30 March 2017
12:11:54 PM
Sambad News
ରାଜ୍ୟ

ଡାକ୍ତରଖାନା-ପୁଲିସ ତାଳମେଳ ଅଭାବ : ୩ ଦିନ ଯାଏଁ ବ୍ୟବଚ୍ଛେଦ ହେଲାନି

କୋରାପୁଟ ମେଡିକାଲ୍‌ରେ ଅବବ୍ୟସ୍ଥା

By Sambad | Date: Jan 3 2017 7:08AM
ଡାକ୍ତରଖାନା-ପୁଲିସ ତାଳମେଳ ଅଭାବ : ୩ ଦିନ ଯାଏଁ ବ୍ୟବଚ୍ଛେଦ ହେଲାନି

କୋରାପୁଟ : ସଡ଼କ ଦୁର୍ଘଟଣାରେ ମୃତ ମାଲକାନଗିରି ଜିଲ୍ଲା ମୁଦୁଲିପୋଡ଼ା ଗ୍ରାମର ହାଡ଼ି ବଡ଼ନାୟକଙ୍କ ପତ୍ନୀ ବୁଦାଇ(୭୦)ଙ୍କର ଶବ କୋରାପୁଟ ମେଡିକାଲରେ ଦୀର୍ଘ ୩ ଦିନ ଧରି ପଡ଼ିରହିବା ଘୟଟଣା ଆଲୋଡ଼ନ ଆଣିଛି। ଘର ଲୋକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ଯେତେ ଚେଷ୍ଟା କଲେ ବି ଶବ ବ୍ୟବଛେଦ ହୋଇ ପାରିଲାନି। ୩ ଦିନ ପରେ ଆଜି ଶବ ବ୍ୟବଛେଦ ହେଲା ଯେ, ଶବ ନେବାକୁ ସାଙ୍ଗେ ସାଙ୍ଗେ ଗାଡ଼ି ଖଣ୍ଡେ ମିଳିଲାନି। କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ସରକାରୀ ବ୍ୟବସ୍ଥାର ଫାଙ୍କକୁ ପଦାରେ ପକାଇଦେଇଛି।  
 
ମୁଦୁଲିପୋଡ଼ା ଗ୍ରାମର ବୁଦାଇ ଶନିବାର ମାଥିଲି ଥାନା ଅନ୍ତର୍ଗତ ଆମ୍ବେଲିପୁଟ ହାଟକୁ ଯାଇଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କୋରାପୁଟରେ ପହଞ୍ଚିଲା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଶବ ବ୍ୟବଛେଦ ପାଇଁ ଶବକୁ ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା। କିନ୍ତୁ ପୁଲିସ ରିପୋର୍ଟ ହୋଇ ନ ଥିବାରୁ ଡାକ୍ତର ଶବ ବ୍ୟବଛେଦ କରି ନଥିଲେ। ଡାକ୍ତରଖାନା ଓ ପୁଲିସ ମଧ୍ୟରେ ତାଳମେଳ ଅଭାବରୁ ଡାକ୍ତରଖାନାରେ ୩ ଦିନ ଧରି ଶବ ପଡ଼ିରହିବା ପରେ ଆଜି ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 
 
ଅପରପକ୍ଷେ, ମୃତଦେହ ନେବାକୁ ଗାଡ଼ି ନ ମିଳିବାରୁ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ। କୋରାପୁଟ ମେଡିକାଲରେ ଥିବା ଶବ ବୁହା ଗାଡ଼ି କିଛି ଦିନ ହେଲା ଖରାପ ହୋଇ ପଡ଼ିିଥିବାରୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ବହୁ ବିଳମ୍ବରେ ଗାଁକୁ ଯାଇଥିଲା ଶବ।  ମଲା ପରେ ବି ଗରିବ ଲୋକଙ୍କ ଶବକୁ ଏମିତି ବ୍ୟବହାର ଆମ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ପଦାରେ ପକାଇ ଦେଇଛି। ବୁଦାଇଙ୍କ ପୁଅ ସମା ବଡ଼ନାୟକ କହିଛନ୍ତି ଯେ, ପୁଲିସ ରିପୋର୍ଟ ହୋଇ ନ ଥିବାରୁ ତାଙ୍କ ମା’ଙ୍କ ଶବ ବ୍ୟବଛେଦ କରିବା ପାଇଁ ଡାକ୍ତର ମନା କରି ଦେଇଥିଲେ। ସେମାନେ ଏଠାରେ କିଛି ଜାଣି ନ ଥିବାରୁ କାହାକୁ କିଛି କହି ପାରିନଥିଲେ। ଉଲ୍ଲେଖଯୋଗ୍ୟ, ଶନିବାର ବୁଦାଇଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି କୋରାପୁଟ ଟାଉନ ଥାନାକୁ ଜଣାଯାଇଥିଲା। କିନ୍ତୁ ଗତକାଲି ଅପରାହ୍ନରେ ରିପୋର୍ଟ କଲାବେଳକୁ ସନ୍ଧ୍ୟା ହୋଇଯାଇଥିଲା। ତେଣୁ ଆଜି ଶବ ବ୍ୟବଛେଦ କରାଯାଇଥିଲା। ତେବେ ଏଥିନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।