27 March 2017
12:20:42 AM
Sambad News
କୋରାପୁଟ

୨ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ

By Sambad | Date: Jan 8 2017 12:06AM
୨ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ

ଜୟପୁର : ଦିନେ କି ଅଧେ ନୁହେଁ। ଦୀର୍ଘ ଦୁଇମାସ ହେବ ହାଡଭଙ୍ଗା ଶୀତରେ ଥରୁଥିଲେ ୨ ନିଷ୍ପାପ ଶିଶୁ। କେତେବେଳେ ଦୋକାନ ଦୁଆର ତ’ କେତେବେଳେ ହୋଟେଲ ପିଣ୍ଡାରେ କଟୁଥିଲା ଶୈଶବ। ହାଡଭଙ୍ଗା ଶୀତକୁ  ଏକମାତ୍ର ଭରସା ହେଉଛି ଛୋଟ ଓ ଛିଣ୍ଡା କମ୍ବଳ। ତାହାପୁଣି ଘୋଡେଇ ହେବା ଓ ପାରିବା ପାଇଁ ନିଅଣ୍ଟ ପଡୁଥିଲା। ରାତିରେ ହେଲେ ଦାଉ ସାଧୁଥିଲା ପେଟର ଜ୍ୱାଳା। ଆଜି ସକାଳ ପ୍ରାୟ ସାଢେ ୬ଟା ବେଳକୁ କୋରାପୁଟ ଜିଲ୍ଲା ଜୟପୁର ରାଜାନଅର ଛକରେ ଥିବା ଗୀତଭବନରେ ଦୁଇଜଣ ନିଷ୍ପାପ ଶିଶୁଙ୍କୁ ଦେଖି ଏହା କୁହାକୁହି ହେଉଥିଲେ କିଛି ସ୍ଥାନୀୟ ଲୋକ। ଘଟଣା କ’ଣ ଜାଣିବା ପାଇଁ ‘ସମ୍ବାଦ’ ପହଞ୍ଚିଥିଲା ସେମାନଙ୍କ ନିକଟରେ। ପଚରାଉଚରା କରିବାପରେ କୋରାପୁଟ ଚାଇଲ୍‌ଡ ଲାଇନକୁ ଯୋଗାଯୋଗ କରାଯାଇଥିଲା। 

 
ଖବର ପାଇ ଚାଇଲ୍‌ଡ ଲାଇନ ପରିଚାଳକ ଜସ୍ମିନ ମହାନ୍ତି ଓ ସଦସ୍ୟ ହେମନ୍ତ କୁମାର ପାତ୍ର ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରିଥିଲେ। ସେଠାରୁ ସେମାନଙ୍କୁ ଶୋଭା ଓପନ ସେଲ୍ଟରରେ ରଖାଯାଇଛି। ତେବେ ଉଦ୍ଧାର ଦୁଇ ଶିଶୁ ନିଜ ସାଙ୍ଗିଆ ଜାନି ବୋଲି କହୁଥିବା ବେଳେ ସେମାନଙ୍କ ବାପା ବୋଲି ପରିଚୟ ଦେଉଥିବା ଜଣେ ଯୁବକ ନିଜ ସାଙ୍ଗିଆ ସାହୁ ବୋଲି କହୁଛନ୍ତି। ତେଣୁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କମିଟି ଏନେଇ ମାଳିଗୁଡା ଗାଁକୁ ଯାଇ ଏହି ଦୁଇ ଶିଶୁଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବ। ଏହାପରେ ଆସନ୍ତା ସୋମବାର ଦିନ କମିଟି ସବିଶେଷ ତଥ୍ୟ ଜାଣିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ ହେମନ୍ତ କୁମାର ପାତ୍ର କହିଛନ୍ତି।
 
ମିଳିଥିବା ସୂଚନା ମୁତାବକ ଏହି ଦୁଇ ଶିଶୁଙ୍କ ଘର ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ମାଲିଗୁଡାରେ। ଏହି ଦୁଇ ଶିଶୁଙ୍କୁ ତାଙ୍କ ପରିବାର ଏହିଠାରେ ଛାଡି କେଉଁଆଡେ ଚାଲିଯାଇଛନ୍ତି। ଏହାପରେ ଦୀର୍ଘ ମାସ ହେବ ଏହି ୨ ଶିଶୁ ତାଙ୍କ ବାପା ବୋଲି କହୁଥିବା ଶିବ ସାହୁଙ୍କ ପାଖରେ ରହୁଛନ୍ତି। ଶିବ ନିକଟରେ ଥିବା ଏକ ଜଳଖିଆ ଦୋକାନରେ କାମ କରେ। ଏଥିରୁ ଯାହା ମିଳେ ନିଜେ ଖାଇବା ସହ ପରିବାରକୁ ପୋଷେ। ଯେଉଁଦିନ ମଜୁରି ମିଳିଲା ସେଦିନ ପେଟକୁ ଦାନା ଯିବ ତ ଅନ୍ୟ ଦିନେ ଉପାସରେ ପାଣି ପିଇ ଶୋଇଯାଏ। ହେଲେ ପିଲା ୨ଟି କେଉଁଠି ରହିଲେ, ଖାଇଲେ ନା’ ନାହିଁ  ତାହାର ଖୋଜ ଖବର ରଖୁନଥିଲା। ସ୍ଥାନୀୟ ଦୋକାନୀ ଓ କିଛି ଲୋକଙ୍କ ହାତ ଟେକାରେ ବଞ୍ଚିଥିଲେ ଏହି ଦୁଇ ଶିଶୁ। ଆଉ ଶେଷରେ ଆଜି ଉଭୟ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ୍‌।