇଥିଲା। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣିଥିଲା। ମୃତ ଯୁବତୀଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କୁ ଡକାଇ ପୁଲିସ ଶବ ଚିହ୍ନଟ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଏହି ଉଦ୍ୟମ ବି ସଫଳ ହୋଇନପାରିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେଣୁ କେହି ପାଗଳୀ ଭୁଲ ବଶତଃ ପାହାଡ ନିକଟକୁ ଯାଇ ମୃତ୍ୟୁ ବରଣ କରୁଥିବା ଅନୁମାନ କରାଯାଉଛି। 
 
ସେହିପରି କେହି କେହି କହୁଛନ୍ତି ଯେ ଯୁବତୀଙ୍କୁ ପାହାଡ ତଳେ ହତ୍ୟା କରିବା ପରେ ଏଠାରେ ଫୋପାଡି ଦିଆଯାଇଥିବା ଆଶଂକା କରୁଛନ୍ତି। ତେବେ ନାନା ଆଲୋଚନା ହେଉଥିଲେ ହେଁ କିଛି ବି ସ୍ପଷ୍ଟ ହୋଇପାରୁ ନାହିଁ। ଏସଆଇ ଏସ.କେ ମହାନ୍ତି, ହାବିଲଦାର ପ୍ରମୋଦ ଦଣ୍ଡସେନା, ଗୃହରକ୍ଷୀ ରମେଶ ଭୂୟାଁ, ସ୍ଥାନୀୟ ସରପଞ୍ଚ ଭାଗୀରଥି ମୁର୍ଜିଆ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିଥିଲେ। ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲକୁ ପଠାଇ ଦିଆଯାଇଛି। ସେଠାରୁ ରିପୋର୍ଟ ମିଳିବା ପରେ ହିଁ ସବୁ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ପ୍ରକାଶ କରିଛି।