26 May 2017
2:43:17 PM
image
Sambad News
କୋରାପୁଟ

ବିଦ୍ୟୁତ ଲାଗି ଜଣେ ମୃତ, ୨ ଆହତ : ମେଡିକାଲରେ ୧୭ଘଣ୍ଟା ପଡ଼ିଲା ଶବ

By Sambad | Date: Jan 12 2017 6:37AM
ବିଦ୍ୟୁତ ଲାଗି ଜଣେ ମୃତ, ୨ ଆହତ : ମେଡିକାଲରେ ୧୭ଘଣ୍ଟା ପଡ଼ିଲା ଶବ

ଜୟପୁର : ପୁଷ ପୁନେଇ ଅବସରରେ ଯାଉଥିଲେ ଭୋଜି କରିବାକୁ। ହେଲେ ରାସ୍ତାରେ ଜଙ୍ଗଲି ଜନ୍ତୁଙ୍କ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାରରେ ଛନ୍ଦି ହୋଇଗଲେ। ଘଟଣା ସ୍ଥଳରେ ଚାଲିଗଲା ଗୋଟିଏ ଜୀବନ। ପୁଣି ଦୁଇ ଜଣ ହେଲେ ଗୁରୁତର ଆହତ। ଏହାପରେ ପ୍ରାୟ ୧୭ଘଣ୍ଟା ଧରି ଶବ ପଡି ରହିଲା ଜୟପୁର ମେଡିକାଲରେ। ଆଉ ଦୀର୍ଘ ସମୟ ଧରି ଧାଁଧପଡ କରିବା ପରେ ଶେଷରେ ସଂଧ୍ୟାରେ ପରିବାରକୁ ଲୋକଙ୍କୁ ମିଳିଲା ଶବ। ଏହି ଘଟଣା ପାଇଁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହା ମୃତକଙ୍କୁ କିଭଳି ସମ୍ମାନ ବୋଲି ପ୍ରଶ୍ନ ଉଠିଛି। କେବଳ ଏହି ଘଟଣା ନୁହେଁ ଗତକାଲି କଳାଗୁଡା କେନାଲରୁ ମିଳିଥିବା ଗୋଟିଏ ଶବକୁ ମେଡିକାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଉଭୟ ମେଡିକାଲ କର୍ତୃପକ୍ଷ ଏବଂ ପୁଲିସକୁ ସିଧାସଳଖ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
 
ସୂଚନା ଅନୁଯାୟୀ ଗତକାଲି ଥିଲା ଆଦିବାସୀଙ୍କ ପୁଷ ପୁନେଇ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଘୁମର ପଞ୍ଚାୟତ ଅନ୍ତର୍ଗତ ଖିଲପୁଟ ଗାଁର କିଛି ଯୁବକ ଭୋଜିର ଆୟୋଜନ କରିଥିଲେ। ଭୋଜି କରିବାକୁ ସେମାନେ ଗାଁ ଠାରୁ ଅଳ୍ପ ଦୂରରେ ସ୍ଥାନ ନିରୂପଣ କରିଥିଲେ। କିନ୍ତୁ ରାତିରେ ସେମାନେ ଭୋଜି ସ୍ଥଳକୁ ଯିବା ସମୟରେ ନୂଆପୁଟ ଗାଁ ଦେଇ ଯାଉଥିଲେ। ଯିବା ସମୟରେ ସେମାନେ ଏଠାକାର ଚାଷୀ ବୁଦୁରା ଖିଲ ନିଜ ଜମିରେ ଲଗାଇଥିବା ବାଇଗଣ ଦେଖିଥିଲେ। ତେଣୁ ଲୋଭ ସମ୍ଭାଳିନପାରି ଏହି ଯୁବକ ମାନଙ୍କ ମଧ୍ୟରେ କିଛି ଜଣ ଜମି ଭିତରକୁ ପଶି ଯାଇଥିଲେ। କିନ୍ତୁ ବନ୍ୟଜନ୍ତୁଙ୍କ କବଳରୁ ବିଦୁରା ନିଜ ଫସଲକୁ ରକ୍ଷା କରିବାକୁ ବାଡ କରିବା ପରବର୍ତି ବିଦ୍ୟୁତ ତାର ଲଗାଇ ଯାଇଥିଲେ। ଯେଉଁଥିରେ ଖୁସି ମନରେ ଭୋଜି କରିବାକୁ ବାହାରିଥିବା ମନ ପରଜା (୨୫) ଲାଗି ଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। 
 
ସେହିଭଳି ମନ ସହ ଯାଇଥିବା ଅନ୍ୟ ଦୁଇ ଯୁବକ ଧନ ପରାଜ ଏବଂ ଦନ ପରଜା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଜୟପୁର ମେଡିକାଲକୁ ଅଣାଯାଇଥିଲା। କିନ୍ତୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଶବକୁ ନିଆଯିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୧୭ଘଣ୍ଟା ଧରି ମେଡିକାଲରେ ଶବ ପଡି ରହିଥିବା ଜଣାପଡିଛି। ବିଳମ୍ବରେ ଖବର ପାଇ ଜୟପୁର ସଦର ପୋଲିସ ଓ ବୈପାରିଗୁଡା ପୋଲିସ ମେଡିକାଲରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ୫ଟାରେ ଶବ ବ୍ୟବଚ୍ଛେଦ ହେବା ପରେ ଗାଁକୁ ନେଇଥିଲେ। ସେହିପରି ଗାଁର ମୁରବି ବସି କ୍ଷତିପୂରଣ ନେଇ ଆଲୋଚନା କରିଥିଲେ ଏବଂ ଏନେଇ ପରିବାର ଲୋକଙ୍କୁ ବି ଜଣାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। 
 
ଘଟଣାକୁ ନେଇ ଜୟପୁର ସଦର ପୋଲିସ କହିବା ମୁତାବକ ବାଇଗଣ ବାଡରେ ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତି ଜଣକ ଗ୍ରିଡକୋ କିମ୍ବା ସାଉଥକୋ ଠାରୁ ଜମି ନିକଟକୁ ବିଦ୍ୟୁତ ତାର ନେଇଥିବା ନେଇ କୌଣସି ସୂଚନା ଦେଇ ନଥିଲେ। ତେବେ କେଉଁ ପରିସ୍ଥିତିରେ କାହା ଅନୁମତି ଘରୋଇ ଭାବେ ବ୍ୟବହାର ହେଉଥିବା ବିଦ୍ୟୁତକୁ ଜମିରେ ବ୍ୟବହାର କରାଗଲା ତାହାର ତଦନ୍ତ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
 
ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ଅନୁରୂପ ଘଟଣା ବିଭିନ୍ନ ଅଞ୍ଚଳରେ ଘଟିଛି। ଏଥିପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ସହ ଲୋକଙ୍କୁ ସଚେତନ କରିବା ଜରୁରି ହୋଇପଡିଛି। ବିଭାଗୀୟ ସଚେତନତା ସତ୍ୱେ ଯଦି କେହି ଏମିତି କରୁଛି ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରିବାକୁ ସାଧାରଣରେ ଦାବି ହୋଇଛି।

image