17 January 2017
2:21:49 PM
Sambad News
ମାଲକାନଗିରି

ବିସ୍ଥାପିତ ପରିବାର ଏବେ ଭାଗ୍ୟକୁ ଆଦରୁଛନ୍ତି

By Sambad | Date: Jan 2 2017 12:20AM
ବିସ୍ଥାପିତ ପରିବାର ଏବେ ଭାଗ୍ୟକୁ ଆଦରୁଛନ୍ତି

ମାଲକାନଗିରି : ମାଓବାଦୀଙ୍କ ଧମକରେ ନିଜ ଭିଟାମାଟି ଛାଡି ବିସ୍ଥାପିତ ଜୀବନ ବିତାଉଥବା ଗ୍ରାମବାସୀ ଏବେ କେଉଁ କୂଳର ? ଭିଟାମାଟି ଛାଡି ପ୍ରଶାସନ ନିକଟରେ ଶରଣ ପଶିଥିବା ଗ୍ରାମବାସୀଙ୍କୁ ନା ପ୍ରଶାସନ ପକ୍ଷରୁ ସହାୟତା ମିଳୁଛି ନା ପିଲାଛୁଆଙ୍କୁ ଧରି ନିଜ ଗ୍ରାମକୁ ଫେରିପାରୁଛନ୍ତି। ନିଜ ଭାଗ୍ୟକୁ ଆଦରି ଏହି ବିସ୍ଥାପିତ ପରିବାର ଥଣ୍ଡାକାକରରେ ପଡିରହିଛନ୍ତି। ନିଜ ଜୀବନ ବଞ୍ଚାଇବାକୁ ଭିଟାମାଟି ଛାଡିଥିବା ଗ୍ରାମବାସୀ ଏବେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରାତି ହେବା ମାତ୍ରରେ ଅଜଣା ଭୟ ଭିତରେ କାଳାତିପାତ କରୁଛନ୍ତି। କାଳେ ମାଓବାଦୀ ପୁଣି ସେମାନଙ୍କୁ ଉଠାଇ ନେବେ କିି ? ଏଭଳି ପ୍ରଶ୍ନ ସେମାନଙ୍କ ମନରେ ଉଙ୍କୁ ମାରୁଛି। କାରଣ ପୁଲିସ ବି ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ। 
 
ମାଓବାଦୀଙ୍କ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରଙ୍କ କଥା କେହି ବି ବୁଝୁ ନାହାନ୍ତି । ଅସ୍ଥାୟୀ ଭାବରେ ବିସ୍ଥାପିତ ପରିବାର ଲୋକେ ନିଜର ସ୍ଥାୟୀ ଜୀବନ ଜୀବିକା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ କେହି ବି ତାଙ୍କୁ ଆଡ଼ ଆଖିରୁ ଚାହିୁଁନଥିବା ଅଭିଯୋଗ କରିଛନ୍ତି।  ନିଜ ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ତଥା ସ୍ଥାୟୀ ରୋଜଗାର ପାଇଁ କୌଣସି ବାଟ ପ୍ରଶାସନ କିମ୍ବା ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଦେଖାଇପାରି ନାହାନ୍ତି । ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ। 
 
ଏମାନଙ୍କ ପାଖରେ ନା ରାସନ କାର୍ଡ ଅଛି ନା ପରିଚୟ ପତ୍ର । ଏମାନଙ୍କୁ କୌଣସି କୌଣସି ଭତ୍ତା ବି ମିଳୁନାହିଁ। ହତାଶ ଏବଂ ଅସହାୟ ଜୀବନ ନେଇ ବିସ୍ଥାପିତମାନେ ଦିନ କାଟୁଛନ୍ତି । ମୁଖ୍ୟସ୍ରୋତକୁ ଫେରିଆସିଥିବା ଗ୍ରାମବାସୀଙ୍କ ପାଇଁ ସରକାର ବି  କିଛି ଆଖିଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି । ଗତ ଦେଢ ବର୍ଷ ମଧ୍ୟରେ ପ୍ରାୟ ୧୫୦ଟି ପରିବାର ମାଓବାଦୀଙ୍କ ହାତ ଛାଡି ପୋଲିସ ନିକଟରେ ଶରଣ ପଶିଥିଲେ ମଧ୍ୟ ଏହି ସବୁ ଗାଁ ଏବେ ବି ଅନ୍ଧାରରେ ରହିଛି । କୌଣସି ଗ୍ରାମକୁ ଯିବା ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବେ ବି ଅପହଞ୍ଚ । ସଚେତନତାର ଅଭାବରୁ ବିକାଶ କହିଲେ କଣ କେହି ବି ବୁଝନ୍ତି ନାହିଁ । ସରକାରଙ୍କର ସମସ୍ତ ଯୋଜନା ଜିଲ୍ଲା ସଦର ମହକୁମାରେ ହିଁ ଅଟକି ଯାଇଛି । 
 
ମାଓ ଧମକୁ ଗାଁ ଛାଡିଥିବା ଲୋକେ ସରକାରୀ ସହାୟତା ପାଇବେ ବୋଲି ଆଶା ବାନ୍ଧିଥିବା ବେଳେ ଏହା କେବଳ ସେମାନଙ୍କ ପାଇଁ ଦିବାସ୍ୱପ୍ନ ଭଳି ହୋଇପଡିଛି। ଦେଢ ବର୍ଷ ତଳେ ପ୍ରଥମେ ପଡିଆ ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମ ସିଲାକୋଟାର ଦେଢ ଶହ ଲୋକ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଏହି ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମର କୌଣସି ପରିବର୍ତ୍ତନ ଘଟିନାହିଁ । ଗ୍ରାମବାସୀ ଯେଉଁ ତିମିରେକୁ ସେହି ତିମିରେ । ଆଗାମୀ ଦିନଗୁଡିକରେ ଯଦି ପ୍ରଶାସନ ଏବଂ ରାଜ୍ୟ ସରକାର ଏମାନଙ୍କ ପ୍ରତି ବିଶେଷ ଧ୍ୟାନ ନଦିଅନ୍ତି ଏବଂ ଏହି ଅଂଚଳଗୁଡିକର ବିକାଶ ନକରନ୍ତି ତେବେ ଗ୍ରାମବାସୀ ପୁଣିଥରେ ଯଦି ମାଓବାଦୀଙ୍କ ନିକଟକୁ ଫେରି ଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।