22 January 2017
5:44:08 PM
image
Sambad News
କୋରାପୁଟ

ସହରରେ ବଢୁଛି ବେଆଇନ ଇଟାଭାଟି

By Sambad | Date: Jan 6 2017 10:25AM
ସହରରେ ବଢୁଛି ବେଆଇନ ଇଟାଭାଟି

ଜୟପୁର: ମାଟି ତିଆରି ଇଟା ଉପରେ ସରକାର ଲଗାଇଛନ୍ତି ଅଙ୍କୁଶ। ପ୍ରଦୂଷଣ ରୋକିବା ଏବଂ ପରିବେଶକ ସନ୍ତୁଳନକୁ ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ସରକାର ନେଇଥିଲେ। କିନ୍ତୁ ଏହାକୁ ମାନୁଛି କିଏ। ସବୁ ନିୟମ ଓ ନିର୍ଦ୍ଦେଶକୁ ବେଖାତିର କରି ଇଟା ଭାଟି ମାଲିକ ନିଜ ବେପାରରେ ମାତିଛନ୍ତି। ଏସବୁ ଦେଖୁଥିଲେ ହେଁ ଜିଲ୍ଲା ପ୍ରଶାସନ ତଥା ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।
     

ଜୟପୁର ତଥା ଆଖପାଖ ଅଞ୍ଚଳରେ ବେଧଡ୍‌କ ଗଢି ଉଠିଛି ଶହ ଶହ ସଂଖ୍ୟାରେ ଇଟା ଭାଟି। ସରକାରଙ୍କ ନିର୍ଦେଶ ଗୋଟିଏ ପଟେ ରହିଥିବା ବେଳେ ନିୟମ ଖିଲାପ କରି ଲାଭ କରିବା ଅନ୍ୟ ପଟେ ଖୋଲାମେଲାରେ ଚାଲିଛି। ଏଭଳି ବେଆଇନ ଇଟା ଭାଟି ଯୋଗୁଁ ମୃତ୍ତିକା କ୍ଷୟ ସହ ପରିବେଷ ପ୍ରଦୂଷଣ ହେଉଛି। ଏପରିକି ରାଜସ୍ୱହାନି ଘଟୁଥିଲେ ବି ପ୍ରଶାସନ ଏହାକୁ ରୋକିବାକୁ ଆଗେଇ ନଆସିବା ସାଧାରଣରେ ଭ୍ରୂକୁଞ୍ଚନ ସୃଷ୍ଟି କରୁଛି। ତେବେ ଜିଲ୍ଲା ପ୍ରଶାସନ କେବଳ ସରକାରୀ ନିର୍ମାଣରେ ମାଟି ଇଟା ବ୍ୟବହାର ଉପରେ ନିଷେଧାଦେଶ ଜାରି କରି ନିଜ ଦାୟିତ୍ୱ ସାରି ଦେଇଥିବା ଜଣାଯାଇଛି।

ଜିଲ୍ଲାରେ ଇଟା ଭାଟି ଛତୁ ଫୁଟିଲା ଭଳି ବଢି ଚାଲିଥିବା ବେଳେ ରାଜସ୍ୱ ଆଇନକୁ ସମ୍ପୂର୍ଣ୍ଣ ଉଲଂଘନ କରୁଥିବା ଜଣାପଡିଛି। ରାଜସ୍ୱ ନିୟମ ଅନୁସାରେ ଇଟା ଭାଟି ନଦୀ, ନାଳ ତଟରେ କରାଯିବା ଉପରେ କଡା କଟକଣା ରହିଛି। ସେହି ସ୍ଥାନରେ ଇଟା ଭାଟି ମୃତ୍ତିକା କ୍ଷୟକୁ ବଢାଇବା ସହିତ ଚାଷୀଙ୍କ ପାଇଁ ମଧ୍ୟ ସମସ୍ୟାର କାରଣ ସାଜିଛି। ବିଶେଷକରି କେତେକ ଇଟା ଭାଟି ମାଲିକ ସରକାରୀ ଜମି, ଜଳାଶୟ. ଜଳ ଅମଳ ପ୍ରକଳ୍ପ, ଗୋଚର ଜମି ସହିତ କେତେକ ସ୍ଥାନରେ ରାସ୍ତାକୁ ବି ଜବର ଦଖଲ କରି ନେଇଥିବା ଦେଖିବାକୁ ମିଳିଛି। ଇଟାଭାଟି ପାଇଁ ପରିବେଶ ଅନୁମତି ସହିତ ପଞ୍ଜିକରଣର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାର ଅଧିକାଂଶ ଭାଟି ମାଲିକ ଏଭଳି ନିୟମକୁ ଅଣଦେଖା କରି ପ୍ରଶାସନିକ ଅଧିକରୀ, କର୍ମଚାରୀଙ୍କୁ ହାତ କରିବା ଉପରେ ହିଁ ଜୋର ଦେଉଥିବା କୁହାଯାଇଛି।
   

