22 January 2017
5:39:55 PM
image
Sambad News
କୋରାପୁଟ

ବଦଳିଲା ନିର୍ବାଚନ ତାରିଖ

୭,୬୮,୨୩୫ଭୋଟରଙ୍କ ପାଇଁ ୨୯୭୩ ବୁଥ୍‌

By Sambad | Date: Jan 2 2017 12:10AM
ବଦଳିଲା ନିର୍ବାଚନ ତାରିଖ

କୋରାପୁଟ : କୋରାପୁଟ ଜିଲ୍ଲାରେ ୫ ପର୍ଯ୍ୟାୟରେ ଆସନ୍ତା ପଞ୍ଚାୟତ ନିର୍ବାଚନ ହେବ। ତେବେ ପୂର୍ବରୁ ପ୍ରକାଶିତ ନିର୍ବାଚନ ତାରିଖରେ ଅଦଳବଦଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୟପୁର ବ୍ଲକରେ ଭୋଟ କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ କୋରାପୁଟ ବ୍ଲକରେ ଫେବୃଆରୀ ୧୯ତାରିଖରେ ଭୋଟ ହେବ। ଏଥି ନେଇ ଆସନ୍ତା ୬ ତାରିଖରେ ୩୪୮୨ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।  ଓ୍ଵାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଜିଲ୍ଲାର ୭,୬୮,୨୩୫ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୯୭୩ଟି ବୁଥ୍‌ କରାଯାଇଛି।  
 
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଥିଲାବେଳେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି। ଏହି ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ତାରିଖ ଘୋଷଣା କରାଯାଇଥିଲାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୫ ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଫେବୃଆରୀ ୧୩ତାରିଖରେ ଲମତାପୁଟ, ଜୟପୁର ଓ ଦଶମନ୍ତପୁର ବ୍ଲକରେ ଭୋଟ ଗ୍ରହଣ କରାଯିବ। ୧୫ତାରିଖରେ କୁନ୍ଦୁରା, ସେମିଳିଗୁଡା ଓ ଲକ୍ଷ୍ମୀପୁର ବ୍ଲକରେ ଭୋଟ ହେବ। ସେହିପରି ୧୭ତାରିଖରେ ବୋରିଗୁମ୍ମା, ପଟାଙ୍ଗୀ ଓ ନାରାୟଣପାଟଣା ବ୍ଲକ ଏବଂ ୧୯ତାରିଖରେ ବୈପାରୀଗୁଡା, ବନ୍ଧୁଗାଁ ଓ କୋରାପୁଟ ବ୍ଲକରେ ଭୋଟ ଗ୍ରହଣ ହେବାକୁ ସ୍ଥିର କରାଯାଇଛି। ଶେଷ ପର୍ଯ୍ୟାୟରେ ଅର୍ଥାତ୍‌ ୨୧ ତାରିଖରେ କୋଟପାଡ ଓ ନନ୍ଦପୁର ବ୍ଲକରେ ଭୋଟଗ୍ରହଣ ହେବ ବୋଲି ଜଣାପଡିଛି। 
 
ପଞ୍ଚାୟତ ନିର୍ବାଚନ ପାଇଁ ଲମତାପୁଟରେ ୧୭୬ଟି ବୁଥ୍‌, ଜୟପୁରରେ ୨୯୨, ଦଶମନ୍ତପୁର ୧୮୪, କୁନ୍ଦୁରା ୧୮୫, ସେମିଳିଗୁଡା ୨୦୫, ଲକ୍ଷ୍ମୀପୁର ୧୫୧, ବୋରିଗୁମ୍ମା ୩୮୪, ନାରାୟଣପାଟଣା ୧୦୫, ପଟାଙ୍ଗୀ ୧୫୭, ବୈପାରୀଗୁଡା ୨୪୪, ବନ୍ଧୁଗାଁ ୧୬୧, କୋରାପୁଟ ୨୦୩, କୋଟପାଡ ୨୪୯ ଓ ନନ୍ଦପୁର ୨୭୭ଟି ବୁଥ୍‌ କରାଯାଇଛି।  ପ୍ରଥମ ପର୍ଯ୍ୟାୟରେ ୬୫୨ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୪୧, ତୃତୀୟ ପର୍ଯ୍ୟାୟରେ ୬୪୬, ଚତୁର୍ଥ ପର୍ଯ୍ୟାୟରେ ୬୦୮ ଓ ଶେଷ ପର୍ଯ୍ୟାୟରେ ୫୨୬ଟି ବୁଥ୍‌ରେ ମତଦାନ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋରାପୁଟରେ ୨୪୦ଟି ସରପଞ୍ଚ ପଦବୀ, ସମାନ ସଂଖ୍ୟକ ସମିତି ସଭ୍ୟ, ୨୯୭୩ଟି ଓ୍ଵାର୍ଡ ମେମ୍ବର ଓ ୨୯ଟି ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆସନ୍ତା ୬ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। 
 
ଜାନୁଆରୀ ୧୧ତାରିଖରୁ ୧୭ତାରିଖ ମଧ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଓ୍ଵାର୍ଡ ମେମ୍ବର ଓ ସରପଞ୍ଚ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ, ସମିତି ସଭ୍ୟ ପାଇଁ ବ୍ଲକରେ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଗ୍ରହଣ କରାଯିବ। ଜାନୁଆରୀ ୧୮ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯାଇ ୧୯ତାରିଖରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରାର୍ଥୀମାନେ ଚାହିଁଲେ ୨୧ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ଚୁଡାନ୍ତ ପ୍ରାର୍ଥ ତାଲିକା ପ୍ରକାଶ ପାଇବ। ଯେଉଁ ଠାରେ ଏକାଧିକ ପ୍ରାର୍ଥୀ ରହନ୍ତି ସେଠାରେ ନିର୍ବାଚନ ତାରିଖ ଅନୁଯାୟୀ ଭୋଟ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।