26 April 2017
1:31:38 PM
image
Sambad News
ମାଲକାନଗିରି

ରାସ୍ତା ଓ ପାନୀୟ ଜଳ ହେବ ମୁଖ୍ୟ ପ୍ରସଙ୍ଗ

ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୩

By Sambad | Date: Jan 2 2017 12:18AM
ରାସ୍ତା ଓ ପାନୀୟ ଜଳ ହେବ ମୁଖ୍ୟ ପ୍ରସଙ୍ଗ

ମାଲକାନଗିରି : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚାଲିଥିବା ବେଳେ ମାଲକାନଗିରିରେ ଥିବା ଜିଲ୍ଲା ପରିଷଦ ଆସନ ଗୁଡିକର ଭୌଗଳିକ ସ୍ଥିତି ବଦଳି ଯାଇଛି। କିଛି ନୂଆ ପଞ୍ଚାୟତ ଗଠନ ହୋଇଥିବା ବେଳେ କିଛି ପୁରୁଣା ପଞ୍ଚାୟତକୁ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକରେ ସଂଯୋଗ କରାଯାଇଛି। ଯେପରି ୨୦୧୨ ମସିହାରେ ମାଲକାନଗିରି ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନ ରହିଥିଲା। କିନ୍ତୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏହି ବ୍ଲକକୁ ୩ଟି ଜିଲ୍ଲା ପରିଷଦ ଜୋନରେ ବିଭକ୍ତ କରାଯାଇଛି। ଗତଥର ଜିଲ୍ଲାରେ ୧୩ଟି ପଞ୍ଚାୟତ ରହିଥିବା ବେଳେ ୭ଟି ପଞ୍ଚାୟତକୁ ନେଇ ଜୋନ-୧ ଏବଂ ୬ଟି ପଞ୍ଚାୟତ ଜୋନ-୨ ଅଧୀନରେ ରହିଥିଲା। ତେବେ ଚଳିତ ବର୍ଷ କୁଡୁମୁଲୁଗୁମ୍ମାର କିଛି ପଞ୍ଚାୟତକୁ ବି ମାଲକାନଗିରି ବ୍ଲକରେ ସାମିଲ କରି ପଞ୍ଚାୟତ ସଂଖ୍ୟାକୁ ୧୯କୁ ବୃଦ୍ଧି କରାଯାଇଛି। ଯାହାଫଳରେ ପୂର୍ବରୁ ଥିବା ୧ନମ୍ବର ଜୋନରେ କୌଣସି ପରିବର୍ତନ ହୋଇ ନଥିବା ବେଳେ ଗତଥରର ୨ନମ୍ବର ଜୋନର ନାମ ପରିବର୍ତନ କରି ୩ନମ୍ବର କରାଯାଇଛି। 

 
ସେହିପରି ନୂତନ ପଞ୍ଚାୟତକୁ ନେଇ ଗଠିତ ଜୋନକୁ ୨ନମ୍ବର କରାଯାଇଛି। ଯାହାଫଳରେ ଗତଥର ଥିବା ୨ନମ୍ବର ଜୋନକୁ ଏଥର ୩ନମ୍ବର ଜୋନ ଭାବେ ଗଣନା କରି ନିର୍ବାଚନ କରାଯିବ। ଏହି ଜୋନରେ ୬ଟି ପଞ୍ଚାୟତ ରହିଛି। ସେଗୁଡିକ ହେଲା ପାଣ୍ଡ୍ରିପାଣୀ, ସେରପାଲୀ, ବୀରଲକ୍ଷ୍ମଣପୁର, ପେଦାୱାଡା, ମାରକାପାଲୀ ଏବଂ ଗଂଗାଲା। ଏହି ଜେନାର ଭୋଟର ସଂଖ୍ୟା ୪୦ ହଜାର ହେବ। ଗତ ନିର୍ବାଚନରେ  ଏହି ଜୋନ ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଚଳିତ ଥର ଏହା ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ସେହିଭଳି ଗତ ନିର୍ବାଚନରେ ଏହି ଜୋନରେ ବିଜେଡିର ପ୍ରଶାନ୍ତୀ ବିଷୋୟୀ ନିର୍ବାଚିତ ହୋଇଥିଲେ। ତେବେ ଏଥର ସମୀକରଣରେ ସାମାନ୍ୟ ପରିବର୍ତନ ହୋଇଥିବାରୁ ନିର୍ବାଚନରେ ବି କଡା ଟକ୍କର ହେବ ବୋଲି କୁହାଯାଉଛି। 
 