 ସରକାରୀ ନିୟମ ଅନୁସାରେ ଲକ୍ଷେ ଇଟା ପାଇଁ ୪ହଜାର ଟଙ୍କା ରାଜସ୍ୱ, ସରଫେସ ରେଣ୍ଟ ୧୫୦ ଟଙ୍କା, ଜଳ କର ୯ଟଙ୍କା, ୨.୨ ଶତକଡା ଆୟକର ଜମା କରିବାକୁ ନିର୍ଦେଶ ରହିଛି। ତେବେ ଜିଲ୍ଲାରେ ଥିବା ଇଟାଭାଟି ମାଲିକ ମାନେ ରାଜସ୍ୱ ଭରିବା ବଦଳରେ ରାଜସ୍ୱ କର୍ମଚାରୀଙ୍କ ହାତକୁ ଚିକ୍କଣ କରି ନିଜ ବେପାରକୁ ବଢାଇ ଚାଲିଛନ୍ତି। ଯାହା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ତ ଘଟାଉଛି ସମ୍ପୃକ୍ତ ଅଞ୍ଚଳର ପରିବେଶ ପ୍ରତି ମଧ୍ୟ ବିପଦର କାରଣ ସୃଷ୍ଟି କରୁଛି। ବହୁ ମାଲିକ ଏସବୁ ନିୟମ, ନିର୍ଦ୍ଧେଶକୁ ଫାଙ୍କୁଥିବା ବେଳେ କିଛି ମାଲିକ ନାମକୁ ମାତ୍ର ରାଜସ୍ୱ ଦେଇ ଲକ୍ଷ ଲକ୍ଷ ଇଟା ତିଆରି କରି ମୁନାଫା ଉଠାଉଛନ୍ତି। ସେହିପରି ଇଟା ଭାଟି ପାଇଁ ତଷୁ କିଣି ପ୍ରଦୂଷଣ ମାତ୍ରାକୁ ବିପଜ୍ଜନକ ଭାବେ ବଢାଉଛନ୍ତି।

କେବଳ ରାଜସ୍ୱ ଫାଙ୍କିବା, ପରିବେଶ ଅନୁମତି ନ ଆଣିବା, ପ୍ରଦୂଷଣ ଓ ମୃତ୍ତିକା କ୍ଷୟରେ ଭାଟି ମାଲିକମାନେ ସୀମିତ ନରହି ଶ୍ରମିକ ଶୋଷଣ ବି କରୁଥିବା ଅଭିଯୋଗ ରହିଛି। ବିଶେଷକରି ଭାଟିରେ ଶିଶୁ ଶ୍ରମିକ ମଧ୍ୟ ନିୟୋଜିତ କରି ଅଧିକ ଖଟଣି, କମ ମଜୁରିରେ ଶୋଷଣ କରୁଛନ୍ତି। ହେଲେ ଏ ଦିଗରେ ଶ୍ରମିକଙ୍କୁ ନ୍ୟାୟ ଦେବା ପାଇଁ ଥିବା ଜିଲ୍ଲା ଶ୍ରମ ବିଭାଗ ଆଖି ବୁଜି ରହିଥିବା ଅଭିଯୋଗ ହୋଇଛି। ଏସବୁ ନୀତି, ନିୟମ, ନିର୍ଦେଶର ଉଲଘଂନ ଭିତରେ ବଢି ଚାଲିଥିବା ମାଟି ଇଟାର ବେପାର କୃଷି ଉପରେ ମଧ୍ୟ ବିପରିତ ପ୍ରଭାବ ପକାଉଥିବା ଜଣାଯାଇଛି। ଭାଟି ଦ୍ୱାରା ଚାଷ ଜମି ନଷ୍ଟ ହେଉଥିବା ବେଳେ ଫସଲ ଉତ୍ପାଦନ ହ୍ରାସ ପାଇଛି। ଜିଲ୍ଲା ପ୍ରଶାସନ ମାଟି ଇଟାଭାଟି ଉପରେ ରୋକ ଲଗାଇବା ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।