29 March 2017
2:45:30 PM
Sambad News
କୋରାପୁଟ

ଗଞ୍ଜେଇ ଜବତ, ୮ ଗିରଫ

By Sambad | Date: Jan 7 2017 11:13AM
ଗଞ୍ଜେଇ ଜବତ, ୮ ଗିରଫ


ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପୁଲିସ ପକ୍ଷରୁ ଆଜି ସକାଳେ ଏକ ଅଟୋରୁ ୭୬କିଲୋ ଗଞ୍ଜେଇ ଜବତ କରାଯାଇଛି। ସେହିପରି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୁଲିସ ୮ଜଣଙ୍କୁ ଗିରଫ କରିଛି।
              

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ବାଲଡା ପଞ୍ଚାୟତ ଅନ୍ତର୍ଗତ କଟିଆପୁଟ ଗ୍ରାମରୁ ଏକ ଅଟୋ(ଓଡି ୧୦ଡି ୬୬୭୬)ରେ ୩ଟି ପ୍ଲାଷ୍ଟିକ୍‌ ଡ୍ରମରେ ଗଞ୍ଜେଇ ଭର୍ତି ହୋଇ କୁନ୍ଦୁଲି ଅଭିମୁଖେ ଯାଉଥିଲା। ତେବେ ନନ୍ଦପୁର ବ୍ଲକ ରାଇସିଂ ହାଟପଦା ଛକ ନିକଟରେ ପାଡୁଆ ପୁଲିସ ଏହି ଅଟୋକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଅଟୋରେ ଥିବା ଡ୍ରମ୍‌ ଭିତରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ପରେ ଅଟୋରେ ବସିଥିବା ୮ଜଣଙ୍କୁ ପୁଲିସ ଗିରଫ କରିବା ସହ ଅଟୋ ସହ ଗଞ୍ଜେଇକୁ ଜବତ କରିଥିଲା।

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କଟିଆପୁଟ ଗ୍ରାମର ବଲୁ ଖିଲ, ଝାଡଖଣ୍ଡର ଦେବଗାଁ ଗ୍ରାମର ଚନ୍ଦନ ନାୟକ, ବିହାର ପାଟଣା କିର୍ତି ଛକର ସୁମନ ସ୍ୱରାବ, କସନ୍ଦି ଗ୍ରାମର ଗୌର ନାଇକାମ, ରାଇସିଂର ଅଟୋ ଡ୍ରାଇଭର ତଥା ମାଲିକ ଯୋଗେଶ୍ୱର ଖେମୁଣ୍ଡୁ, ଥୁବା ପଞ୍ଚାୟତ ପରଟା ଗ୍ରାମର ଗୋପି ଡାଲିଆ ଓ ଗୋବିନ୍ଦ ତାଲିଆ, ବାଲଡା କଟିଆପୁଟର ଅଭି ଖରାଙ୍କୁ ଗିରଫ କରାଯାଇଥିଲା। ପରେ ଜବତ ଅଟୋ ସହ ଗଞ୍ଜେଇ ଓ ସମସ୍ତ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା। ସ୍ଥାନୀୟ ତହସିଲଦାର ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଏହା ୭୬କିଲୋ ୮୩୦ଗ୍ରାମ ବୋଲି ଜଣାପଡିଥିଲା।

କୁନ୍ଦୁଲି ଠାରୁ ରାଞ୍ଚିକୁ ଏହି ଗଞ୍ଜେଇ ଚୋରାଚାଲାଣ ହୋଇଥାନ୍ତା ବୋଲି ସୂଚନା ମିିଳିଛି। ପାଡୁଆ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ଏସ୍‌ଆଇ ତପନ କୁମାର ନାହାକ, ଏଏସ୍‌ଆଇ ବି. ଖୋସ୍ଲା, ହାବିଲଦାର ଏନ.କେ ରାଉତ, କନଷ୍ଟେବଳ ବି. ମୁଦୁଲି, ପ୍ରଦୀପ ଖୋସଲା, ମନୋଜ ନାୟକ ପ୍ରମୁଖ ଏହି ଗଞ୍ଜେଇ ଜବତ କରିଥିଲେ। ଏନେଇ ପାଡୁଆ ଥାନାରେ କେଶ୍‌ ନଂ- ୩/୧୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।