24 September 2017
11:16:27 PM
Sambad News
ମାଲକାନଗିରି

ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୧

ସମସ୍ୟା ଅନେକ, ଆଶାୟୀ ଅଧିକ

By Sambad | Date: Dec 30 2016 11:32AM
ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୧

ମାଲକାନଗିରି: ପଞ୍ଚାୟତ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପରେ ମାଲକାନଗିରି ଜିଲ୍ଲାରେ ସରଗରମ ହୋଇଛି ରାଜନୀତି। ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏବେ ପ୍ରାର୍ଥୀ ଖୋଜା ଏବଂ ନିର୍ବାଚନ ପରିଚାଳନା ପାଇଁ ତତ୍ପର। ଜିଲ୍ଲାରେ ମୋଟ ୧୫ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ମାଲକାନଗିରି ବ୍ଲକରେ ରହିଛି ୩ଟି ଜିଲ୍ଲା ପରିଷଦ ଜୋନ। ସେଥିମଧ୍ୟରୁ ଉଡୁୁପା, ପଦ୍ମଗିରି, ପେଡାକୋଣ୍ଡା, ଝରାପାଲୀ, ସିନ୍ଧ୍ରିମାଳ, ଗୌଡଗୁଡା ଏବଂ ତମସା ପଞ୍ଚାୟତକୁ ନେଇ ୧ନମ୍ବର ଜୋନ ଗଠିତ ହୋଇଛି।

୨୦୦୭ ମସିହା ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ଜନଶକ୍ତି ଦଳର ସୁକଦେବ ସରକାର ନିର୍ବାଚିତ ହୋଇଥିବା ବେଳେ ୨୦୧୨ ନିର୍ବାଚନରେ ବିଜେଡିର ବିବେକା ନିର୍ମଳା ମାଡକାମୀ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥୀ ଶ୍ରୀମତୀ ମାଡକାମୀ ଏହି ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ପରାଜିତ କରିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩ ହଜାର ୭ ଶହରୁ ଊର୍ଦ୍ଧ୍ୱ ଅଧିକା ଭୋଟ ପାଇଥିଲେ।
   

ଗତଥର ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଏହି ଆସନ ଚଳିତ ଥର ଆଦିବାସୀ ପୁରୁଷଙ୍କ ପାଇଁ ସଂରକ୍ଷିତ ହୋଇଛି। ଭୋଟର ସଂଖ୍ୟା ୪୦ହଜାର ହେବ। ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଆଗାମୀ ନିର୍ବାଚନରେ ଏହି ଜୋନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ତେଣୁ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ବିସ୍ତତ ଆଲୋଚନା ଚାଲିଥିବା ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଜୋନରେ ବିଜେଡି ତରଫରୁ ଧନୁର୍ଯ୍ୟୟ ମାଡକାମୀ, କଂଗ୍ରେସ ତରଫରୁ ଗଂଗାଧର ବୁରୁଦା ଏବଂ ବିଜେପି ତରଫରୁ ଦାଶରଥି ପଡିଆମିଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣିବାକୁ ମିିଳିଛି।

କିନ୍ତୁ ଏନେଇ ଦଳ ଗୁଡିକ ପକ୍ଷରୁ ନିଶ୍ଚିତ କରାଯାଇ ନାହିଁ। ତଥାପି ୩ଯାକ ଦଳ ପାଇଁ ଏହି ଆଶାୟୀ ପ୍ରାର୍ଥୀମାନେ ଟାଣୁଆ ଏବଂ ଅଭିଜ୍ଞ ନେତା ଭାବେ ପରିଚିତ। ଉଭୟେ ଧନୁର୍ଯ୍ୟୟ ମାଡକାମୀ ଏବଂ ଗଂଗାଧର ବୁରୁଦା ମାଲକାନଗିରି ଏନଏସିର ପୂର୍ବତନ ଅଧ୍ୟକ୍ଷ ରହିଥିବା ବେଳେ ଦାଶରଥି ପଡିଆମି ପେଡାକୋଣ୍ଡା ପଞ୍ଚାୟତର ବର୍ତ୍ତମାନ ସରପଞ୍ଚ ରହିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଜାତୀୟ ତଥା ଆଞ୍ଚଳିକ ଦଳର ପ୍ରାର୍ଥୀ ବି ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ଏପରିକି ଆଶାୟୀ ପ୍ରାର୍ଥୀ ଯଦି ଦଳୀୟ ଟିକଟ ନପାନ୍ତି ତେବେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିପାରନ୍ତି ବୋଲି ମଧ୍ୟ ଆଲୋଚନା ଚାଲିଛି।
   

