25 March 2017
3:22:57 AM
Sambad News
ରାଜ୍ୟ

ନକ୍ସଲ ଟାର୍ଗେଟରେ ବିଜେଡି ନେତା : ସମିତି ସଭ୍ୟଙ୍କୁ ଦରମରା କରି ଛାଡ଼ିଲେ

By Sambad | Date: Dec 31 2016 1:11AM
ନକ୍ସଲ ଟାର୍ଗେଟରେ ବିଜେଡି ନେତା : ସମିତି ସଭ୍ୟଙ୍କୁ ଦରମରା କରି ଛାଡ଼ିଲେ

ମାଲକାନଗିରି : ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଯାଇଛି। ବିଚ୍ଛିନ୍ନାଞ୍ଚଳରେ ସବୁଠୁ ବଡ଼ ଏନ୍‌କାଉଣ୍ଟର ପରେ ନିରବ ଥିବା ମାଓବଦୀ ପୁଣି ସ୍ଥିତି ଜାହିର କରିବା ପାଇଁ ଆରମ୍ଭ କରିଛନ୍ତି ଆତଙ୍କର ଖେଳ।  ବିଚ୍ଛିନ୍ନାଞ୍ଚଳରୁ ଭିଟାମାଟି ଛାଡ଼ି ବିସ୍ଥାପିତ ଜୀବନ କାଟୁଥିବା  ଲୋକଙ୍କ ସହ  ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି। ଗତ ୨୬ ତାରିଖ ଦିନ କୁଡୁମୁଲୁଗୁମ୍ମାରେ ମାଓ ତାଣ୍ଡବ ବେଳେ ବ୍ଲକ ବିଜେଡି ସଭାପତି ସାଧୁ ହନ୍ତାଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ହେଲେ ସୌଭାଗ୍ୟବସତଃ ସାଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଗତକାଲି ନାକାମାମୁଡି ପଞ୍ଚାୟତର ସମିତି ସଭ୍ୟ ତଥା ବିଜେଡି ନେତା ମାଧବ ଶିଶାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ। ବର୍ତ୍ତମାନ ମାଧବ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଚାରି ଦିନ ମଧ୍ୟରେ ବିଚ୍ଛିନ୍ନାଞ୍ଚଳର ୨ଜଣଙ୍କୁ ହତ୍ୟା ଏବଂ ଦୁଇ ଜଣ ବିଜେଡି ନେତାଙ୍କୁ ଆକ୍ରମଣ ବିଜେଡି ଶିବିରରେ ଆତଙ୍କ ଖେଳାଇ ଦେଇଛି।  ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମୀ ଦଳୀୟ ନେତାଙ୍କ ଉପରେ ନକ୍ସଲଙ୍କ ଆକ୍ରମଣକୁ ଗୁରୁତ୍ୱର ସହ ନେଇଛନ୍ତି।  ନକ୍ସଲ କାହିଁକି କେବଳ ବିଜେଡି ନେତାଙ୍କୁ ଟାର୍ଗେଟ କରୁଛନ୍ତି ସେ ନେଇ ତର୍ଜମା କରାଯାଉଛି ବୋଲି କହିଛନ୍ତି।
 
ସୂଚନାଯୋଗ୍ୟ ଯେ  ୪ ଦିନ ମଧ୍ୟରେ ମାଓବାଦୀ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ଏବେ ଜଣେ ସମିତି ସଭ୍ୟଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଦରମରା ଅବସ୍ଥାରେ ଛାଡି ଚାଲିଯାଇଛନ୍ତି । ଘଟଣାଟି ଘଟିଛି କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତରେ । ଏହି ପଞ୍ଚାୟତର ସମିତି ସଭ୍ୟ ମାଧବ ଶିଶା(୩୨) ନୀଲାପାରି ଗ୍ରାମରେ ରହନ୍ତି। ମାଧବଙ୍କ ପତ୍ନୀ ଧନମତିଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ପ୍ରାୟ ୫ ଜଣ ସଶସ୍ତ୍ର ନକ୍ସଲ ନୀଲାପାରି ଗ୍ରାମରେ ପହଞ୍ଚି ତାଙ୍କ ଘରର କବାଟ ବାଡେଇଥିଲେ। ମାଧବ ଉଠିବା ପରେ ତାକୁ ନକ୍ସଲ ତାଙ୍କୁ ଧରି ଘରୁ ଟାଣି ନେଇଥିଲେ । ଏହି ସମୟରେ ପତ୍ନୀ ଧନମତି ନକ୍ସଲଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନକ୍ସଲମାନେ ମାଧବଙ୍କ ନାମରେ ଅଭିଯୋଗ ରହିଛି ଏବଂ ବିଚାର ପରେ ତାକୁ ତୁରନ୍ତ ଛାଡିଦିଆଯିବ ବୋଲି କହିଥିଲେ । ଧନମତିଙ୍କ ଯେତେ ନେହୁରା ହୋଇଥିଲେ ମଧ୍ୟ ଶୁଣିନଥିଲେ। 
 
ମାଧବକୁ ଟାଣି ଟାଣି ନିକଟସ୍ଥ ଜଂଗଲକୁ ନେଇଯାଇ ବିଭିନ୍ନ ବିଷୟରେ ପଚରା ଉଚରା କରିବା ସହ ନିସ୍ତୁକ ପିଟିଥିଲେ। ମାଡ ଖାଇ ମାଧବ ବେହୋସ ହୋଇ ତଳେ ପଡିଯିବା ପରେ ନକ୍ସଲ ମରିଯାଇଥିବା ସଂଦେହ କରି ଛାଡି ଚାଲିଯାଇଥିଲେ । ଆଜି ସକାଳୁ ଗ୍ରାମବାସୀ ମାଧବଙ୍କୁ ନୀଲାପାରି ଗାଁର ଶେଷ ମୁଣ୍ଡରେ ଥିବା ଏକ ରାସ୍ତା କଡରୁ ଉଦ୍ଧାର କରିଥିଲେ । ମାଧବ ବଂଚିଥିବା ଜାଣି ତାକୁ ତୁରନ୍ତ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ । ପ୍ରାଥମିକ ଚିକିତ୍ସା ପରେ ମାଧବକୁ କଟକ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି । ମାଧବଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ନକ୍ସଲ ଆକ୍ରମଣ କରିଥିବା ପ୍ରକାଶ।
 
ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏକ ଶାସକ ଦଳ ଉପରେ ନକ୍ସଲ ଆକ୍ରମଣ  ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଛି। ଏହି ଆକ୍ରମଣ ଯୋଗୁଁ ବିଜେଡି ଶିବିରରେ ହୃତ୍‌କଂପନ ବୃଦ୍ଧି ପାଇଥିବା ବେଳେ ଅନ୍ୟ ରାଜନୈତିକ ଦଳର ନେତା ବି ଆତଙ୍କିତ ହୋଇପଡ଼ିଛନ୍ତି।