28 March 2017
5:53:07 AM
Sambad News
ଜୀବନଚର୍ଯ୍ୟା

ପୁଅଙ୍କ ପସନ୍ଦ ନେହରୁ ଜ୍ୟାକେଟ୍‌

By Sambad | Date: Jan 11 2017 7:41AM
ପୁଅଙ୍କ ପସନ୍ଦ ନେହରୁ ଜ୍ୟାକେଟ୍‌

ନେହରୁ ଜ୍ୟାକେଟ। ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଆସେ ଜବାହରଲାଲ ନେହରୁ ପିନ୍ଧୁଥିବା ଜ୍ୟାକେଟ। ଏହି ଜ୍ୟାକେଟ୍‌ କେବଳ ଦେଶ ବିଦେଶରେ ଆଦୃତ ହେଉଛି,  ତାହା ନୁହେଁ;  ୧୯୫୦ ଓ ୬୦ ଦଶକର ସେହି ପୁରୁଣା ଜ୍ୟାକେଟ୍‌ ଏବେ ଯୁବପିଢ଼ିଙ୍କ କ୍ରେଜ୍‌ ପାଲଟିଛି। ଏହିଭଳି ଜ୍ୟାକେଟ୍‌ କେବଳ ଶୀତରୁ ରକ୍ଷା ଦେଉନି। ବରଂ ଖରା, ବର୍ଷା ଯେଉଁ ଋତୁରେ ଚାହିଁଲେ ବି ପିନ୍ଧି ହେଉଛି। ଫର୍ମାଲ ସାର୍ଟକୁ ଇନ୍‌ କରି ହେଉ କି ପାଇଜାମା ଉପରେ। ଏହା ଶରୀରକୁ ବେଶ୍‌ ମାନୁଛି। ବର୍ତ୍ତମାନ ଏହା ଏକ ଫ୍ୟାସନ୍‌ ଟ୍ରେଣ୍ଡ୍‌ରେ ପରିଣତ ହୋଇଯାଇଛି।
 

କଲେଜ ହେଉ କି ଅଫିସ୍‌, ଜନ୍ମଦିନ ଉତ୍ସବ ହେଉ କି ବିବାହ ଉତ୍ସବ, ଏବେ ସବୁ ଯାଗାକୁ ପୁଅମାନେ ପୋଷାକ ଉପରେ ଜ୍ୟାକେଟ୍‌ ପିନ୍ଧି ଯିବାକୁ ପସନ୍ଦ କରୁଛନ୍ତି। ଏହି ଜ୍ୟାକେଟ୍‌ଗୁଡ଼ିକ କଟନ୍‌, ଲେଦର, ଲେଦର ନେଟ୍‌, ସିଲ୍କ, ର’ ସିଲ୍କ, ଭେଲ୍‌ଭେଟ୍‌, ପଲିଷ୍ଟର, ଖଦି, ଲାଇଲନ୍‌ ଆଦି କପଡ଼ାର ରହୁଛି। ଏହି କପଡ଼ାରେ କେହି କେହି ଏମ୍ବ୍ରୋଡୋରି ଡିଜାଇନ୍‌ କରି ପିନ୍ଧୁଛନ୍ତି। ଏହାକୁ ପିନ୍ଧିିଲା ପରେ ଅଧିକ ଷ୍ଟାଇଲିସ୍‌ ଲାଗିବା ସହ ଏକ ନୂଆ ଲୁକ୍‌ ଦେଉଛି। ନେହରୁ ଜ୍ୟାକେଟ୍‌ର ଚାହିଦା ଏତେ ପରିମାଣରେ ବଢ଼ି ଯାଇଛି ଯେ ଏସବୁ କେବଳ ଫୁଟ୍‌ପାଥ୍‌ କି ନାମୀଦାମୀ ମଲ୍‌ରେ ବିକ୍ରି ହେଉ ନାହିଁ, ବୁଟିକ୍‌ରେ ମଧ୍ୟ ବିଭିନ୍ନ ଡିଜାଇନ୍‌ର ଜ୍ୟାକେଟ୍‌ ତିଆରି ହେଉଛି। ଯାହାର ଦାମ୍‌ ଦୁଇ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି।
 

ସ୍ଲିଭ୍‌ଲେସ୍‌ ନେହରୁ ଜ୍ୟାକେଟ୍‌ ମଧ୍ୟ ଚାହିଦାରେ ରହିଛି। ସାଧାରଣତଃ କୁର୍ତ୍ତା, ସେର୍‌ଓ୍ଵାନି ଉପରେ ଏହି ସି୍ଲଭ୍‌ଲେସ୍‌ ଜ୍ୟାକେଟ୍‌ ଅଧିକ ଭଲ ଲାଗେ। ସେହିପରି ଡବଲ୍‌ ବ୍ରେଷ୍ଟ୍‍ଟେଡ୍‌, ସ୍ଲିମ୍‌ଫିଟ୍‌, ଫୁଲ୍‌ ସ୍ଲିଭ୍‌ସ, ଷ୍ଟ୍ରିପ୍‌, ବିଭିନ୍ନ ଷ୍ଟାଇଲ୍‌ର ଚେକ୍‌ ଜ୍ୟାକେଟ୍‌ ରହିଛି। ଏହିଭଳି ଜ୍ୟାକେଟ୍‌ ଯେକୌଣସି ପୋଷାକ ଉପରେ ପିନ୍ଧିଲେ ତାହା ମାନୁଛି। ବିଶେଷକରି କୁର୍ତ୍ତା ପାଇଜାମା ସହ ଯୋଧପୁରୀ ପ୍ୟାଣ୍ଟ୍‌, ଧୋତି, ପଠାଣି ସୁଟ୍‌ ଏବଂ ଟୁଇଡ୍‌ ପ୍ୟାଣ୍ଟ୍‌ ସହିତ ଅଧିକ ମାନୁଛି।  ଏହିଭଳି ଜ୍ୟାକେଟ୍‌ ପିନ୍ଧିଲେ ଆରାମ ମଧ୍ୟ ଲାଗୁଛି। 
ଏସବୁକୁ ବାଦ୍‌ ଦେଲେ ବର୍ତ୍ତମାନ ବାହାଘର ଋତୁ ଚାଲିଛି। ବାହାଘରରେ ବରର ପୋଷାକକୁ ନଜରରେ ରଖି ବିଭିନ୍ନ ରଙ୍ଗବେରଙ୍ଗର ପାରମ୍ପରିକ ଜ୍ୟାକେଟ୍‌ ବଜାରକୁ ଆସିଛି। ଯାହାର ଦାମ୍‌ ୩ ହଜାରରୁ ଆରମ୍ଭ ୧୫ ହଜାର ପର୍ଯ୍ୟନ୍ତ ରହୁଛି ବୋଲି ୟୁନିଟ୍‌-୧ର ଦୋକାନୀ ଶ୍ୟାମ ସୁନ୍ଦର ଜେନା କହିଛନ୍ତି।