ତେବେ ଏହି ଜୋନର ସମସ୍ୟା ଅନେକ। ଏହି ଆସନ ଅନ୍ତର୍ଗତ ସମସ୍ତ ୭ଟି ଯାକ ପଞ୍ଚାୟତର ଆଭ୍ୟନ୍ତରୀଣ ଅଂଚଳରେ ରହିଥିବା ଗ୍ରାମ ଗୁଡିକ ପାଇଁ ସବୁଦିନିଆ ରାସ୍ତା ନାହିଁ। ଏଥିସାଂଗକୁ ପାନୀୟ ଜଳର ଘୋର ଅଭାବ ଆଗାମୀ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହଇପାରେ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ମଧ୍ୟ ଲୋକଙ୍କ ନିକଟରେ ଠିକ ଭାବେ ପହଞ୍ଚିପାରୁ ନାହିଁ। ସିନ୍ଧ୍ରିମାଳ ପଞ୍ଚାୟତରେ ଜାପାନୀ ଜ୍ୱରରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରେ ଘୁଷୁରିଙ୍କୁ ହଟାଇବା ପରେ ଅବଶ୍ୟ ଏହି ରୋଗର ପ୍ରକୋପ ଦେଖାଦେଇନଥିଲା। ଶିକ୍ଷା ବ୍ୟବସ୍ଥା ଆଦୌ ସଂତୋଷ ଜନକ ନୁହେଁ। ଅଧିକାଂଶ ଗ୍ରାମର ବୁଢାବୁଢୀ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ରହିଥିବା ଅଭିଯୋଗ ଶୁଣିବାକୁ ମିଳିଛି। ଏବେ ମଧ୍ୟ ବିପିଏଲ କାର୍ଡଧାରୀଙ୍କୁ ଇନ୍ଦିରା ଆବାସ ମିଳିପାରି ନାହିଁ।

ନିର୍ବାଚନ ପରେ ନିର୍ବାଚନ ଯାଇଛି ଆଉ ଲୋକଙ୍କୁ ବହୁ ପ୍ରତିଶ୍ରୁତି ମିଳିଛି। ଏହାସତ୍ୱେ ବି ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏଥିପାଇଁ ଆଗାମୀ ନିର୍ବାଚନ ନିମନ୍ତେ ଲୋକଙ୍କ ଭିତରେ ବିଶେଷ ଆଗ୍ରହନଥିବା ଗୌଡଗୁଡା, ଝରାପାଲୀ ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି। ବିଡମ୍ବନାର ବିଷୟ ମାଲକାନଗିରିକୁ ଲଗା ରହିଥିବା ଗୌଡଗୁଡା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ବର୍ଷାଦିନେ ଲୋକେ କାଦୁଅରେ ଘାଣ୍ଟି ଚକଟି ହୋଇ ମାଲାକନଗିରି ବ୍ଲକ ସଦର ମହକୁମା ଯାଏଁ ଆସିବା ପାଇଁ ବାଧ୍ୟ ହୋଇଥାନ୍ତି।

ସେହିଭଳି ତମାସ, ଉଡୁପା ପଦ୍ମଗିରି ପଞ୍ଚାୟତରେ ପାନୀୟ ଜଳର ଉତ୍କଟ ସମସ୍ୟା ଲୋକଙ୍କୁ ନିର୍ବାଚନ ବର୍ଜନ ପାଇଁ ବାଧ୍ୟ କରିବ। ଏହି ସାତୋଟି ପଞ୍ଚାୟତର ଅଧିକାଂଶ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ପହଞ୍ଚି ପାରିନାହିଁ। ଏବେ ବି ଲୋକେ ରାତିରେ ଡିବିରି ଆଲୁଅରେ ଜୀବନ କଟାଉଛନ୍ତି। ସାତୋଟି ପଞ୍ଚାୟତରେ ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକେ ବି ବସବାସ କରୁଛନ୍ତି। ବହୁବିଧ ସମସ୍ୟା ଭିତରେ ବୁଡି ରହିଥିବା ୧ ନମ୍ବର ଜୋନର ଭୋଟରମାନେ ଆଗାମୀ ନିର୍ବାଚନରେ କାହା ସପକ୍ଷରେ ଭୋଟ ଦେବେ ତାହା ସମୟ ହିଁ କହିବ।

 

image