ନାନା ସମସ୍ୟା ମଧ୍ୟରେ ଏହି ଜୋନ ରହିଥିଲେ ହେଁ ରାସ୍ତାଘାଟ ଏବଂ ପାନୀୟ ଜଳର ଉତ୍କଟ ଅଭାବ ଏଠାରେ ଦେଖିବାକୁ ମିଳିଛି। ବିଶେଷକରି ଗଂଗଲା ପଞ୍ଚାୟତର ଆରମୁଣ୍ଡା ଠାରୁ ତକଟଭଟା, ମଛିଆମ୍ବ ଠାରୁ ତାଲବାଲୀ ପର୍ଯ୍ୟନ୍ତ ରାସ୍ତା ହୋଇନଥିବା, ପେଦାୱାଡା ପଞ୍ଚାୟତର କାଙ୍ଗୁରୁଗୁଡା, ପୁକାଗୁଡା, ଦରଣଗୁଡା ପ୍ରମୁଖ ଗ୍ରାମ ପାହାଡ ଉପରେ ରହିଛି। ବୀରଲକ୍ଷ୍ମଣପୁର ପଞ୍ଚାୟତର କାଲାମାଟି, କଂଗେଡି, ବୁଟିଗୁଡା ଭଳି ବହୁ ଗ୍ରାମ ପର୍ବତ ଉପରେ ଅବସ୍ଥିତ। ସ୍ୱାଧୀନତାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅଂଚଳ ପ୍ରତି ପ୍ରଶାସନ କିମ୍ବା ସରକାରଙ୍କର ଆଦୌ ନଜର ପଡିନାହିଁ। ପାହାଡ ଉପରେ ରହୁଥିବା ଗ୍ରାମର ଲୋକ ଯିବା ଆସିବା ପାଇଁ ଯେତିକି ଅସୁବିଧା ଭୋଗୁଥାନ୍ତି, ପିଇବା ପାଣି ପାଇଁ ତାଠାରୁ ଆହୁରି ଅଧିକା ସମସ୍ୟା ଭୋଗୁଥାନ୍ତି। ଏହି ଗାଁ ଗୁଡିକରେ ଜଳ ଉତ୍ସ ନଥିବା ବେଳେ ଲୋକେ ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ସମୟରେ ଏହି ଅଂଚଳରେ ମାରାତ୍ମକ ସଂକ୍ରାମକ ରୋଗ ସବୁ ବ୍ୟାପୁଛି। 
 
ଗମନାଗମନର ଅସୁବିଧା ଯୋଗୁଁ ଲୋକଙ୍କୁ ବ୍ଲକ ସଦର ମହକୁମା ପର୍ଯ୍ୟନ୍ତ ଆସିବା ପାଇଁ ଅନେକ ସମୟରେ ନାହିଁ ନଥିବା କଷ୍ଟ ଉଠାଇବାକୁ ପଡିଥାଏ। ଏଠାକାର ଅଧିକାଂଶ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ। ଯୋଗ୍ୟ ହିତାଧିକାରୀଙ୍କ  ବାଦ ଦେଇ ଅଯୋଗ୍ୟଙ୍କୁ କାର୍ଡ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇନ୍ଦିରାଆବାସ ଗୃହ ପାଇଁ ଦଲାଲମାନେ ମଧ୍ୟସ୍ଥି ହୋଇ ଗରିବ ଲୋକଙ୍କ ଠାରୁ ଟଂକା ନେଇ ତା ବଦଳରେ ଘର ଯୋଗାଇ ଦେଉଥିବା ଭଳି ସାଂଘାତିକ ଅଭିଯୋଗ ହେଉଛି। ତେବେ ବହୁ ସ୍ଥାନରେ ଟଂକା ଦେଇ ମଧ୍ୟ ଏଯାଏଁ ଘର ପାଇନଥିବା ଲୋକେ ଅଭିଯୋଗ କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ପାତର ଅନ୍ତର କରାଯାଉଥିବା ଏବଂବହୁ ବୁଢାବୁଢୀ ଏବେ ବି ଭତ୍ତା ପାଇବାରୁ ବଂଚିତ। ନିର୍ବାଚିତ ପ୍ରତିନିଧିଙ୍କର ଉଦାସୀନତା ଯୋଗୁଁ ଏହି ଅଂଚଳର କୌଣସି ବିକାଶ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି।
 
ଆଗାମୀ ନିର୍ବାଚନରେ ଶାସକ ଦଳ ନିଶ୍ଚିତ ରୂପେ ନିଜ ଶକ୍ତି ପ୍ରଦର୍ଶନ କରିବ। ରାଜ୍ୟ ସରକାରଙ୍କ ଯୋଜନା କହି ଲୋକଙ୍କ ନିକଟକୁ ଯିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ବିରୋଧୀ ଦଳ ସରକାରଙ୍କ ବିଫଳତାର କାହାଣୀ ଏବଂ ସ୍ଥାନୀୟ ସମସ୍ୟାକୁ ନେଇ ମଇଦାନକୁ ଓହ୍ଲାଇବ। ବିଜେପି ବି ମୋଦି ସରକାରଙ୍କ କଥା ଲୋକଙ୍କୁ କହିବ। ତେବେ ନିର୍ବାଚନରେ ପ୍ରସଙ୍ଗ ଯାହାବି ହେଉ ପ୍ରାର୍ଥୀଙ୍କ ଯୋଗ୍ୟତା ହିଁ ନିର୍ବାଚନ ଫଳାଫଳ ନିର୍ଧାଣ କରିବ ବୋଲି କୁହାଯାଉଛି। କିନ୍ତୁ ପ୍ରତ୍ୟେକ ଦଳର ଏକାଧିକ ଆଶାୟୀ ସବୁ ଗଣିତକୁ ବିଗାଡି ଦେଇଛି। ଦଳ ଗୁଡିକ ଜଗିରଖି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଛନ୍ତି। ଯାହା ଆଉ ସପ୍ତାହକ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଏହାପରେ ଜୋରଦାର ହେବ ନିର୍ବାଚନ ପ୍ରଚାର।

image