23 February 2017
5:50:12 AM
Sambad News
କୋରାପୁଟ

ଲ୍ୟାମ୍ପସରେ ବେଆଇନ ନିଯୁକ୍ତି ଘଟଣା

ଲୋକ ପ୍ରତିନିଧି, ଅଧିକାରୀଙ୍କୁ ଅଭିଯୋଗ ଜଣାଇଲେ

By Sambad | Date: Jan 4 2017 7:52AM
ଲ୍ୟାମ୍ପସରେ ବେଆଇନ ନିଯୁକ୍ତି ଘଟଣା

ଜୟପୁର,: ଲ୍ୟାମ୍ପସରେ ବେଆଇନ ତଥା ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ୧୩୮ କର୍ମଚାରୀଙ୍କୁ ନିଯୁକ୍ତି ଘଟଣା ଆଜି ଭିନ୍ନ ମୋଡ ନେଇଛି। ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସିଥିବା ୧୫୦ରୁ ଅଧିକ ଲ୍ୟାମ୍ପସ କର୍ମଚାରୀ ସ୍ଥାନୀୟ ଲୋକ ପ୍ରତିନିଧି, କେସିସି ବ୍ୟାଙ୍କ ସଭାପତି, ସମ୍ପାଦକ, ଡିଆରସିଏସ୍‌ ଓ ଏଆରସିଏସଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଏଥିସହ ଦାବିପତ୍ରର ନକଲ କୋଅପରେଟିଭ ସୋସାଇଟର ରେଜିଷ୍ଟ୍ରାର ଏବଂ ଓଏସସିବିର ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ପଠାଇଛନ୍ତି।
   

ଲାମ୍ପସ କର୍ମଚାରୀ କାଳୀ ପ୍ରସାଦ କର କହିଛନ୍ତି ଯେ ୨୦୧୧ ଫେବ୍ରୁଆରି ୨ତାରିଖରେ ଆମେ ନିୟମ ଅନୁସାରେ ଲାମ୍ପସରେ ନିଯୁକ୍ତି ପାଇଥିଲୁ। ଆମର ନିଯୁକ୍ତି ଆଦୌ ବେଆଇନ ନୁହେଁ। ସେହି ସମୟରେ ଏମଆଇସି ଥିଲେ ଜଣେ ସରକାରୀ କର୍ମଚାରୀ। ଯିଏ କି ଆମକୁ ନିଯୁକ୍ତି ଦେଇଥିଲେ। ସେମାନେ ଆମର ସାକ୍ଷାତକାର ନେବା ସହ ବହୁ ପରୀକ୍ଷା ଦେଇ ଆମକୁ ନିଯୁକ୍ତି ଦେଇଛନ୍ତି। ଏହାକୁ ବେଆଇନ ଦର୍ଶାଯାଇ ଆମକୁ ଦୀର୍ଘ ୨ ବର୍ଷ ହେବ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସେ କହିଛନ୍ତି। ତେଣୁ ଆମେ ନିର୍ଯାତିତ ହେବା ସହ ମାନସିକ ଚାପରେ ରହିଛୁ ବୋଲି କହିଥିଲେ।
   

ସେହିପରି ବାଦଲ କୁମାର ଷଡଙ୍ଗୀ କହିଛନ୍ତି ଯେ ୨୦୧୦ରେ ସେ କୋଟପାଡ ଲ୍ୟାମ୍ପସରେ ନିଯୁକ୍ତି ପାଇଥିଲେ। ଦୈନିକ ୮୦ ଟଙ୍କାରେ ଆମେ କାମ କରି ଆସୁଛନ୍ତି। ସେ ସମୟରେ ୧୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନୀତି ନିୟମ ଅନୁସାରେ ନିଯୁକ୍ତି ପାଇଛୁ। ଏବେ ଆମେ ମାସକୁ ୮,୦୦୦ଟଙ୍କା ପାରିଶ୍ରମିକ ଭାବେ ପାଇଛୁ। ଆମେ ଏତେବର୍ଷ ଧରି ନିଯୁକ୍ତି ପାଇଲୁଣୁ ସରକାର ସେତେବେଳେ କ’ଣ କରୁଥିଲେ ସେହି ସମୟରେ କାହିଁକି କୋଣସି ପଦକ୍ଷେପ ନନେଇ ଏବେ ଆମ ନିଯୁକ୍ତିକୁ ବେଆଇନ ଭାବେ ଦର୍ଶାଇ ଆମକୁ ମାନସିକ ଅଶାନ୍ତି ଦେଉଛନ୍ତି ଆମେ ବୁଝିପାରୁ ନାହୁଁ ବୋଲି କହିଥିଲେ।
   

ସହକାରୀ ନିବନ୍ଧକ ଆର. ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ ପୂର୍ବରୁ କର୍ମଚାରୀଙ୍କ ଅଭାବ ଥିଲା। ନିର୍ଦ୍ଦେଶାଳୟ ପକ୍ଷରୁ ଲ୍ୟାମ୍ପସରେ ଖାଲି ପଡିଥିବା ପଦବିରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଆସିଥିଲା। ସେହି ସମୟରେ ସରକାରୀ କର୍ମଚାରୀ ସମିତିର ମୁଖ୍ୟ ଥିଲେ। ସେମାନେ ନିଯୁକ୍ତି ଦେଇଥିଲେ। ଏଥିରେ ଅନିୟମିତତା ନେଇ ପରବର୍ତୀ ସମୟରେ ଅଡିଟର ଜେନେରାଲ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଅଡିଟ କରାଯାଇ ସବୁ ତଥ୍ୟ ସରକାରଙ୍କୁ ଦିଆଯାଇଛି ବୋଲି ସେ କହିଥିଲେ।